ପାଟଣାଗଡ: ଦୁଃଖ ଦେଉଛି ମନରେଗା, ଭାଙ୍ଗୁଛି ଶ୍ରମିକଙ୍କ ମନ । ୧୨ ଦିନ ବଦଳରେ କେବଳ ୬ ଦିନର କାମ ପାଇ ଶ୍ରମିକ ହତାସ । ଟଙ୍କା ସରିଗଲା କହି ଦିନମଜୁରିଆମାନଙ୍କୁ ଫେରାଇ ଦିଆଯାଇଛି । ଅଭିଯୋଗ ପରେ ବି ଖୋଲୁନି ସରକାରୀ ବାବୁଙ୍କ ଆଖି । ପଞ୍ଚାୟତ ଅଧିକାରୀଙ୍କ ଅବହେଳା ଯୋଗୁଁ ବ୍ଳକରେ ପ୍ରହଶନ ପାଲଟିଛି ମନରୋଗା । ମନରୋଗା ନାମରେ ଚାଲିଛି ହରିଲୁଟ । ମାତ୍ର ୬ ଦିନରେ କେମିତି ସରିଗଲା ୧୨ ଦିନର ଟଙ୍କା ? ୨୦ ଜଣ ମଜୁରିଆଙ୍କ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ହୋଇଛି କି ହରିଲୁଟ? ଦିନମଜୁରିଆମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆରମ୍ଭ ହୋଇଛି ଖୋଳତାଡ଼ ।
ଏ ଘଟଣା ହେଉଛି ପାଟଣାଗଡ଼ ଉପଖଣ୍ଡର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକର ଲୁହାସିଂହା ପଞ୍ଚାୟତ କଦଳୀ ଝରଣ ଗାଁର। ଏଠାକାର ଅନେକ ଲୋକ ଦିନ ମଜୁରିଆ ଭାବେ କାମ କଲେ ସେମାନଙ୍କ ଘରେ ଚୁଲି ଜଳେ। ପେଟ ପାଟଣା ପାଇଁ ଏମାନଙ୍କ ମଧ୍ୟରୁ ଅନେକ ଦାଦନ ପାଲଟିଛନ୍ତି । ଯେଉଁ କେତେଜଣ ଅଛନ୍ତି ସେମାନଙ୍କୁ ମନରେଗା ଅଧୀନରେ କାମ ଯୋଗାଇ ଦେବା ଲାଗି ବ୍ୟବସ୍ଥା ହୋଇଥିଲା । ଏଥିକ୍ରମେ ଲୁହାସିଂହା ପଞ୍ଚାୟତ ତରଫରୁ କଦଳୀ ଝରନ୍ ଗାଁ ପାଇ ଭାଲୁପତ୍ରା ପାଣି ଟ୍ୟାଙ୍କ ନାମରେ ପ୍ରାୟ ୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କାମ ଆସିଥିଲା । ଟ୍ୟାଙ୍କ ପାଖରେ ମାଟି ଉଠାଣ ଲାଗି ୨୦ରୁ ଅଧିକ ଦିନମଜୁରିଆଙ୍କୁ ୧୨ ଦିନର କାମ ଯୋଗାଇବାକୁ କୁହାଯାଇଥିଲା। କିନ୍ତୁ, କେବଳ ୬ ଦିନ କାମ ହେବା ପରେ “ଟଙ୍କା ସରିଯାଇଛି” ବୋଲି କହି ଫେରାଇ ଦିଆଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ଏ ସଂକ୍ରାନ୍ତରେ ଗାଁର ସୁକାନଥ ସାହୁ, ଶିବ ଶଙ୍କର ସାହୁ, ଯୋଗିନ୍ଦ୍ର ସାହୁ, ଭରତ ସାହୁ, ଘୁନୁ ସାହୁ, ପଦ୍ମଲୋଚନ ପାଣ୍ଡେ, କୃପାସିନ୍ଧୁ ପାଣ୍ଡେ ହରେକୃଷ୍ଣ ବଲାରି ଲଲିତମାହାର ଜିତୁ ସାଣ୍ଡ ସହ କିଛି ଶ୍ରମିକ ଖପ୍ରାଖୋଲ ବିଡିଓଙ୍କୁ ଭେଟିଥିଲେ । ସେମାନେ ସମ୍ପୃକ୍ତ କନିଷ୍ଟ ଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ତୁରନ୍ତ ଏକ କମିଟି ଗଠନ କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସରକାରୀ ଅର୍ଥ ହେରଫେର କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।