ଭୁବନେଶ୍ବର (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଜନିତ ପ୍ରାକୃତିକ ବିପର୍ଯ୍ୟୟର ବହୁଳତା ମଧ୍ୟରେ ଓଡ଼ିଶା ପାଲଟିଛି ବାତ୍ୟାର ମୁହାଣ। ପ୍ରତିବର୍ଷ ଓଡ଼ିଶାକୁ ଧ୍ବସ୍ତ ବିଧ୍ବସ୍ତ କରୁଛି ବାତ୍ୟା। ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜଙ୍ଗଲର ଭରଣା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଭରଣାମୂଳକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ (କାମ୍ପା)’ ପାଣ୍ଠିର ବିନିଯୋଗ ପୂର୍ବକ ବ୍ୟାପକ ବନୀକରଣ କାର୍ଯ୍ୟ କରାଯାଇଛି। ଏ ବାବଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମ୍ପା ଯୋଜନା ଅଧିନରେ ମୋଟ ୧୧୬୭.୫୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି।
ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ କାମ୍ପା ଯୋଜନା ମାଧ୍ୟମରେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟ ପାଇଁ ସମୁଦାୟ ୩୧,୭୦,୦୨୫ ଟଙ୍କାର ବ୍ୟୟ ବରାଦ ରହିଛି। ଏଥିସହ ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ କାମ୍ପା ଯୋଜନା ମାଧ୍ୟମରେ ଏକ ବନରକ୍ଷୀ ଆବାସ ଗୃହ ନିର୍ମାଣ ନିମନ୍ତେ ମୋଟ ୧୯ଲକ୍ଷ ୫୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଚାନ୍ଦିପୁରରେ ୫.୪୧୭୪୫ ଲକ୍ଷ ଟଙ୍କା ବିନିମୟରେ ୨.୫ ହେକ୍ଟର ଜମିରେ ଚାରା ରୋପଣ କରାଯାଇଥିବା େବଳେ ତାହା ଶତପ୍ରତିଶତ ସଫଳ ହୋଇଛି। ସେହିଭଳି ୨୧.୬୭୩୮ ଲକ୍ଷ ଟଙ୍କା ବିନିଯୋଗରେ ୧୦ ହେକ୍ଟର ଜମିରେ ଝାଉଁ ଚାରା ରୋପଣ କରାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେଗ୍ୟଯେ, ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟର ମୁକାବିଲା ନିମନ୍ତେ କାମ୍ପା ପାଣ୍ଠିର ବିନିଯୋଗ କରି କିକି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାୟକ ମାନସ କୁମାର ଦତ୍ତ ଆଜି ବିଧାନସଭାରେ ଉଠାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ପରିବେଶ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।