ନୂଆଦିଲ୍ଲୀ: ପବିତ୍ର ମହାକୁମ୍ଭ ମେଳାକୁ ମୃତ୍ୟୁକୁମ୍ଭ ବୋଲି କହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆ ବିବାଦ ସୃଷ୍ଟି କରିଛନ୍ତି। ବିଧାନସଭାରେ ମହାକୁମ୍ଭରେ ଦଳାଚକଟା ପ୍ରସଙ୍ଗ ଉଠାଇ ମମତା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଥିଲେ। ଏହି ବିଶାଳ ଧାର୍ମିକ ସମାବେଶ ନିମନ୍ତେ ଯୋଗୀ ସରକାରର ଆୟୋଜନରେ ବ୍ୟାପକ ତ୍ରୁଟି ରହିଥିବା ଦର୍ଶାଇ ସଦ୍ୟ ଘଟିଥିବା ଦଳାଚକଟା ଘଟଣାକୁ ସେ ରାଜନୈତିକ ରୂପ ଦେବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ବିଜେପି ମମତାଙ୍କୁ ତୀବ୍ର ସମାଲୋଚନା କରିଛି। ମମତାଙ୍କର ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ବିରୋଧୀ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଏଥିସହ ଧାର୍ମିକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ମନ୍ତବ୍ୟ ରଖିବାକୁ ସେ ମମତାଙ୍କୁ ଚେତାଇ ଦେଇଛନ୍ତି। ଏପରିକି ମମତାଙ୍କ ଏହି ମନ୍ତବ୍ୟ ଅନେକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଏହାର ଦୃଢ ପ୍ରତିବାଦ କରିବାକୁ ବିଜେପି ନେତା ସମସ୍ତ ହିନ୍ଦୁ ସମ୍ପ୍ରଦାୟ ତଥା ସନ୍ଥ ସମାଜକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ବିଧାନସଭା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରୁ ମମତା ମହାକୁମ୍ଭକୁ ମୃତ୍ୟୁକୁମ୍ଭ କହିବା ଦୁର୍ଭାଗ୍ୟଜନକ। ଏହା ହିନ୍ଦୁ ବିରୋଧୀ ତଥା ମହାକୁମ୍ଭ ବିରୋଧୀ। ତେଣୁ ଏହା ବିରୋଧରେ ସ୍ବର ଉଠାଇବାକୁ ଶ୍ରୀ ଅଧିକାରୀ ହିନ୍ଦୁ ସମୁଦାୟକୁ ଆହ୍ବାନ ଦେଇଛନ୍ତି।