ଭୁବନେଶ୍ବର: ତଟ ସୁରକ୍ଷା ବାହିନୀ ଏବଂ ଭାରତୀୟ ନୌ ବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଯବାନମାନଙ୍କୁ ଆଗାମୀ ଦିନରେ ମେରାଇନ ଥାନା ଗୁଡିକରେ ନିଯୁକ୍ତି ଦିଆଯିବ। ଏ ନେଇ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଆଗାମୀ ଦିନରେ ତଟ ସୁରକ୍ଷା ଏବଂ ଓଡିଶା ପୋଲିସର ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ବୋର୍ଡ଼ ଗଠନ କରାଯିବ। ଏହି ଦୁଇ ବିଭାଗର ଅଧିକାରୀମାନେ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ। ସେମାନଙ୍କ ରିପୋର୍ଟ ଅନୁଯାୟୀ ମେରାଇନ ଥାନାଗୁଡିକୁ ବୋଟ୍ ଯୋଗାଇଦିଆଯିବ ବୋଲି ଡିଜିପି ପ୍ରକାଶ କରିଛନ୍ତି।
ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଶ୍ରୀ ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ବିଶଦ ଆଲୋଚନା ହୋଇଥିଲା। ଏଥିସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା।
ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡ଼ିଶା ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିବା ଜଣାପଡିଛି। ଓଡିଶା ପୋଲିସ ଏବଂ ତଟ ସୁରକ୍ଷା ସହ ଯେଉଁ ସମ୍ପର୍କ ସ୍ଥାପନ ହୋଇଛି, ତାହା ଦୀର୍ଘସ୍ଥାୟୀ ରଖିବାକୁ ସବୁବେଳେ ଉଦ୍ୟମ ଜାରି ରହିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।