ପ୍ରକଳ୍ପର ସୁପାରିଶଠାରୁ କାର୍ଯ୍ୟାଦେଶ ମିଳିବା ପର୍ଯ୍ୟନ୍ତ
ସମୟ ଅବଧି ୩୦ ଦିନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମି ଗୁଡିକୁ ଶୀଘ୍ର ଓ ସ୍ବଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ ।
ଏହି ନୂଆ ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯିବା ସହ ଅତ୍ୟାବଶ୍ୟକ ପ୍ରକଳ୍ପଗୁଡିକୁ ଗ୍ରହଣ କରିବାର ବ୍ୟବସ୍ଥା ଥିବାବେଳେ, ଅନାବଶ୍ୟକ ପ୍ରକଳ୍ପଗୁଡିକୁ ବାଦ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରକଳ୍ପର ସୁପାରିଶଠାରୁ ଅନୁମୋଦନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ (କାର୍ଯ୍ୟାଦେଶ ପର୍ଯ୍ୟନ୍ତ) ସମୟ ଅବଧି ୩୦ ଦିନ ରଖାଯାଇଛି । ସେହିପରି ସିଏମ-ଏସ.ଏ ଗାଇଡଲାଇନର ମଧ୍ୟ ସରଳୀକରଣ କରାଯାଇଛି । ଏହାଦ୍ୱାରା ପ୍ରକଳ୍ପ ଗୁଡ଼ିକ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରାଯାଇପାରିବ ।

ଏହି ନୂତନ ‘ଏମ.ଏଲ.ଏ ଲ୍ୟାଡ଼ ୱେବପୋର୍ଟାଲ’ରେ ବିଧାୟକ ମାନଙ୍କ ଦ୍ବାରା ପ୍ରକଳ୍ପ ସୁପାରିଶ, ପ୍ରକଳ୍ପ ଆବଶ୍ୟକତାର ତର୍ଜମା, ଯୋଜନା ଓ ବ୍ୟୟ ଅଟକଳ ପ୍ରସ୍ତୁତି, ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାଦେଶ, ତଦାରଖ, ନିରୀକ୍ଷଣ, ବ୍ୟୟ ଓ କାର୍ଯ୍ୟ ସମ୍ପାଦନ ଆଦି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯାଇପାରିବ।
ଏହି ପୋର୍ଟାଲ ମାଧ୍ୟମରେ ମାନ୍ୟବର ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ ଓ ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ । ଏହା ସହିତ ବିଧାନସଭା ଅଞ୍ଚଳର ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ଵାରା ସୁପାରିଶ କରାଯାଇଥିବା ପ୍ରକଳ୍ପଗୁଡିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ।
ସୂଚନା ଯୋଗ୍ୟ ଯେ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇ ଜନସାଧାରଣଙ୍କ ଛୋଟ ଛୋଟ କିନ୍ତୁ ନିତ୍ୟାନ୍ତ ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରିବାରେ ଏକ ମଜବୁତ୍ ମାଧ୍ୟମ ହୋଇପାରିଛି । ପର୍ଯ୍ୟାୟକ୍ରମେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏହି ଅନୁଦାନ ୫ ଲକ୍ଷରୁ ୩ କୋଟି ଟଙ୍କାକୁ ବୃଦ୍ଧି ପାଇ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ୫ କୋଟି ଟଙ୍କା ହିସାବରେ ବ୍ୟୟ ବରାଦ କରାଯାଇଅଛି।