• ୪ଟି ନଦୀ ଉପରେ ନିର୍ମାଣ ହେବ ନୂଆ ସେତୁ
• ଓଡ଼ିଶାରେ ଲାଗୁ ହେବ ଏକୀକୃତ ପେନସନ୍ ଯୋଜନା
ଭୁବନେଶ୍ବର : ସଭିଙ୍କ ମୁଣ୍ଡ ଉପରକୁ ଛାତ ଓ ପେଟକୁ ଦାନା ମିଳିବ । ଦାରିଦ୍ୟ୍ୟ ହଟିବ, ଗାଁ ହସିବ । ଓଡ଼ିଶା ପାଲଟିବ ବିକଶିତ ରାଜ୍ୟ । ଏହି ଲକ୍ଷ୍ୟ ନେଇ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମେନ୍ତ ରାଜ୍ୟ ସରକାର ନିଜର ପ୍ରତିଶ୍ରୁତି ବଦ୍ଧତା ପାଳନ ପୂର୍ବକ ରାଜ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନା ହାତକୁ ନେଇଛନ୍ତି । ଏଥିସହ ବହୁ ନୂତନ ପ୍ରକଳ୍ପ ନିର୍ମାଣ ସହିତ ବର୍ତ୍ତମାନ ବଳବତ୍ତର ଥିବା ନୀତିନିୟମରେ ସଂସ୍କାର ପାଇଁ ସୃଜନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ନେଇ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି କ୍ରମେ ଆଗାମୀ ତିନି ବର୍ଷ ମଧ୍ୟରେ ଅନ୍ତୋଦୟ ଗୃହ ଯୋଜନା ଅଧିନରେ ଅନ୍ୟୁନ୍ୟ 2, 25, 000 ନୂତନ ପକ୍କା ଘର ମଞ୍ଜୁର କରାଯିବ। ଏହି ଯୋଜନାରେ ହିତାଧିକାରୀ, (ଶୌଚାଳୟର ଅଞ୍ଚଳକୁ ହିସାବକୁ ନ ନେଇ) ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ ।
ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ।
ସେହିଭଳି ଅନ୍ତୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।
ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି । ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାର ମାନେ ଯୋଜନାରେ ଉପକୃତ ହୋଇ ପାରିବେ । ଏହି ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ରାଜ୍ୟ କ୍ୟାବିନେଟ୍ ୧,୦୬୬.୩୮ କୋଟି ଟଙ୍କା ଆନୁମାନିକ ମୂଲ୍ୟରେ ଆଗାମୀ ଛଅ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଇନ୍ଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ବନ୍ଧ ପୁନରୁଦ୍ଧାର ଓ ଉନ୍ନୟନ ପ୍ରକଳ୍ପ-୩ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଅଧିନରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ଏହି ପ୍ରକଳ୍ପ ଗୁଡ଼ିକ ହେଲା ହୀରାକୁଦ ଡ୍ୟାମର ବାମ ଡେକ୍ ରେ ଅତିରିକ୍ତ ସିଲୱେ ନିର୍ମାଣ , ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଏବଂ ଉନ୍ନତିକରଣ ସାଙ୍ଗକୁ ହୀରାକୁଦ ଡ୍ୟାମ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଫାଟକ ଗୁଡିକୁ ସ୍କାଡା ପ୍ରଣାଳୀରେ ସ୍ୱୟଂଚାଳିତ କରାଯିବ ।
ହୀରାକୁଦ ଡ୍ୟାମର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବରେ ନିଷ୍କାସିତ କରାଯାଇ ପାରିବ । ଏତଦ୍ବ୍ୟତୀତ ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଏବଂ ଉନ୍ନତିକରଣ ଦ୍ୱାରା ଡ୍ୟାମଟିକୁ ଦୀର୍ଘସ୍ଥାୟୀ କରାଯାଇ ପାରିବ । ଡ୍ୟାମର ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଗେଟ ଗୁଡିକୁ ସ୍ୱୟଂଚାଳିତ କରାଯିବା ଦ୍ୱାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ କରାଯାଇ ପାରିବ ।