ମହୁରୀ ରାଜ୍ୟ କେରାଣ୍ଡିମାଳ ପର୍ବତଠାରୁ ଆଧୁନିକ ବ୍ରହ୍ମପୁରକୁ ଲାଗିଥିବା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ରାଜା ପ୍ରତିଦିନ ଅଷ୍ଟଶମ୍ଭୁଙ୍କୁ ପୂଜା କରୁଥିଲେ । ରାଜାଙ୍କର ଇଷ୍ଟଦେବୀ ମା’କାଳୁଆଙ୍କ ପ୍ରଦତ୍ତ ଖଣ୍ଡା ଧରି ସେ ଅଷ୍ଟଶମ୍ଭୁଙ୍କୁ ପ୍ରାତ୍ୟହିକ ଦର୍ଶନ କରିସାରିବା ପରେ ମା’ଙ୍କୁ ଦର୍ଶନ କରି ବ୍ରହ୍ମପୁରର ରାଜାସାହିସ୍ଥ ଉଆସରେ ପହଞ୍ଚି ରାଜକାର୍ଯ୍ୟ ପରିଚାଳନା କରୁଥିଲେ । କିମ୍ବଦନ୍ତୀ ଅନୁସାରେ ରାଜାଙ୍କୁ ପ୍ରତିଦିନ ୨୦ରୁ ୨୫କିଲୋମିଟର ଘୋଡାରେ ଦୌଡ଼ିବାକୁ ପଡୁଥିଲା । ରାଜା ବ୍ୟବସାୟ ସହିତ ପ୍ରଶାସନ ସଂପର୍କୀୟ କାର୍ଯ୍ୟରେ ତାଙ୍କର ଦାକ୍ଷିଣାତ୍ୟ ସହିତ ଉତ୍ତମ ସଂପର୍କ ଥିଲା । ରାଜାଙ୍କ ଶାସନ ପୂର୍ବରୁ ହିଁ ବ୍ରହ୍ମପୁର ଠାକୁରାଣୀ ଗ୍ରାମଦେବତୀ ରୂପେ ବ୍ରହ୍ମପୁରରେ ପୂଜା ପାଇଆସୁଥିଲେ । ମା’ ବୁଢ଼ୀ ଠାକୁରାଣୀ ଲୋକଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଥିଲେ । ରାଜାଙ୍କ ଦାକ୍ଷିଣାତ୍ୟ ସଂପର୍କ ଯୋଗୁଁ ବର୍ତ୍ତମାନ ପ୍ରଚଳିତ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଆରମ୍ଭ ବୋଲି କୁହାଯାଏ । ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ସମୟରେ ରାଜା ଦାକ୍ଷିଣାତ୍ୟ ଯାଇ, ରାଜ ମହେନ୍ଦ୍ରୀ ରାଜାଙ୍କ ଆତିଥେୟତା ଗ୍ରହଣ କରି ପାଟପଗଡ଼ି ଗ୍ରହଣ କରୁଥିଲେ । ରାଜ ମହେନ୍ଦ୍ରୀ ରାଜା ମହୁରୀ ରାଜାଙ୍କୁ ଉଭୟ ରାଜ୍ୟ ମଧ୍ୟରେ ଥିବା ସଂପର୍କକୁ ଆହୁରି ନିବିଡ଼ କରିବା ଉଦ୍ଦେଶ୍ୟରେ ପାଟପଗଡ଼ି ଓ ଉତ୍ତରୀୟ ଉପଢୌକନ ହିସାବରେ ଦେଇଥିଲେ । ସେତେବେଳେ ସମୟ ଥିଲା ଚୈତ୍ର- ବୈଶାଖର ସମୟ । ସେଠାରେ ମା’ଙ୍କର ଘଟଯାତ୍ରା ଚାଲିଥିଲା । ଶହ ଶହ ମହିଳାଙ୍କୁ ଏହି ଘଟଯାତ୍ରାରେ ଯୋଗଦେବାର ଦେଖି ମହୁରୀ ରାଜା ଜିଜ୍ଞାସା କରନ୍ତେ ଏହି ଯାତ୍ରା ସେହି ପାଟପଗଡ଼ି ବୁଣାକାରମାନଙ୍କ ସଂପ୍ରଦାୟ ବା ଦେବାଙ୍ଗ ସଂପ୍ରଦାୟର ଲୋକଙ୍କଦ୍ୱାରା ଅନୁଷ୍ଠିତ ହେଉଛି ବୋଲି ରାଜମହେନ୍ଦ୍ରୀ ରାଜା କହିଥିଲେ । ମହୁରୀ ରାଜା ତାଙ୍କୁ ତାଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କର ବ୍ରହ୍ମପୁର ଫେରିବା ସମୟରେ ଏହି ଦେବାଙ୍ଗ ସଂପ୍ରଦାୟର କିଛି ଲୋକଙ୍କୁ ତାଙ୍କ ସହିତ ପଠାଇବା ପାଇଁ । ଦେବାଙ୍ଗ ସଂପ୍ରଦାୟର ଲୋକେ ବ୍ରହ୍ମପୁର ଆସିଲେ ଏବଂ ସେମାନଙ୍କ ଉଦ୍ୟମରେ ବ୍ରହ୍ମପୁରୀ ପାଟବୁଣା ଓ ବ୍ରହ୍ମପୁରର ପ୍ରସିଦ୍ଧ ଘଟଯାତ୍ରା ପରମ୍ପରା ଆରମ୍ଭ ହେଲା । ଆଉ ଏହିଯାତ୍ରାର ମୁଖ୍ୟ ହେଲେ ଦେବାଙ୍ଗ ( ବା ଓଡ଼ିଶାରେ କୁହାଯାଉଥିବା ଡେରା ସଂପ୍ରଦାୟ ) ସଂପ୍ରଦାୟର ମୁଖ୍ୟ ତଥା ଅଠର ଖଣ୍ଡ ପାଟର ସେନାପତି ‘ଦେଶୀବେହେରା’ ।