ଆଜି ଲୋକସେବା ଭବନରେ ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ତିନୋଟି ବୁଝାମଣାପତ୍ର ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତା ବିଶ୍ୱସ୍ତରରେ ଏହାର ପ୍ରଭାବ ବିସ୍ତାର କରିବାରେ ସହାୟକ ହେବ । ଏଥିସହ ଏହି ପ୍ରକଳ୍ପଗୁଡ଼ିକୁ ମିଶନ୍ ମୋଡରେ କାର୍ଯ୍ୟକାରୀ କରିବ। ଓଡ଼ିଶାର ପର୍ଯ୍ୟଟନର ବିକାଶରେ ଯୋଡ଼ି ହୋଇଥିବା ଏହି ନୂତନ ଫର୍ଦ୍ଦର ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗ ଦେଇଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ
ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, ମାଡ୍ରାସ (IIT-M), ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟ୍ସ (NIWS), ଗୋଆ ଏବଂ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ (LBDFI) ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର ୨୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ । ଆଇଆଇଟି ମାଡ୍ରାସ ସହିତ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ, ଓଡ଼ିଶା ଐତିହ୍ୟ ସ୍ମାରକୀଗୁଡ଼ିକର ସାଇଣ୍ଟିଫିକ୍ ଷ୍ଟ୍ରକ୍ଚରାଲ୍ ଅଡ଼ିଟ୍ ଓ ସଂରକ୍ଷଣ ନିମନ୍ତେ ଉନ୍ନତ ବୈଜ୍ଞାନିକ କୌଶଳ ବ୍ୟବହାର କରାଯିବ । ଏହି ସହଯୋଗରେ ବିସ୍ତୃତ ଡକ୍ୟୁମେଣ୍ଟେସନ୍, ସାମଗ୍ରୀ ପରୀକ୍ଷଣ, ଭୂ-ବୈଷୟିକ ତଦନ୍ତ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଅନ୍ତର୍ଭୁକ୍ତ ହେବ । ଏଥିରେ ସ୍ଥାୟୀ ପୁନଃବ୍ୟବହାର ଯୋଜନା ଓ ପ୍ରକଳ୍ପ ପରିଚାଳନା ପରାମର୍ଶ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ଲକ୍ଷ୍ୟ ଓଡ଼ିଶାର ଐତିହାସିକ ସ୍ଥାନଗୁଡ଼ିକର ଦୀର୍ଘକାଳୀନ ସଂରକ୍ଷଣ ସୁନିଶ୍ଚିତ କରିବା । ଏହି ବୁଝାମଣାପତ୍ର ଓଡ଼ିଶାର ଅମୂଲ୍ୟ ଐତିହ୍ୟ ସମ୍ପତ୍ତିଗୁଡ଼ିକୁ ସଂରକ୍ଷଣ ଏବଂ ପୁନରୁଦ୍ଧାର କରିବା ଉପରେ ଧ୍ୟାନ ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଦ୍ବିତୀୟରେ ଓଡ଼ିଶାରେ ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟ୍ସ (NIWS), ଗୋଆ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି ପର୍ଯ୍ୟଟନ ବିଭାଗ । ଏହି ବୁଝାମଣାପତ୍ର ଅଧୀନରେ NIWS ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ବୈଷୟିକ ବିଶେଷଜ୍ଞତା ପ୍ରଦାନ କରିବ, ସୁରକ୍ଷା ଅଡିଟ୍ କରିବ । ଏଥିସହ ଅପରେଟର, ଲାଇଫଗାର୍ଡ ଓ ଦୁଃସାହସିକ ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ଦେବ । ଓଡ଼ିଶାରେ ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନରେ ଏହା ଏକ ନୂତନ ଫର୍ଦ୍ଦ ଯୋଡିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ତୃତୀୟତଃ, ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଏବଂ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ (LBDFI) ମିଳିତ ଭାବେ ବୌଦ୍ଧ ତୀର୍ଥ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବେ । ଏହି ସହଭାଗିତ ଦ୍ବାରା ବାର୍ଷିକ ବୌଦ୍ଧ ପ୍ରାର୍ଥନା ସମାରୋହ ଆୟୋଜନ, ପରିଦର୍ଶକଙ୍କ ସୁବିଧାର ବିକାଶ, ପବିତ୍ର ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ, ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ ଓ ଆଦର୍ଶର ସଂରକ୍ଷଣ ଉପରେ ଧ୍ୟାନ ଦିଆଯିବ । ଏହି ବୁଝାମଣାପତ୍ର ଦ୍ବାରା ଓଡ଼ିଶାର ବୌଦ୍ଧ ଐତିହ୍ୟକୁ Global Pilgrimage Circuits ସହିତ ସଂଯୋଗ କରିବା ଏବଂ ଆଧ୍ୟାତ୍ମିକ, ସାଂସ୍କୃତିକ ପର୍ଯ୍ୟଟନର କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବାକୁ ଆଶା ରଖିଛୁ ବୋଲି ମତବ୍ୟକ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।