ଭାଙ୍ଗିଲା ନିରାଶ ଟ୍ରମ୍ପଙ୍କ ନୋବେଲ ସ୍ବପ୍ନ । ଟ୍ରମ୍ପଙ୍କ ନାକ ତଳୁ ନୋବେଲ ଟ୍ରଫି ଉଡାଇ ନେଇଛନ୍ତି ତାଙ୍କ ଶତ୍ରୁ ଦେଶ ଭେନେଜୁଏଲାର ନେତ୍ରୀ ମାରିଆ କୋରିନା ମାଚାଡୋ । ୮ଟି ଯୁଦ୍ଧ ବନ୍ଦ କରାଇଥିବାର ଦାବି କରୁଥିବା ଟ୍ରମ୍ପଙ୍କୁ କାହିଁକି ମିଳିଲା ନାହିଁ ନୋବେଲ । ଆଜିର ଭିଡିଓରେ ଆମେ ଆପଣଙ୍କୁ ଦେଖାଇବୁ କାହିଁକି ଅପୂରଣୀୟ ରହିଗଲା ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବପ୍ନ ।
ବାସ୍ତବରେ ଟ୍ରମ୍ପଙ୍କ ପୂର୍ବରୁ ୪ ଜଣ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଏହି ପୁରସ୍କାର ଲାଭ କରିଛନ୍ତି, ସିଏବି କ୍ଷମତାରେ ଥାଇ । ୨୦୦୯ ମସିହାରେ ବାରାକ ଓବାମା, ୨୦୦୨ ମସିହାରେ ଜିମି କାର୍ଟର, ୧୯୧୯ ମସିହାରେ ଉଡ୍ରୋ ୱିଲସନ୍ ଏବଂ ୧୯୦୬ ମସିହାରେ ଥିଓଡୋର ରୁଜଭେଲ୍ଟ। କାର୍ଟରଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଦାୟିତ୍ବରେ ଥିବା ସମୟରେ ନୋବେଲ ପୁରସ୍କାର ଜିତିଥିଲେ । ଓବାମା ତ ପଦ ଗ୍ରହଣ କରିବାର ଆଠ ମାସରୁ କମ୍ ସମୟ ମଧ୍ୟରେ ନୋବେଲ ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲେ । ଏମିତିରେ ନିଜ ନାମରେ ଏହି ରେକର୍ଡ କରିବାକୁ ଟ୍ରମ୍ପ ଲାଳୟିତ ଥିଲେ । ମାତ୍ର ନୋବେଲ କମିଟି ଟ୍ରମ୍ପଙ୍କର ଏହି ସ୍ବପ୍ନ ଧୂଳିସାତ କରିଦେଇଛି । ଯାହାକୁ ନେଇ ଖାଲି ଟ୍ରମ୍ପ ନୁହେଁ ଏବେ ହ୍ବାଇଟ ହାଉସ ମଧ୍ୟ ରାଗ ତମତମ ହୋଇ ପ୍ରତିକ୍ରିୟା ପ୍ରକାଶ କରିଛି । ହ୍ବାଇଟ ହାଉସ ପକ୍ଷରୁ କଣ କୁହାଯାଇଛି ଶୁଣନ୍ତୁ ।
ହ୍ୱାଇଟ୍ ହାଉସ୍ ମୁଖପାତ୍ର ଷ୍ଟିଭେନ୍ ଚିଉଙ୍ଗ୍ ଇନ୍ ଷ୍ଟାଗ୍ରାମ୍ରେ ଲେଖିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ୍ ଶାନ୍ତି ପାଇଁ ମଧ୍ୟସ୍ଥତା ଜାରି ରଖିବେ। ଯୁଦ୍ଧ ବନ୍ଦ କରାଇ ଜୀବନ ରକ୍ଷା କରିବା ନେଇ ତାଙ୍କର ମାନବିକ ହୃଦୟ ଅଛି। ଏଥିସହ ନୋବେଲ୍ କମିଟି ରାଜନୀତିକୁ ଶାନ୍ତିଠାରୁ ଅଧିକ ଗୁରୁତ୍ୱ ଦେଉଥିବା ପ୍ରମାଣ କରିଛି ବୋଲି କହିବାକୁ ମଧ୍ୟ ସେ ପଛାଇ ନାହାନ୍ତି । ହ୍ୱାଇଟ୍ ହାଉସ୍ର ଏ ପ୍ରତିକ୍ରିୟା ମଧ୍ୟ ସ୍ବାଭାବିକ ।
କାରଣ ଥରେ ନୁହେଁ କି ଦୁଇଥର ନୁହେଁ, ଦଶଦଶ ଥର ନିଜ ପାଇଁ ନୋବାଲ ପୁରସ୍କାର ଦାବି କରିଥିଲେ ଟ୍ରମ୍ପ । ୨୦୨୫ରେ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତନ୍ୟାୟୁଙ୍କ ସହିତ ସାକ୍ଷାତ ପରେ, ଅଗଷ୍ଟ ୧୮ରେ ୟୁକ୍ରେନ ଓ ୟୁରୋପୀୟ ନେତାମାନଙ୍କ ସହ ସମ୍ମିଳନୀ, ସେପ୍ଟେମ୍ବର ୨୧ର ଏକ ନୈଶ୍ୟ ଭୋଜୀରେ ଭାରତ ଓ ପାକିସ୍ତାନ ଯୁଦ୍ଧ ରୋକିଥିବା କହି, ଅକ୍ଟୋବରରେ ଠିକ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରି ସେ ନାନା କଥା କହିଥିଲେ ।
ମାତ୍ର ନୋବେଲ ପୁରସ୍କାର କମିଟି ନରଓ୍ବେଠାରେ ମାରିଆ କୋରିନା ମାଚାଡୋଙ୍କ ନାମ ଘୋଷଣା କରିବା ପରେ ଟ୍ରମ୍ପ ଏକଦମ ରାଗ ଜରଜର ହୋଇ କହିଛନ୍ତି, ସେ ୮ଟି ଯୁଦ୍ଧ ଅଟକାଇଛନ୍ତି । ତଥାପି ନୋବେଲ କମିଟି ତାଙ୍କ ନାମରେ ମୋହର ମାରିନାହିଁ । କଣ ଏ ୮ଟି ଯୁଦ୍ଧ ଦେଖନ୍ତୁ: ଟ୍ରମ୍ପଙ୍କ ଅନୁସାରେ ସେ ପ୍ରଥମ ଇସ୍ରାଏଲ ଏବଂ ଇରାନ, ରଓ୍ବାଣ୍ଡା ଓ ଆଜେରବୈଜାନ, ଥାଇଲାଣ୍ଡ ଓ କାମ୍ବୋଡିଆ, ଭାରତ ଓ ପାକିସ୍ତାନ, ଇଜିପ୍ଟ ଓ ଇଥିଓପିଆ, ସର୍ବିଆ ଓ କୋସୋଭୋ ଯୁଦ୍ଧ ଏବଂ, ରଓ୍ବାଣ୍ଡା ଓ ଗାବୋନ ସଂଘର୍ଷ । ଗାଜାରେ ସେ ଯୁଦ୍ଧବିରତି ଏବଂ ପଣବନ୍ଦି ଚୁକ୍ତି ମଧ୍ୟ ଘୋଷଣା କରିଛନ୍ତି । ନେତାନ୍ୟାହୁ, ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀର, କାମ୍ବୋଡ଼ିଆ ପ୍ରଧାନମନ୍ତ୍ରୀ ହଣ୍ଟ ମାନେଟ, ଆମେରିକା ସାଂସଦ ବଡି କାରଟର ଏବଂ ସ୍ବିଡେନ ଓ ନରଓ୍ବେର ସାଂସଦମାନେ ମଧ୍ୟ ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ସମର୍ଥନ କରିଥିଲେ ।
ଏସବୁ ସତ୍ତ୍ବେ କାହିଁକି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଗଲା ନାହିଁ ? ନରଓ୍ବେର ଏକ ଦୈନିକ ଖବର କାଗଜ ଅନୁସାରେ ଗାଜା ଚୁକ୍ତି ଘୋଷଣା ପୂର୍ବରୁ ହିଁ ନୋବେଲ କମିଟି ଏହାର ନିଷ୍ପତ୍ତି ନେଇସାରିଥିଲା । ପୂର୍ବତନ ନୋବେଲ ବିଜେତାଙ୍କ ଅନୁସାରେ କମିଟି ଚଳିତ ବର୍ଷର ବିଜେତା ଚୟନ ଲାଗି ସ୍ଥାୟୀ, ଏକାଧିକ ଉଦ୍ୟମ ଏବଂ ତ୍ବରିତ କୂଟନୈତିକ ବିଜୟ ଉପରେ ଗୁରୁତ୍ବ ଦେଇଥିଲା । କିନ୍ତୁ ଟ୍ରମ୍ପ ଯେଉଁ ଯୁଦ୍ଧ ବନ୍ଦ କରାଇଥିବାର ଦାବି କରିଛନ୍ତି ସେସବୁ ଦୀର୍ଘସ୍ଥାୟୀ ଭାବେ ବନ୍ଦ ହୋଇନାହିଁ । ଅନ୍ୟପଟେ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଓହରିଯିବା ଏବଂ ଟ୍ରମ୍ପଙ୍କ ଅହେତୁକ ଶୁଳ୍କ ଲାଗୁ ନୀତି କାରଣରୁ ପ୍ରମୁଖ ଦେଶଗୁଡିକ ତାଙ୍କୁ ନୋବେଲ ପୁରସ୍କାର ପାଇଁ ସମର୍ଥନ କରି ନଥିଲେ।
ନୋବେଲ ନ ପାଇ ନିରାଶ ଟ୍ରମ୍ପ ତାଙ୍କ ଫଷ୍ଟ୍ରେସନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ କାଢିଛନ୍ତି । ସେ କହିଛନ୍ତି ଯେ, ଓବାମା କିଛି ନ କରିବା ସତ୍ତ୍ବେ ବି ତାଙ୍କୁ ବିଶ୍ବର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଛି। ଏମିତିକି ଓବାମା ଜଣେ ଭଲ ରାଷ୍ଟ୍ରପତି ନଥିଲେ ବୋଲି ସେ କହିବାକୁ ପଛାଇନାହାନ୍ତି । ଓବାମା ଭଲ ରାଷ୍ଟ୍ରପତି ଥିଲେ କି ନ ଥିଲେ ତାହା ପରେ ବିଚାର କରିବା । ବର୍ତ୍ତମାନ କଥା ହେଉଛି ଟ୍ରମ୍ପ ନିଜର ଦ୍ବିତୀୟ କାର୍ଯ୍ୟକାଳରେ ନିଜକୁ କେବଳ ଜଣେ ଲୋଭୀ ନୁହେଁ, ଅହଂକାରୀ, ଅବୁଝା ରାଷ୍ଟ୍ରପତି ଏବଂ ଜଣେ ବିଶ୍ବାସଘାତକ ବନ୍ଧୁ ଭାବେ ପ୍ରଦର୍ଶିତ କରିଛନ୍ତି । କାରଣ ବନ୍ଧୁ ବନ୍ଧୁ କହି ପହଲଗାମ ହମଲା ଓ ଟାରିଫ ପ୍ରସଙ୍ଗରେ ଭାରତ ପାଇଁ ଟ୍ରମ୍ପ ଯେଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ତାଙ୍କ ବିଶ୍ବାସଘାତକତାର ପ୍ରମାଣ ନୁହେଁ କି?