ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨ (ଓଆରଇପି-୨୦୨୨)ର ଆଜି ରାଜ୍ୟ କ୍ୟାବିନେଟ ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସଂଶୋଧିତ ପ୍ରସ୍ତାବ ଅନୁସାରେ ଏହି ନୀତିର ଅବଧି ମଧ୍ୟରେ ଅର୍ଥାତ ୧୫ ବର୍ଷ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ବ୍ୟବହାର ନିମନ୍ତେ ହ୍ୱିଲିଂ ଚାର୍ଜରେ ପଚିଶ ପ୍ରତିଶତ ପରିବର୍ତ୍ତେ ପଚାଶ ପ୍ରତିଶତ ଛାଡ଼ ପ୍ରଦାନ କରାଯାଇଛି । ତେବେ ଅନ୍ୟ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକ ପାଇଁ ହ୍ୱିଲିଂ ଚାର୍ଜରେ ପ୍ରଚଳିତ ୨୫ ପ୍ରତିଶତ ଛାଡ଼ ବଳବତ୍ତର ରହିବ ।
ଆହୁରି ମଧ୍ୟ ପୂର୍ବ ନୀତି ଅନୁଯାୟୀ, ୧୦ କିମ୍ବା ତଦୁର୍ଦ୍ଧ୍ୱ ବାସଗୃହ ଥିବା ଜନବସତିର ୧ କିମି ପରିସର ମଧ୍ୟରେ ପବନ କଳ ସ୍ଥାପନକୁ ବାରଣ କରାଯାଇଥିଲା । ତେବେ ଭାରତ ସରକାରଙ୍କ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ କାର୍ଯ୍ୟାଳୟ ପତ୍ର ତା-୪-୦୭-୨୦୨୪ ଏବଂ ଏହାର ସଂଶୋଧିତ ପ୍ରାବଧାନ ଅନୁଯାୟୀ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି । ସେହିଭଳି ଓଡ଼ିଶା ଲୋକସେବା ଆୟୋଗ (ସେବା ସର୍ତ୍ତାବଳୀ) ବିନିୟମ, ୧୯୫୨ ର ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ସଂଶୋଧନ କାର୍ଯ୍ୟକାରୀ ହେଲେ ଯଦି କୌଣସି ବ୍ୟକ୍ତି ଆୟୋଗର ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି ଏବଂ ତାଙ୍କ ଅନ୍ତିମ ନିର୍ଦ୍ଧାରିତ ବେତନ ଯାହାକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ଯଥାକ୍ରମେ ମାସିକ ଟ୨,୨୫,୦୦୦ଙ୍କା ଓ ମାସିକ ଟ୧,୮୨,୦୦୦ଙ୍କା ଠାରୁ ଅଧିକ ହୋଇଥିବ, ତେବେ ସେ ସରକାରୀ ଚାକିରିରେ ଥିବା ସମୟର ଅନ୍ତିମ ବେତନରୁ ମୋଟ ପେନ୍ସନ୍ ରାଶିକୁ ବାଦ୍ ଦେଲା ପରେ ଯେଉଁ ରାଶି ଉପନୀତ ହେବ, ତାକୁ ପାଇବାକୁ ହକ୍ଦାର ହେବେ ।
ଅପ୍ୟପଟେ ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ୍ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି । ଏଥିକ୍ରମେ ଓଡ଼ିଶା ଜିଲ୍ଲା ତଥା ସିଭିଲ୍ କୋର୍ଟର ଜୁଡିସିଆଲ୍ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ (ସଂଶୋଧନ) ନିୟମ ୨୦୦୮ କୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଉଛି ।