ମୁମ୍ବାଇ: ଭୟାବହ କର୍କଟରୋଗରୁ ଏଣିକି ମହିଳାମାନେ ସୁରକ୍ଷିତ ରହିବେ। ମହିଳାମାନଙ୍କୁ ପ୍ରଭାବିତ କରୁଥିବା କର୍କଟ ରୋଗର ‘ଟିକା’ ଆଗାମୀ ୬ ମାସ ମଧ୍ୟରେ ଦେଶରେ ଉପଲବ୍ଧ ହେବ। ୯ରୁ ୧୬ ବର୍ଷ ବୟସ୍କ ଯୁବତୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ବିଶେଷକରି ସ୍ତନ, ମୁଖ ଏବଂ ସର୍ଭାଇକାଲ କର୍କଟ ରୋଗରୁ ଏହି ଟିକା ମୁକ୍ତି ପ୍ରଦାନ କରିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ (ସ୍ବାଧୀନ) ରାଷ୍ଟ୍ର ମନ୍ତ୍ରୀ ପ୍ରତାପରାଓ ଯାଧବ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ସାଙ୍ଘାତିକ ରୋଗରୁ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଟିକା ଉପରେ ଗବେଷଣା ପ୍ରାୟତଃ ସମାପ୍ତ ହୋଇଛି। ତେବେ ଟିକାର ପ୍ରଭାବକୁ ନେଇ ପରୀକ୍ଷଣ ଜାରି ରହିଛି। ସେପଟେ କର୍କଟ ରୋଗକୁ ପ୍ରାରମ୍ଭିକ ସମୟରେ ଚିହ୍ନଟ କରିବା ନିମନ୍ତେ ବିଭିନ୍ନ ହସ୍ପିଟାଲ ତଥା ଡେ’କେୟାର କ୍ୟାନସର ସେଣ୍ଟରଗୁଡିକରେ ୩୦ ବର୍ଷରୁ ଅଧିକ ମହିଳାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। କେନ୍ଦ୍ର ସରକାର କର୍କଟ ରୋଗର ଚିକିତ୍ସାକୁ ନିଃଶୁଳ୍କ ଘୋଷଣା କରିଥିବା ମଧ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ପୂରା ଦେଶରେ ବିଭିନ୍ନ ଡାକ୍ତରଖାନାରେ ୧୨,୫୦୦ ଆୟୁଷ କେନ୍ଦ୍ର ରହିଥିବା ବେଳେ କେନ୍ଦ୍ର ସରକାର ଏହି ସଂଖ୍ୟା ବୃଦ୍ଧି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।