ଭେନେଜୁଏଲା ରାଜଧାନୀ କାରାକାସର ପଶ୍ଚିମରେ ଥିବା ୪ଟି ସହରରେ ବୋମାମାଡ ହୋଇଛି । ଫୋର୍ଟ ଟୁନା ଏବଂ ଲା କାର୍ଲୋଟା ସାମରିକ ଘାଟିରେ ବିସ୍ଫୋରଣ ଘଟିଛି। ମିରାଣ୍ଡା, ଆରାଗୁଆ ଏବଂ ଲା ଗୁଆଇରାରେ ମଧ୍ୟ ବିସ୍ଫୋରଣ ହୋଇଛି । ହିଗୁଏରୋଟ୍ ବିମାନବନ୍ଦରରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଭେନେଜୁଏଲା ସରକାର ଆମେରିକାକୁ ଏହାର ନାଗରିକ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରିଛି।
ମାଦୁରୋ ସରକାର କହିଛନ୍ତି ଯେ, ଭେନେଜୁଏଲାକୁ ଭୟଭୀତ କରିବା ଏବଂ ଧମକ ଦେବା ପାଇଁ ଆମେରିକାର ଏପରି ପ୍ରୟାସ କଦାପି ସଫଳ ହେବ ନାହିଁ। ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଦେଶରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
ଶନିବାର ସକାଳେ ଭେନେଜୁଏଲାର ରାଜଧାନୀ କାରାକାସରେ ଅନେକ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା । ରଏଟର୍ସ ଅନୁଯାୟୀ, କାରାକାସ ଉପରେ ବିମାନ ଦ୍ୱାରା ବୋମା ପକାଯାଇଥିଲା । ବିସ୍ଫୋରଣ କାରଣରୁ ବଡ ବଡ କୋଠାଗୁଡ଼ିକ ଥରିଥିଲା । ସହର ଉପରେ ଧୂଆଁର ଆସ୍ତରଣ ଉଠିଥିଲା। ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଅତି କମରେ ସାତଟି ବିସ୍ଫୋରଣ ଶୁଣିବାକୁ ମିଳିଛି । ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ଭିସ୍ଫୋରଣ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଭେନେଜୁଏଲାର ଉପରାଷ୍ଟ୍ରପତି ଦାବି କରିଛନ୍ତି ଯେ, ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ବର୍ତ୍ତମାନ ନିଖୋଜ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାର୍ବଜନୀନ ଭାବରେ ଦାବି କରିବା ପରେ ଏକ ବିବୃତ୍ତି ଆସିଛି ଯେଉଁଥିରେ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖାଯାଇଛି।