ଖୁବଶୀଘ୍ର ଓଡ଼ିଶା ରାଜନୀତିରେ ହେବ ନୂଆ ଦଳର ଏଣ୍ଟ୍ରି । କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ନିଜେ ଏକ ଦଳ ଗଠନ କରିବାକୁ ଯାଉଛନ୍ତି ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏ ନେଇ ସେ ମଙ୍ଗଳବାର ଦୁଇଟି ସମ୍ଭାବ୍ୟ ନାମ ଘୋଷଣା କରିଛନ୍ତି। ମୋକିମଙ୍କ ନେତୃତ୍ୱରେ ଗଢ଼ା ହେବାକୁ ଥିବା ଏହି ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ କିମ୍ବା ‘ଓଡ଼ିଶା ଲୋକ କଂଗ୍ରେସ’ ରଖାଯାଇପାରେ । ଏହା ଉପରେ ମାର୍ଚ୍ଚ ଶେଷ ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମୋକିମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ ମୋକିମ । ଏ ନେଇ ଜାନୁଆାରୀ ୩୦ରେ ବିଶାଳ ମହିଳା ସମାବେଶ ଓ ଫେବୃଆରୀ ୫ରେ ଚାଷୀ ସମାବେଶର ଆୟୋଜନ କରାଯାଇଛି । ମୋକିମ ଭଲ ଭାବେ ଜାଣନ୍ତି ଯେ ଓଡ଼ିଶା ପଲିଟିକସରେ ମହିଳା ଓ ଚାଷୀ ଭୋଟରଙ୍କ ସମର୍ଥନ କେତେ ଜରୁରୀ । ଏହାକୁ ଦୃଷ୍ଟିରେ ରଖି ଏହି ସମାବେଶର ଆୟୋଜନ କରାଯାଇଛି । ଯାହାପରେ ମାର୍ଚ୍ଚ ଶେଷ ସପ୍ତାହରେ ଆନୁଷ୍ଠାନିକ ଭାବେ ନୂଆ ଦଳର ନାମ ଘୋଷଣା କରାଯିବ । ବିଭିନ୍ନ କାରଣରୁ ଅନେକ ନେତା ନିଜ ଦଳ ଛାଡୁଛନ୍ତି। ଯେଉଁମାନେ ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ନୂଆ ଦଳରେ ସାମିଲ ହେବାକୁ ଆଗ୍ରହୀ, ସେମାନଙ୍କୁ ସେ ସ୍ୱାଗତ କରିବେ ବୋଲି ମୋକିମ କହିଛନ୍ତି ।