ନୂଆଦିଲ୍ଲୀ: ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ଶୋ’ରେ ପିତାମାତା ଓ ସେକ୍ସ ସମ୍ବନ୍ଧୀୟ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଖୁବ୍ ବର୍ଷିଛନ୍ତି। ଏଭଳି ମନ୍ତବ୍ୟ ଏକ ବିକୃତ ମସ୍ତିଷ୍କରୁ ସୃଷ୍ଟି ହୋଇପାରେ, ଯାହାକୁ ନେଇ ପିତାମାତା କେବଳ ଲଜ୍ଜିତ ହେବେ। ଏହା କେବଳ ଅଶ୍ଲୀଳ ଓ ଅସଭ୍ୟ ବାକ୍ୟ ଥିଲା ବୋଲି ଦର୍ଶାଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଅହ୍ଲାବାଦିଆ ନିଜ ବିରୋଧରେ ଏକାଧିକ ମାମଲା ରୁଜୁ ଘଟଣାକୁ କେନ୍ଦ୍ର କରି କରିଥିବା ଆବଦେନ ଏବଂ ତାଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଶୁଣାଣି ହୋଇଥିଲା। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଏନ. କୋଟିଶ୍ବର ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରଣବୀରଙ୍କୁ ଖୁବ୍ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ। ଖଣ୍ଡପୀଠ କହିଥିଲେ ଯେ, ଏହି ବ୍ୟକ୍ତିଙ୍କ ମସ୍ତିଷ୍କରେ କିଛି ବିକୃତ କଥା ଥିଲା, ଯାହାକି ଏହି ଶୋ’ରେ ସେ କହି ପକାଇଛନ୍ତି। ଏହା କେବଳ ମାତାପିତାମାନଙ୍କୁ ଅପମାନ।
ଖାଲି ଏତିକି ନୁେହଁ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଶୋ’ ଏୟାର ନ କରିବାକୁ ରଣବୀରଙ୍କ ସମେତ କାର୍ଯ୍ୟକ୍ରମର ଉପସ୍ଥାପକ ସମୟ ରାଇନା ଓ ଉପସ୍ଥାପିକା ଅପୂର୍ବା ମୁଖିଜାଙ୍କୁ ସର୍ବୋଚ୍ଚ ଅଦାଲତ ବାରଣ କରିଛନ୍ତି। ଏଥିସହ ରଣବୀରଙ୍କ ବିରୋଧରେ ଏହି ଘଟଣାକୁ ନେଇ ନୂତନ ମାମଲା ରୁଜୁ ଉପରେ ମଧ୍ୟ ଖଣ୍ଡପୀଠ ରୋକ୍ ଲଗାଇଛନ୍ତି। ପରେ ଖଣ୍ଡପୀଠ ରଣବୀରଙ୍କୁ ଗିରଫଦାରୀରୁ ଅନ୍ତରୀଣ ଆଶ୍ବସ୍ତି ମଧ୍ୟ ପ୍ରଦାନ କରିଛନ୍ତି।
ରଣବୀରଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳୁଥିବା ତାଙ୍କ ଓକିଲ ଅଭିବନ ଚନ୍ଦ୍ରଚୂଡ ସର୍ବୋଚ୍ଚ ଅଦାଲତାଙ୍କୁ ଜଣାଇଥିଲେ। ଏହା ଉପରେ ଖଣ୍ଡପୀଠ କହିଥିଲେ ଯେ, ଏଭଳି ସ୍ଥିତିରେ ରଣବୀର ଚାହିଁଲେ ମହାରାଷ୍ଟ୍ର କିମ୍ବା ଆସାମ ପୋଲିସଠାରୁ ସୁରକ୍ଷା ଲୋଡି ପାରିବେ। ଦେଶ ଛାଡି ନ ଯିବାକୁ ଏବଂ ନିଜ ପାସପୋର୍ଟ ପୋଲିସ ଜିମାରେ ଦେବାକୁ ରଣବୀରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ପ୍ରଦାନ ନେଇ କି ପ୍ରକାର ମାର୍ଗଦର୍ଶିକା ରହିଛି, ତାହା ଉପରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଜବାବ ଲୋଡିଛନ୍ତି।