ମାଉସୀ ମା’ ମନ୍ଦିର (ମାଉସୀମା ଦେଉଳ ଓ ଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) ପୁରୀଠାରେ ଥିବା ଏକ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ ।

ଆଗେ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି । ମା ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି । ମାଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି । ସେ ଦ୍ୱିଭୂଜା, ଦୁଇ ପାଖରେ ଅଛନ୍ତି ଦୁଇ ପାର୍ଶ୍ୱଦେବୀ ଛାୟା ଓ ମାୟା । ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି ।