ଭୁବନେଶ୍ବର: ‘ନେପାଳର ପିଲାମାନେ ମଧ୍ୟ ଆମ ପିଲା । ପୁରା ସମ୍ମାନର ସହ ସେମାନେ ଓଡ଼ିଶାରେ ପଢିବେ । କିଟ୍ ଘଟଣା ଉପରେ ରାଜ୍ୟ ସରକାରଙ୍କର ତୀକ୍ଷ୍ଣ ନଜର ରହିଛି। ଏହି ଘଟଣାରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନିଆଯିବ। ଏହି ନିନ୍ଦନୀୟ ଘଟଣା ସହିତ ସମ୍ପୃକ୍ତ କୌଣସି ଜଣେ ବି ଦୋଷୀଙ୍କୁ ଛଡାଯିବା ନାହିଁ। ରାଜ୍ୟ ସରକାର ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏଥିସହିତ ଛାତ୍ରଛାତ୍ରୀ ମାନଙ୍କ ଭରସା ଓ ଆତ୍ମବିଶ୍ୱାସ ଫେରାଇ ଆଣିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବ। କିଟ୍ ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହିସବୁ ପ୍ରତିଶ୍ରୁତି ଦେଇଛନ୍ତି। କିଟ୍ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଯେଭଳି ଭାବେ ନେପଳର ବାକି ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବସ୍ରେ ନେଇ କଟକ ରେଳ ଷ୍ଟେଶନରେ ଛାଡି ଦେଇଆସିଥିଲେ, ତାହା ସେମାନଙ୍କ ମନରେ ଗଭୀର ରେଖାପାତ କରିଛି। ଓଡ଼ିଶା ବିଶେଷକରି କିଟ୍ ଉପରେ ଛାତ୍ରଛରତ୍ରୀଙ୍କ ଭରସା ଫେରାଇ ଆଣିବା ଜରୁରୀ ହୋଇପଡିଥିବା ବେଳେ ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କର ଏହି ଟେଲିଫୋନିକ ଆଲୋଚନା ଗୁରୁତ୍ତ୍ବ ବହନ କରେ। ତେବେ ଏହି ଘଟଣାରେ ଅଦ୍ୟାବଧି ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଡଃ. ଆରଜୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସେପଟେ କିଟ୍ ମାମଲାରେ ଓଡ଼ିଶା ସରକାରଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେପାଳରୁ ଆସି ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ଆଶ୍ୱସ୍ତ କରିଛି ବୋଲି ନେପାଳ ଦୂତାବାସ ୨ ଜଣ ଅଧିକାରୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଭେଟି କହିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଟେଲିଫୋନିକ ଆଲୋଚନା ପରେ ନେପାଳ ଦୂତାବାସର ଏହି ଦୁଇ ଅଧିକାରୀ ନବୀନ ରାଜ୍ ଅଧିକାରୀ ଏବଂ ସଞ୍ଜୀବ ଶର୍ମା ଦାସ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯାଇଛି । ଏହା ଦ୍ୱାରା ନେପାଳରୁ ଆସି ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଆଶ୍ୱସ୍ତ ଅନୁଭବ କରିଛନ୍ତି। ଏଥିପାଇଁ ନେପାଳ ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କୁ, ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। ନେପାଳ ଓ ଓଡ଼ିଶା ମଧ୍ୟରେ ଅତି ପୁରାତନ ସମ୍ପର୍କ ରହିଆସିଛି ଏବଂ ଏହି ସୁସମ୍ପର୍କ କେବେ ବ୍ୟାହତ ହେବ ନାହିଁ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ ।