ଅଜିତ ପାଓ୍ବାରଙ୍କ ଅକସ୍ମାକ ମୃତ୍ୟୁ ମହାରାଷ୍ଟ୍ର ରାଜନୀତିର ପରିଦୃଶ୍ୟକୁ ହଠାତ ଓଲଟପାଲଟ କରିଦେଇଛି । ଭାରତର ଅନ୍ୟତମ ଶକ୍ତିଶାଳୀ ରାଜନୈତିକ ପରିବାର ଏବେ ଶୋକରେ । କିଏ ନେବ ଅଜିତ ପାଓ୍ବାରଙ୍କ ସ୍ଥାନ ? କିଏ ସମ୍ଭାଳିବେ ମହାୟୁତି ସରକାରରେ ୪୦ ପ୍ଲସ ବିଧାୟକଙ୍କ ନେତୃତ୍ବ? ସେପଟେ ସବୁ କ୍ରୋଧ ଦ୍ବୈଷ ଭୁଲି ଦାଦା-ପୁତୁରା ଯୋଡି ଏନସିପିର ଦୁଇ ଫ୍ରାକସନକୁ ପୁଣି ଥରେ ଏକଜୁଟ କରିବାକୁ ହାତ ବଢାଇଥିଲେ । ଅଜିତ ଦାଦାଙ୍କ ବିରୋଧରେ ବିଦ୍ରୋହ କରି ବିଜେପି-ଶିବସେନାର ମହାୟୁତି ସରକାରରେ ସାମିଲ ହେବା, ଏନସିପିର ନାମ ଓ ଘଣ୍ଟା ଚିହ୍ନ ଉପରେ ଦାବି ଜାହିର କରିବା ସତ୍ତ୍ବେ ବିଗତ କିଛି ଦିନ ହେବ ସରଦଙ୍କ ସହିତ ତାଙ୍କର ସମ୍ପର୍କରେ ସୁଧାର ଆସିଥିଲା । ଗତ ପୌର ନିର୍ବାଚନରେ ଦାଦା-ପୁତୁରାଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର ହେବାର ସଙ୍କେତ ମିଳିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଜାନୁଆରୀ ୧୫ରେ ପୁଣେ ଏବଂ ପିମ୍ପରି-ଚିନଛ୍ବାଦ ନିଗମ ନିର୍ବାଚନରେ ଏନସିପିର ଉଭୟ ଗୋଷ୍ଠୀ ଏକ ମିଳିତ ଇସ୍ତିହାର ଜାରି କରିଥିଲେ । ଅଜିତଙ୍କ ଘଣ୍ଟା ଚିହ୍ନରେ ପ୍ରଚାର କରାଯାଇଥିଲା । ଯାହାକି ଅଜିତଙ୍କ ନେତୃତ୍ବରେ ମୂଳ ଏନସିପିକୁ ଆଗେଇ ନେବା ଲାଗି ଉଭୟ ଦାଦା-ପୁତୁରାଙ୍କ ଭିତରେ ବୁଝାମଣା ହେଉଥିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା ।