ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ । ଏହି ଯୋଜନାର ମୁଖ୍ୟ ବିଶେଷତ୍ୱ ଗୁଡ଼ିକ ହେଲା:
- ଓଟିଏସ ଯୋଜନା ପ୍ରତ୍ୟେକ ଆର୍ଥିକ ବର୍ଷରେ ଏପ୍ରିଲ ୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ କାର୍ଯ୍ୟକାରୀ ହେବ ।
- ୨୦୨୫-୨୬ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଓଟିଏସ ଯୋଜନା ପାଇଁ କଟ୍ ଅଫ୍ ତାରିଖ ୩୧.୦୩.୨୦୨୩ ସ୍ଥିର କରାଯାଇଛି । କଟ୍-ଅଫ୍ ତାରିଖ ସୁଦ୍ଧା ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆ ଯାଇଥିବା ସମସ୍ତ ଋଣ, ଯାହାକି ଡିଫଲ୍ଟ କିମ୍ବା କ୍ଷତି ସମ୍ପତ୍ତିର ରୂପ ନେଇଛି ତାହା ଓଟିଏସ୍ ପାଇଁ ଯୋଗ୍ୟ ବିବେଚିତ ହେବ ।
- ପାକସ୍/ଲାମ୍ପସ ଦ୍ୱାରା ଦିଆଯାଇଥିବା ସ୍ୱଳ୍ପକାଳୀନ ଫସଲ ଋଣ, ସମ୍ପୂର୍ଣ୍ଣ ସୁରକ୍ଷିତ ଋଣ, ସୁନା ଋଣ, ଟାଇ-ଅପ୍ ବ୍ୟବସ୍ଥା ଅଧୀନରେ ଋଣ ଏବଂ ଇଚ୍ଛାକୃତ ଖିଲାପକାରୀ ନେଇଥିବା ଋଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ ନାହିଁ ।
- ଋଣଗ୍ରହୀତାଙ୍କ ଯୋଗ୍ୟତା ଯାଞ୍ଚ କରିବା ପାଇଁ ପ୍ରତ୍ୟେକ ବ୍ୟାଙ୍କ ଦ୍ୱାରା ଏକ ସ୍କ୍ରିନିଂ କମିଟି ଗଠନ କରାଯିବ ।
- ସମସ୍ତ ଯୋଗ୍ୟ ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ ବ୍ୟାଙ୍କର ବ୍ୟକ୍ତିଗତ ଅଧିକାରୀମାନଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯିବ । ଏହି ପ୍ରସ୍ତାବ ପରବର୍ତ୍ତୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମୀକ୍ଷା କରାଯିବ ।
- ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୁକ୍ ଲିଆବିଲିଟି ଥିବା ଋଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ । ପାକସ୍ ପାଇଁ ଏହି ସୀମା 3 ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।
- ସମ୍ପତ୍ତିଗୁଡ଼ିକର ଆକାର ଏବଂ ଗୁଣବତ୍ତା ଅନୁଯାୟୀ ସେଗୁଡିକୁ ବିଭିନ୍ନ ବିଭାଗରେ ଭାଗ କରାଯାଇଛି ଏବଂ ସେହି ଅନୁଯାୟୀ ଆପୋଷ ବୁଝାମଣା ସୂତ୍ରର ପରାମର୍ଶ ଦିଆଯାଇଛି ।
- ଯେକୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ ଅନ୍ତର୍ଭୁକ୍ତ ଋଣ ମଧ୍ୟ ଏହି ଯୋଜନା ଅଧୀନରେ ସମାଧାନ ପାଇଁ ବିଚାର କରାଯାଇପାରେ ।
- କୌଣସି ଋଣଗ୍ରହୀତା ଓଟିଏସ୍ କୁ ନିଜର ଅଧିକାର ଭାବେ ଦାବି କରିପାରିବେ ନାହିଁ । ଋଣଗ୍ରହୀତାଙ୍କ ଓଟିଏସ ପ୍ରସ୍ତାବକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ବ୍ୟାଙ୍କ ଉପରେ ନିର୍ଭରଶୀଳ ।
- ଓଟିଏସ୍ ର ସୁବିଧା ନେଉଥିବା ବ୍ୟକ୍ତି ତାଙ୍କର ପୂର୍ବ ଋଣର ଚୂଡ଼ାନ୍ତ ସମାଧାନ ପରେ ସର୍ବନିମ୍ନ 3 ବର୍ଷ ପର୍ଯ୍ୟନ୍ତ ନୂଆ ଋଣ ପାଇଁ ଯୋଗ୍ୟ ହେବେ ନାହିଁ ।
- ଏହି ଯୋଜନା ଅଧୀନରେ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା ରହିଛି । ଯୋଜନାର ଅଧିକ ସଂଶୋଧନ ପାଇଁ ଓ ସମୀକ୍ଷା ନିମନ୍ତେ ଏହି ଯୋଜନା ଖୋଲା ରଖାଯାଇଛି । ଅର୍ଥାତ ବ୍ୟାଙ୍କ ଯେ କୌଣସି ଗଠନମୂଳକ ପରାମର୍ଶ ଦେଲେ, ତାହା ବିଚାର କରାଯାଇ ଗ୍ରହଣ କରାଯିବ ।
ଦୀର୍ଘ ଦିନ ଧରି ଓଟିଏସ ଯୋଜନା ଉପଲବ୍ଧ ନଥିବାରୁ ସମବାୟ ବ୍ୟାଙ୍କଗୁଡ଼ିକର ବ୍ୟାଡ୍ ଲୋନ୍, ମୋଟ ଅନାଦେୟ ସମ୍ପତ୍ତି/ଋଣ ବହୁତ ବଢିଯାଇଥିଲା। ଏହି ପଦକ୍ଷେପ ଦ୍ଵାରା ଏହି ସମସ୍ୟାରେ ସମାଧାନ ଆସିବ । ସମବାୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ କ୍ଲିନ କରିବା ସହ ସମ୍ପତ୍ତି ଗୁଣବତ୍ତାରେ ଉନ୍ନତି ଆଣିପାରିବେ ।