• ସ୍ବାକ୍ଷର ହେଲା ବୁଝାମଣା
• ଫେବ୍ରୁଆରିରୁ ଲାଗୁ
• ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ମନ୍ଦିର
• ଉପକୃତ ହେବ ୧ କୋଟି ପରିବାର, ସାଢେ ୩ କୋଟି ଲୋକ
ନୂଆଦିଲ୍ଲୀ, ୧୩।୧: ନିରାମୟ ହେବ ଓଡ଼ିଶା। ସାଧାରଣ ଲୋକଙ୍କ ହାତପାହାନ୍ତାରେ ପହଞ୍ଚିବ ଚିକିତ୍ସା ସେବା। ଔଷଧ ବିନା ଯିବ ନାହିଁ କାହାରି ଜୀବନ। ଆୟୁଷ୍ମାନ ହେବ ଓଡ଼ିଶା। ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏଓ୍ବାଇ) । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟସରକାର ଆଜି ବୁଝାମଣାପତ୍ର ବା ଏମଓୟୁ ସ୍ବାକ୍ଷର କରିଛନ୍ତି। ଫଳରେ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହୋଇଛି। ଏହି ଯୋଜନା ଦ୍ବାରା ୧.୩ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର ଲାଭ ପାଇବାର ସମ୍ଭାବନା ରହିଛି। ଏହା ଦ୍ୱାରା ରାଜ୍ୟର ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ୨୩, ୧୨, ୯୭୯ ଜଣ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳିବାର ବ୍ୟବସ୍ଥା ଅଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝି କହିଛନ୍ତି, ଓଡିଶା ପାଇଁ ଏହା ଏକ ଐତିହାସିକ ଦିନ । ଆଗକୁ ଓଡ଼ିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି । ଆଗାମୀ ଦିନରେ ରାଜ୍ୟର ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ । ଯେଉଁଥିରେ ଜଣେ ଯୋଗ ଶିକ୍ଷକ ରହିବେ । ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖି ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସବୁ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଉଛି ତାହା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା ୨୦୧୮ ମସିହାରୁ ଲାଗୁ ହୋଇଥିଲେ ମଧ୍ୟ ଓଡିଶାର ଲୋକଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା । ବର୍ତ୍ତମାନ ଏହି ଯୋଜନା ଓଡିଶାର ନିଜସ୍ୱ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଯୋଡିହେବ ଏବଂ ଏହା ଦ୍ୱାରା ଓଡିଶାରେ ୧ କୋଟିରୁ ଅଧିକ ପରିବାର ଦେଶର ୨୯ ହଜାର ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ । ବର୍ତ୍ତମାନ ମାତ୍ର ୯୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବଜେଟ୍ ରେ ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଯାହାକି ପୂର୍ବ ବର୍ଷ ଅପେକ୍ଷା ୩୨.୨ ପ୍ରତିଶତ ଅଧିକ ଏବଂ ଏହା ରାଜ୍ୟ ବଜେଟର ୮ ପ୍ରତିଶତ । ଏହି ପରିମାଣ ଜାତୀୟ ସ୍ୱାସ୍ଥ୍ୟନୀତିର ସୁପାରିଶ ଅନୁରୂପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ଗୋଟିଏ କାର୍ଡ ଦିଆଯିବ । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ନୂଆ କାର୍ଡ ଦିଆଯିବ। କିନ୍ତୁ ବଦଳିଯିବ ପୁରୁଣା କାର୍ଡର ଲୋଗୋ। ରାଜ୍ୟର ୧.୩ କୋଟି ପରିବାରଙ୍କୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ। ସାରା ଦେଶରେ ଯିଏ ଯେଉଁଠି ଥିଲେ ମଧ୍ୟ ଏହାର ସୁଯୋଗ ପାଇବେ । ଆସନ୍ତା ଫେବ୍ରୁଆରି ମାସରୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାର ତତ୍ପର ଅଛନ୍ତି।
ଏହି ଯୋଜନା ଲାଗୁ କରିବା ନେଇ ଥିବା ପ୍ରତିବନ୍ଧକକୁ ଦୂର ହେବା ପରେ ଆଜି ନୂଆଦିଲ୍ଲୀଠାରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକାରଣ ବା ଏନଏଚଏମ ଏବଂ ଓଡ଼ିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷର କରାଯାଇଛି। ଏନଏଚଏମର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ କମିସନର ତଥା ସଚିବ ଏହି ଏମଓୟୁରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧାନ ସିଂହଦେଓ ଏବଂ ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜନକଲ୍ୟାଣକାରୀ ଯୋଜନାକୁ ଆପଣାଇବାରେ ଓଡ଼ିଶା ପାଲଟିଛି ୩୪ ତମ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ। ଓଡ଼ିଶା ପୂର୍ବରୁ ୩୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଆୟୁଷ୍ମାନ ଭାରତ ଯୋଜନାକୁ ଆପଣାଇବା ଥିବା ବେଳେ ପଶ୍ଚିମବଙ୍ଗ ଓ ଦିଲ୍ଲୀ ଏଥିରୁ ଦୂରେଇ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଛନ୍ତି ଯେ ୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଯାଇଥିବା ବେଳେ ରାଜନୈତିକ ହୀନମନ୍ୟତା କାରଣରୁ ୩ଟି ରାଜ୍ୟ ଏହାକୁ ଲାଗୁ କରି ନଥିଲେ।