ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମହାଭେଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତି। ୨୭ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସୁନିଶ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଓଡ଼ିଶାକୁ କିଛି ନିବେଶ ଆସୁଛି, ସେତେବେଳେ ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ନୀତି ଓ ନିଷ୍ଠା ପ୍ରତି ନିବେଶକ ମାନଙ୍କ ଆସ୍ଥା ବୃଦ୍ଧି ପାଉଛି । ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ କରିବା ପାଇଁ ଆମେ ବିଭିନ୍ନ ହାଇ ଭାଲ୍ୟୁ ପ୍ରଡକ୍ଟ ଉତ୍ପାଦନ ଦିଗରେ ନିବେଶକ ମାନଙ୍କୁ ଆକୃଷ୍ଟ କରୁଛୁ । ମାନୁଫାକ୍ଚରିଂ ଭାଲ୍ୟୁ ଚେନ୍ରେ ଆହୁରି ଉପରକୁ ଉଠି ସାରା ବିଶ୍ୱର ବଜାରରେ କମ୍ପିଟ୍ କରି ପାରୁଥିବା ଭଳି ପ୍ରଡକ୍ଟ ନିର୍ମାଣ କରୁଛୁ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମ ସରକାର ମାତ୍ର ୧୫ ମାସ ହେବ ଓଡିଶାର ଶାସନ ଦାୟିତ୍ୱ ନେଇଛନ୍ତି । ଏହି ଅଳ୍ପ ସମୟ ମଧ୍ୟରେ ଆମ ସରକାର ୨୬୦ ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ସମୟ ମଧ୍ୟରେ ଆମେ ୮୪ ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ । ଏହା ଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇପାରିଛି, ଏବଂ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି ।

ଶିଳ୍ପପତି ମାନଙ୍କୁ ଭରଷା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଯୁକ୍ତ ନୀତି ସହିତ ପ୍ରତ୍ୟେକ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସରକାରୀ ବ୍ୟବସ୍ଥାରେ ବ୍ୟୁରୋକ୍ରାଟିକ୍ ପ୍ରତିବନ୍ଧକକୁ ହଟାଯାଇଛି । ଶିଳ୍ପ ପ୍ରତିଷ୍ଠାର ଯାତ୍ରାରେ, ଶିଳ୍ପପତି ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ, ଆମେ ସବୁ ସମୟରେ ଉପସ୍ଥିତ ଅଛୁ । ଯେକୌଣସି ଅସୁବିଧାରେ ଶିଳ୍ପପତି ମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ଆମ ସରକାର ପ୍ରସ୍ତୁତ ଅଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଶିଳ୍ପପତି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡା, କୋରାପୁଟ ଓ ଅନୁଗୋଳ ଠାରେ ଆଭାସୀ ମାଧ୍ୟମରେ ସେ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁଥିବା ଶିଳ୍ପପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।