
ଯୁବବର୍ଗଙ୍କ ପାଇଁ ଆରମ୍ଭ ହେବ ନୂଆ ‘ସ୍ୱୟଂ’ ଯୋଜନା । ଏ ନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ମାରିଛି । ନୂଆ ସ୍ବୟଂ ଯୋଜନା ଅଧିନରେ ଯୁବବର୍ଗଙ୍କ ପାଇଁ ଏହି ସ୍ୱୟଂ ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ ସରକାର । ୧୮ରୁ ୩୫ ବର୍ଷୀୟ ଯୁବକ ଓ ଯୁବତୀ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । ଋଣ ପରିଶୋଧର ଅବଧି ରହିବ ୪ ବର୍ଷ । ଏଥିପାଇଁ ରାଜ୍ୟ ସରକାର ୪୪୮ କୋଟି ଖର୍ଚ୍ଚ କରିବେ । ସହରରେ ମଧ୍ୟ ଯୁବକ ଯୁବତୀଙ୍କ ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନା ପ୍ରଣୟନ ହେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ଝୋଟ ତିଆରି ବ୍ୟାଗ ଏବଂ ୧ ହଜାର ଟଙ୍କା ମଧ୍ୟ ଦିଆଯିବ ।