ଭୁବନେଶ୍ବର: ଭରପୂର ସବୁଜିମା ସୃଷ୍ଟି ଦ୍ବାରା ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବର ମୁକାବିଲା ସମ୍ଭବ। ଏହି ଲକ୍ଷ୍ୟ ନେଇ ସମ୍ପୂର୍ଣ୍ଣ ରାଜ୍ୟରେ ବନୀକରଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି। କିନ୍ତୁ ବାସ୍ତବରେ ଜଙ୍ଗଲ ବଢୁଛି ନା କେବଳ ଖାତା କଲମରେ ଚାଲିଛି ବନୀକରଣ କାର୍ଯ୍ୟ? ସେ ନେଇ ବିଧାୟିକା ଉପାସନା ମହାପାତ୍ର ଆଜି ବିଧାନସଭାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ଏହା ଉପରେ ଜବାବ ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଗତ ୫ ବର୍ଷର ବନୀକରଣ ବାବଦ ଖର୍ଚ୍ଚକୁ ନେଇ ଏକ ଲିଖିତ ଉତ୍ତର ରଖିଛନ୍ତି। ଏହି ଜବାବ ବିଗତ ବର୍ଷଗୁଡିକରେ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ଲିଖିତ ଜବାବ ଅନୁସାରେ, ବିଗତ ୫ ବର୍ଷ ମଧ୍ୟରେ ବନୀକରଣ ବାବଦରେ ୧୯୦ କୋଟି୧୦ ଲକ୍ଷ ୨୬ ହଜାର ୩୫୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ସେଥିମଧ୍ୟରୁ କେବଳ ୧୫୫ କୋଟି ୧୧ ଲକ୍ଷ ୪୩ ହଜାର ୬୭୦ ଟଙ୍କା ବ୍ୟୟରେ ବିଭିନ୍ନ ଜିଲ୍ଲାରେ ଚାରା ରୋପଣ କରାଯାଇଥିଲା। ଏହି ସମୟ ମଧ୍ୟରେ ବ୍ଲକ ଅଞ୍ଚଳରେ ମୋଟ ୮ ଲକ୍ଷ ୯୬ ହଜାର ୨୦୭ଟି ଏବଂ ପଥପାର୍ଶ୍ବରେ ୧୩ ଲକ୍ଷ ୯୭ ହଜାର୨୧୯ଟି ଚାରା ରୋପଣ କରାଯାଇଛି। ରୋପଣ କରାଯାଇଥିବା ଚାରାଗୁଡିକ ମଧ୍ୟରୁ ପାଖାପାଖି ୫% ଚାରା ନଷ୍ଟ ହୋଇଥିବା ଯଦିଓ ରିପୋର୍ଟରେ ଦର୍ଶାଯାଇଛି, ତଥାପି ତାହାର ସତ୍ୟାସତ୍ୟ ଅନୁସନ୍ଧାନ ଯୋଗ୍ୟ। ଅନ୍ୟପଟେ ଯୋଜନା ବାବଦ ଟଙ୍କା ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇ ପାରି ନଥିବା ତଥ୍ୟରୁ ଜଣାପଡିଛି।
ସେହିଭଳି କେବଳ ବଡ଼ମ୍ବା ଓ ନରସିଂହ ପୁର ବ୍ଲକରେ ବିଗତ ୧୦ ବର୍ଷ ମଧ୍ୟରେ ଏମଜିଏନଆରଇଜିଏ ଯୋଜନା ଅଧୀନରେ ବନୀକରଣ କାର୍ଯ୍ୟର ସଫଳ ରୂପାୟନ ନେଇ ବଡ଼ମ୍ବା ସ୍ଵାଧୀନ ବିଧାୟକ ବିଜୟ କୁମାର ଦଳବେହେରା ଏକ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଶ୍ରୀ ଖୁଣ୍ଟିଆ ଦର୍ଶାଇଛନ୍ତି ଯେ, ଏହି ଦୁଇ ବ୍ଲକ ଅଞ୍ଚଳରେ ମୋଟ ୩.୯୬ ଲକ୍ଷ ଚାରା ରୋପଣ କରାଯାଇଛି। ଏ ନେଇ ମୋଟ ୨୮୭.୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୧୦୫ ହେକ୍ଟର ସଘନ ବନୀକରଣ, ୮୦୦ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏବଂ ୩୧୨ କି.ମି. ପଥପାର୍ଶ୍ବ ବନୀକରଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡ଼ି ସରକାର କ୍ଷମତାରେ ଥିଲା। ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟ ସରକାର ବନୀକରଣ ବାବଦ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ପୂର୍ବକ ନୂତନ ଜଙ୍ଗଲ ସୃଷ୍ଟିରେ ବିଫଳ ହୋଇଛନ୍ତି। ୨୦୨୪ ଏପ୍ରିଲ ପରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବା ବେଳେ ଏହି ଯୋଜନାର ସଫଲ ରୂପାୟନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି।