ଝରଣାର ସୌନ୍ଦର୍ଯ୍ୟ, କୁଳୁକୁଳୁ ନାଦ କରି ବୋହି ଯାଉଥିବା ତା’ ଜଳରେ ଏବଂ ପାହାଡ ଉପରୁ ତଳକୁ ଲମ୍ଫ ପ୍ରଦାନ କରି ସୃଷ୍ଟି କରୁଥିବା ତାର ଅପୂର୍ବ ପ୍ରାକୃତିକ ଦୃଶ୍ୟରେ । ମାତ୍ର ନିଜର ଏହି ଅପୂର୍ବ ମନୋରମ ସୌନ୍ଦର୍ଯ୍ୟ ହରାଇବାକୁ ବସିଛି ଏବେ ଏବେ ଜଓ୍ବାନ ହୋଇଥିବା ଜଳପ୍ରପାତ ଦେବଝରଣ । ଏହି ଜଳପ୍ରପାତଟିକୁ ଏବେଏବେ ଜଓ୍ବାନ ଏଇଥିପାଇଁ କହୁଛୁ, କାରଣ ଗତ କିଛି ବର୍ଷ ହେବ ଏହାକୁ ଇକୋ ଟୁରିଜିମର ମାନ୍ୟତା ମିଳିଥିଲା । ନିଜର ଅପରୂପ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଏହି ଜଳପ୍ରପାତ ଯେମିତି ଇକୋ ଟୁରିଜିମର ମାନ୍ୟତା ପାଇ ଆତ୍ମଗର୍ବରେ ବିଭୋର ହୋଇପଡିଥିଲା । ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଜୁଯୁମୁରା ବ୍ଲକ ଅନ୍ତର୍ଗତ ବଣଜଙ୍ଗଲ ଘେରାରେ ରହିଛି ଦେବଝରଣ ଜଳପ୍ରପାତ ବିଗତ ବର୍ଷଗୁଡିକରେ ରାଜ୍ୟ ରାଜସ୍ବରେ ବେଶ ଭାଗୀଦାରୀ ହୋଇପାରିଥିଲା । ମାତ୍ର ଏବେ ଉଦାସୀନତାର ଓଢଣା ତଳେ ଦେବଝରଣ । ଆଜି ଦୁଃଖରେ ଗୁମୁରି କାନ୍ଦୁଛି ଦେବଝରଣ । ସମସ୍ୟାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇପଡିଛି ଏହି ଜଳପ୍ରପାତ । ନାଁକୁମାତ୍ର ବୋଲାଉଛି ଇକୋଟୁରିଜମ । ପର୍ଯ୍ୟଯନ ଋତୁ ମୁଣ୍ଡ ଉପରେ ଥିବା ବେଳେ ଜଳପ୍ରପାତ ଅଞ୍ଚଳର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନାତା ପ୍ରତି ଆଖି ବୁଜି ଦେଇଛି ପ୍ରଶାସନ । ସେପଟେ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବି ମାଟିରେ ମିଶିଗଲା। ତେବେ ଜଙ୍ଗଲ ହ୍ରାସ ପାଇବା, ଗଛ କାଟିବା ଦ୍ବାରା ଏହି ଝରଣାର ଜଳଧାରା ହ୍ରାସ ପାଉଥିବା କୁହାଯାଉଛି।
ଏହି ପର୍ଯ୍ୟଟନସ୍ଥଳୀ ଏବେ କୁଢ଼ କୁଢ଼ ଆବର୍ଜନା ଓ ବର୍ଜ୍ୟବସ୍ତୁରେ ପରିଣତ ହେବାକୁ ବସିଲାଣି। ଏକ ପ୍ରକାର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଖାଲି ସେତିକି ନୁହେଁ ନିକଟରେ କୌଣସି ସୁରକ୍ଷା ବାଡ଼ ନଥିବାରୁ ଅନେକ ସମୟରେ ଜଳ ପ୍ରପାତରେ ପର୍ଯ୍ୟଟକମାନେ ବୁଡି ପ୍ରାଣ ହରାଉଛନ୍ତି। ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଦେବଝରଣ ବିକାଶ ମଞ୍ଚ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଦେବଝରଣ ଜଳ ପ୍ରପାତର ବିକାଶକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାର ରକ୍ଷାଣବେକ୍ଷଣ ପାଇଁ ଅଣ୍ଟା ଭିଡ଼ିଛି ଦେବଝରଣ ବିକାଶ ମଞ୍ଚ। ଏହାକୁ ନେଇ ବାର୍ଷିକ ସାଧାରଣ ସଭାରେ ଦେବଝରଣର ବିକାଶ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜିକୁ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେବ ବିକାଶ ମଞ୍ଚ ଗଠନ କରି ଦେବଝରଣର ବିକାଶ ପ୍ରତି ପ୍ରଚେଷ୍ଟା ଜାରି ରହିଛି।
ଦିନେ ଲୋକଙ୍କ ପାଇଁ ଅପରିଚିତ ଥିବା ଦେବଝରଣ ଆଜି ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଛି। ହେଲେ ପ୍ରଶାସନିକ ଅବହେଳାର ଯୋଗୁ ଏହି ଜଳ ପ୍ରପାତ ଦିନକୁ ଦିନ ଏହାର ସତ୍ତା ହରାଇବାକୁ ବସିଛି ବୋଲି ବିକାଶ ମଞ୍ଚ ବକ୍ତାମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ ଋତୁରେ କାହିଁ କେଉଁ ଦୂରରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟି ଆସେ। ହେଲେ ଜଳ ପ୍ରପାତ ନିକଟରେ ସୁରକ୍ଷା ବାଡ଼ ନଥିବାରୁ ହସ ଖୁସିରେ ସମୟ ଅତି ବାହିତ କରିବାକୁ ଆସୁଥିବା ପର୍ଯ୍ୟଟକ ଅକାଳରେ ତାଙ୍କର ଜୀବନ ଚାଲି ଯାଉଥିବା ନଜିର ରହିଛି। ତେଣୁ ଜଳ ପ୍ରପାତ ନିକଟରେ ସୁରକ୍ଷା ବାଡ଼ ଉପରେ ପ୍ରଶାସନ ଗୁରୁତ୍ବ ଦେବାକୁ ସରପଞ୍ଚ ରାଜାପାଲ ଓ ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଧା କହିଥିଲେ। ସେହିପରି ଏହାର ପ୍ରଚାର ପ୍ରସାର ବୃଦ୍ଧି କରିବା ସହ ସଫାସୁତରା, ବିକାଶ, ପାରିପାର୍ଶ୍ୱର ଉନ୍ନତି ଦିଗରେ ମଧ୍ୟ ପଦକ୍ଷେପ ନେବାକୁ କହିଥିଲେ। ସେହିପରି ବଣଭୋଜୀସ୍ଥଳରେ ଆବର୍ଜନା ପଡି ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ। ଆବର୍ଜନା ପକାଇବା ପାଇଁ ୨୦ ଟି ଆବର୍ଜନା କୁଣ୍ଡ ନିଜସ୍ୱ ଅର୍ଥରୁ ପ୍ରଦାନ କରିବା ସହ ଏକତ୍ରିତ ହୋଇ ବିକାଶ କରିବା ବୋଲି ପ୍ରକାଶ କରିଥିଲେ। ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଇ ଉନ୍ନତି ପାଇଁ ଆବଶ୍ୟକ ପଡିଲେ ସାଂସଦ, ବିଧାୟକ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟିବା ବୋଲି କହିଥିଲେ। ଆଗାମୀ ଦିନରେ ଦେବଝରଣ ମହୋତ୍ସବ ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି।ବିଶିଷ୍ଟ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ଦେବଝରଣ ବିକାଶ ପାଇଁ ପ୍ରଥମେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ତିଆରି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।। ସମସ୍ତେ ଏକତ୍ରିତ ହୋଇ ଦେବଝରଣର ବିକାଶ ପାଇଁ କାମ କରିବାକୁ ଅନ୍ୟ ଅତିଥିମାନେ ମତ ଦେଇଥିଲେ। ସର୍ବ ସମ୍ମତିକ୍ରମେ ଦେବଝରଣର ପରିଷ୍କାର ପରିଚ୍ଛନ୍ନତା, ଶୌଚାଳୟ, ରାସ୍ତା,ସୁରକ୍ଷା ଓ ନିରାପତ୍ତା ଓ ପ୍ରଶାସନର ଦୃଷ୍ଟି ଗୋଚର ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।