
ନୂଆଦିଲ୍ଲୀ : ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ମିଳିଛି ଏହାର ନୂତନ ମୁଖ୍ୟାଳୟ। ଦଳୀୟ କାର୍ଯ୍ୟାଳୟକୁ କୋଟଲା ସ୍ଥିତ ଇନ୍ଦିରାଗାନ୍ଧୀ ଭବନକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୨୪, ଅକବର ରୋଡରେ ୪୭ ବର୍ଷ ଧରି ଦଳର ରାଜୁତି ଶେଷ ହୋଇଛି। ଦଳର ପ୍ରମୁଖ ନେତା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦଳର ନୂତନ ମୁଖ୍ୟାଳୟର ଉଦ୍ଘାଟନ କରିଥିଲେ। ଏହି ମୁଖ୍ୟ କାର୍ଯ୍ୟାଳୟକୁ ଇନ୍ଦିରା ଭବନ ନାମରେ ନାମିତ କରାଯାଇଛି। ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଫଟୋ ରାହୁଲ ସୋସିଆଲ ସାଇଟ୍ ଏକ୍ସରେ ଶେୟାର କରିଛନ୍ତି। ଉଲ୍ଲେଖ ଯେ ଦୀର୍ଘ ୪୭ ବର୍ଷ ଧରି କଂଗ୍ରେସ ୨୪ ଆକବର ରୋଡରେ ଏହାର ମୁଖ୍ୟାଳୟ ପରିଚାଳନା କରୁଥିଲା। କଂଗ୍ରେସ ଏହାର ନୂତନ ମୁଖ୍ୟାଳୟକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିବା ନେଇ ବିଜେପି ସମାଲୋଚନା କରିଛି। କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମ୍ମାନ ପ୍ରସଙ୍ଗ ଉଠାଉଥିବା ବେଳେ ତାଙ୍କ ନାମରେ କାର୍ଯ୍ୟାଳୟ ସ୍ଥାପନ ନ କରି ତାଙ୍କୁ ଅସମ୍ମାନ କରିଥିବା ବିଜେପି ପକ୍ଷରୁ ଦର୍ଶାଯାଇଛି।