ନୂଆଦିଲ୍ଲୀ: ‘ଇଣ୍ଡିଆସ୍ ଗଟ୍ ଲେଟେଣ୍ଟ’ ବିବାଦ ପରେ ସଂସଦରେ ପହଞ୍ଚିଛି ବିବାଦୀୟ ଅନଲାଇନ କଣ୍ଟେଣ୍ଟ ଝଡ଼।
ଅନ୍ଲାଇନ କଣ୍ଟେଣ୍ଟଗୁଡିକ ଉପରେ ନିୟନ୍ତ୍ରଣ ସମ୍ବନ୍ଧରେ କେନ୍ଦ୍ର ସରକାର ଶନିବାର ସଂସଦରେ ବିବୃତ୍ତି ରଖିଛନ୍ତି। ଏ ସମ୍ବନ୍ଧୀୟ ଆଇନଗତ ଧାରାଗୁଡିକର ସମ୍ପ୍ରତି ସମୀକ୍ଷା କରାଯାଉଥିବା ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଗଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। କମିଟି ଇତିମଧ୍ୟରେ ଅନଲାଇନ କଣ୍ଟେଣ୍ଟ ନିୟନ୍ତ୍ରଣ ଆଇନ ସମ୍ବନ୍ଧରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଠାରୁ ତଥ୍ୟ ଲୋଡିଛି। ୟୁଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ ତଥା ଲାଇଭ-ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡିକ ଉପରେ କଟକଣା ନେଇ କି ଆଇନ ରହିଛି ବୋଲି ହୋଇଥିବା ପ୍ରଶ୍ନ ଉପରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି।
ଉଲ୍ଲେଖ ଯେ, ପଡକାଷ୍ଟର ରଣବୀର ଆହଲୁଓ୍ବାଲିଆ ନିକଟରେ ଇଣ୍ଡିଆସ ଗଟ୍ ଲେଟେଣ୍ଟ କାର୍ଯ୍ୟକ୍ରମରେ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରତିବାଦରେ ମହିଳା କମିଶନ, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅନେକ ଆବେଦନ ହୋଇଥିଲା। ଏହା ଉପରେ ନିଶିକାନ୍ତଙ୍କ କମିଟି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଠାରୁ ସୂଚନା ଲୋଡିଥିଲା। ଯାହା ଉପରେ ମନ୍ତ୍ରାଳୟ ପକ୍ଷରୁ ଉପରୋକ୍ତ ତଥ୍ୟ ଉପସ୍ଥାପନ କରାଯାଇଛି।