ରାଜ୍ୟ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଆଜି “ଶ୍ରମିକ ସଚେତନତା ରଥ”ର ଶୁଭାରମ୍ଭ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ହଲାଇ ଶ୍ରୀ ତ୍ରିପାଠୀ “ଶ୍ରମିକ ସଚେତନତା ରଥ”ର ଶୁଭାରମ୍ଭ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ ଏକ ମାସ ବ୍ୟାପୀ ଏହି ସଚେତନତା ଅଭିଯାନ କରାଯିବ । ଶ୍ରମିକ ସଚେତନତା ରଥ ମାଧ୍ୟମରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ କଲ୍ୟାଣ ବୋର୍ଡ ଦ୍ଵାରା ଶ୍ରମିକମାନଙ୍କ କଲ୍ୟାଣ ସାଧନ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ସଂସ୍କାର, ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି, ଶିଶୁ ଶ୍ରମିକ ଆଇନ ସମ୍ବନ୍ଧରେ ଜିଲ୍ଲାର ଶ୍ରମିକମାନେ ସଚେତନ ଓ ଅବଗତ ହେବେ ।
ଏହି ଶୁଭାରମ୍ଭ ଅବସରରେ ଅତିରିକ୍ତ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ, ଅତିରିକ୍ତ ଶ୍ରମ ଆୟୁକ୍ତ ମଦନ ମୋହନ ପାଇକ, ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ଏମ ମହାପାତ୍ର, ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର, ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ନିବେଦିତା ବିଶ୍ଵାଳ, ଜିଲ୍ଲା ଶ୍ରମ ଅଧିକାରୀ ବନାନୀ ମହାପାତ୍ର, ସୁଜିତ ପଟ୍ଟନାୟକ, ଅଜୟ କୁମାର ପ୍ରଧାନ, ବି ବି ଆଚାର୍ଯ୍ୟ, ପ୍ରଭାକର ବିଶ୍ଵାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟର ସମସ୍ତ ଜିଲ୍ଲାରେ ଏହିଭଳି ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରାଯାଇ ସଂପୃକ୍ତ ଜିଲ୍ଲାର ଶ୍ରମିକମାନଙ୍କୁ ଶ୍ରମ ବିଭାଗର କଲ୍ୟାଣମୂଳକ କାର୍ଯ୍ୟାବଳୀ ସମ୍ପର୍କରେ ସଚେତନ ଓ ଅବଗତ କରାଯିବ ।