ଆଜି ସେଇ କାଳ ଦିନ । ଆଜି ସେଇ ଅକ୍ଟୋବର ୨୯, ଯେବେ ମହାବାତ୍ୟା ରୂପରେ ଓଡ଼ିଶା ଛାତିରେ ତାଣ୍ଡବ ରଚିଥିଲା ମୃତ୍ୟୁ । ଆଜି ପୁଣି ଡରାଉଛି ବାତ୍ୟା । ହେଲେ ଏ ଓଡ଼ିଶା ସେଇ ପୁରୁଣା ଓଡ଼ିଶା ନୁହେଁ, ବାତ୍ୟାର କହର ଆଗରେ ଆତଙ୍କିତ ହୋଇପଡୁଥିବା ନିରିହ ଓ ଦୁର୍ବଳ ଓଡ଼ିଶା ନୁହେଁ । ଏ ଓଡ଼ିଶା ନିର୍ଭିକ, ମଜବୁତ ଓ ଆତ୍ମନିର୍ଭର ଓଡ଼ିଶା । ଛାତି ଚଉଡା କରି ପ୍ରତ୍ୟେକ ବିପର୍ଯ୍ୟୟର ସଫଳ ମୁକାବିଲା କରିପାରୁଥିବା ଓଡ଼ିଶା । ସାରା ବିଶ୍ବକୁ ବିପର୍ଯ୍ୟୟ ମୁକାବିଲାର କଳା ଶିଖାଉଥିବା ଓଡ଼ିଶା ।
ସମୁଦ୍ରର ସୁସୁ ଶବ୍ଦ କାନରେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠେ । ମନେ ପଡିଯାଏ ୧୯୯୯ ମହାବାତ୍ୟାର ସେ କରାଳ ରୂପ । କେମିତି ସେଦିନ ସମୁଦ୍ରରୁ ମାଡ଼ି ଆସିଥିଲା ପାହାଡ ଉଚ୍ଚାର ପାଣି । କେମିତି ଭଡଭାଡ ଭାଙ୍ଗି ପକାଇଥିଲା ଲକ୍ଷାଧିକ ଗଛ । କେମିତି ତାସ ଘର ଭଳି ଭୁଶୁଡି ପଡିଥିଲା ହଜାରହଜାର ଘର । ଭାସିଯାଇ ଥିଲା ଜନବସତି। ସମୁଦ୍ରରେ ମିଶିଯାଇଥିଲା ଗୋଟା ଗୋଟା ଗାଁ । କେମିତି ରାତାରାତି ଛିଡା ହୋଇଯାଇଥିଲା ଶବର ପାହାଡ଼ । କେମିତି କେଇ ଘଣ୍ଟା ଭିତରେ ଓଡ଼ିଶା ଭୂମି ପାଲଟିଥିଲା ଶ୍ମଶାନ ।
ଦୀର୍ଘ ୨୬ ବର୍ଷ ତଳେ ନିଜ ଛାତିରେ ମହାବାତ୍ୟାର ଭୟାନକ କହର ସହିଥିବା ଓଡ଼ିଶା ସେଦିନ ପଣ କରିଥିଲା ପ୍ରକୃତିର କୋପର ଉଚିତ ମୁକାବିଲା କରିବାକୁ। କାରଣ ଏକ ଉପକୂଳବର୍ତ୍ତୀ ରାଜ୍ୟ ଭାବେ ଝଡ଼ବାତ୍ୟାକୁ ସମ୍ପୂର୍ଣ୍ଣ ଏଡାଇବା ଯେ ସମ୍ପୂର୍ଣ୍ଣ ଅସମ୍ଭବ ତାହା ଓଡ଼ିଶା ବେଶ ବୁଝିସାରିଥିଲା । ଓଡ଼ିଶା ଏହା ମଧ୍ୟ ବୁଝି ସାରିଥିଲା ଯେ, ପ୍ରକୃତିର ଇଚ୍ଛା ସମ୍ମୁଖରେ ବା କାହାର ଜୋର ଅଛି, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା କିଛି ଅସମ୍ଭବ ନୁହେଁ । ଯାହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ ମୁକାବିଲା ନେଇ ଏକ ମଜବୁତ ରାଜ୍ୟ ଗଠନର ବିଶାଳ ସଂଘର୍ଷ । ଆଉ ଏ ସଂଘର୍ଷ ସୀମାନ୍ତରେ ହେଉଥିବା ଯୁଦ୍ଧଠାରୁ କୌଣସି ପ୍ରକାରେ କମ୍ କଠିନ ନଥିଲା । ତଥାପି ପାଇକ ମାଟିର ସନ୍ତାନ ଏ କଠିନତା ସମ୍ମୁଖରେ ହାର ମାନି ନ ଥିଲେ ।
ବତ୍ୟା ସମ୍ଭାବନା, ତାହାର ପ୍ରକାର ଓ ଭୟାବହତାର ପୂର୍ବାନୁମାନ କରିବାର କଳାନିପୁଣତାରେ ସର୍ବପ୍ରଥମେ ଓଡ଼ିଶା ନିଜକୁ ପାରଦର୍ଶି କରିଥିଲା। ପରେପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହିତ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା । ଜିରୋ କାଜୁଆଲିଟି ଅର୍ଥାତ ବାତ୍ୟା କାରଣରୁ ଅଥବା ସମୟରେ ଯେଭଳି ଜଣେ ମଧ୍ୟ ବ୍ୟକ୍ତିଙ୍କର ମୃତ୍ୟୁ ନଘଟେ ସେଥିନେଇ ମିଶନ ମୋଡରେ କାର୍ଯ୍ୟ କରିବାର ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ପ୍ରସ୍ତୁତ କରାଯାଇଥିଲା ଦକ୍ଷ ବିପର୍ଯ୍ୟୟ ମୁକାବିଲା ଟିମ୍ । ଗାଁଗାଁରେ ଘରେ ଘରେ ଲୋକେ ବାତ୍ୟା ମୁକାବିଲା ପାଇଁ କାନ୍ଧରେ କାନ୍ଧ ମିଶାଇ ଏକଜୁଟ ହେଲେ । ପ୍ରକୃତିର ରୋଷ ସମ୍ମୁଖରେ ନିର୍ମାଣ ଚାଲିଥିଲା ଏକ ବିଶାଳ ମାନବ ସେନା । ଏମିତି ସେନା ଯାହାକି ସଚେତନତା ଓ ପ୍ରର୍ବପ୍ରସ୍ତୁତିର ଅସ୍ତ୍ରରେ ବାତ୍ୟା ମହାବାତ୍ୟା ଭଳି ଭୟଙ୍କର ପ୍ରକୃତିକ ବିପର୍ଯ୍ୟୟର ପ୍ରକୋପକୁ ପରାହତ କରିବାର କ୍ଷମତା ରଖୁଥିଲା । ୧୯୯୯ ପରେ ପରେ ଫାଇଲିନ, ଅମ୍ଫନ, ଫଣି, ତିତଲି, ହୁଡହୁଡ ଭଳି ଅନେକ ବାତ୍ୟା ଓଡ଼ିଶା ଛାତି ଦେଇ ଅତିକ୍ରମ କରିଯାଇଛି, କିନ୍ତୁ ମହାବାତ୍ୟା ଭଳି ମୃତ୍ୟୁର ତାଣ୍ଡବ ରଚିବାର ଆଉ ସେ ସୁଯୋଗ ପାଇନାହିଁ ପ୍ରକୃତି ।
ପ୍ରକୃତିର କହରକୁ ଗୌଣ କରିବାରରେ ୨୫ ବର୍ଷ ଧରି ଓଡ଼ିଶାର ସେ ଉପାସନା, ସେ ସଂଘର୍ଷ, ସେ ପ୍ରତିବଦ୍ଧତାକୁ ଆଜି ବିଶ୍ବ ମଧ୍ୟ ସଲାମ କରୁଛି । ଆଉ ଓଡ଼ିଶାଠୁ ଶିଖୁଛି ବିପର୍ଯ୍ୟୟରୁ ଆତ୍ମରକ୍ଷାର କଳା ।