ଏକ ସାମ୍ପ୍ରତିକ ରାୟରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ଶ୍ରୀମତୀ ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ । ବିଜ୍ଞାପନ ଅନୁଯାୟୀ କ୍ୟାରିୟର ମାର୍କ ଏବଂ ସାକ୍ଷାତକାର ମାର୍କ ଉପରେ ଆଧାରିତ ଥିଲା । ଜୁନ୍ ୨୦୨୨ ମସିହାରେ ଓଡ଼ିଶା ଲୋକସେବା କମିଶନ ଦ୍ୱାରା ପ୍ରକାଶିତ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ ସେ ତାଙ୍କ ନାମ ପାଇ ନଥିଲେ । ଫଳାଫଳରେ ଅସ;ୁଷ୍ଟ ହୋଇ ସେ ଡିସେମ୍ବର ୨୦୨୨ ମସିହାରେ ଆର୍ଟିଆଇରେ ଆବେଦନ ପୂର୍ବକ ଲୋକସେବା କମିଶନଙ୍କ ନିକଟରେ କ୍ୟାରିଅର ମୂଲ୍ୟାୟନ ଏବଂ ସାକ୍ଷାତକାରରେ ତାଙ୍କୁ ମିଳିଥିବା ମାର୍କର ବିବରଣୀ ମାଗିଥିଲେ । ଓଡିଶା ଲୋକସେବା ଆୟୋଗ ତାଙ୍କୁ କ୍ୟାରିଅରର ମାର୍କ ପ୍ରଦାନ କରିଥିଲା । କି;ୁ ଡିସେମ୍ବର ୨୦୨୨ରେ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଆଧାରରେ ତାଙ୍କର ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ମନାକରି ଦେଇଥିଲା । ସୂଚନା କମିଶନଙ୍କ ସମ୍ମୁଖରେ ଶୁଣାଣି ସମୟରେ ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ବାଢ଼ିଥିଲେ ଯେ ଉକ୍ତ ପଦବୀରେ ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ସାକ୍ଷାତକାର ମାର୍କ ରେକର୍ଡ କରାଯାଏ ନାହିଁ କିମ୍ବା କୌଣସି ସର୍ବନିମ୍ନ ମାର୍କ ସ୍ଥିର କରାଯାଏ ନାହିଁ । ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ଦେଇଥିଲେ ଯେ ସାକ୍ଷାତକାର ହେଉଛି ସେମାନଙ୍କର ବ୍ୟକ୍ତିତ୍ୱ ଓ କଥନ ଶୈଳୀ ଦକ୍ଷତା ଇତ୍ୟାଦିର ଏକ ପରୀକ୍ଷା, ଏବଂ ସାକ୍ଷାତକାରରେ କେବଳ ଯୋଗ୍ୟତା ନିର୍ଣ୍ଣୟ କରାଯାଏ । ପ୍ରାର୍ଥୀମାନଙ୍କୁ କେବଳ ସେମାନେ ଉପଯୁକ୍ତ କି ଅନୁପଯୁକ୍ତ ବୋଲି ସୂଚନା ଦିଆଯାଏ । ପ୍ରାର୍ଥୀମାନଙ୍କୁ ନିର୍ଦ୍ଦିଷ୍ଟ ମାର୍କ ଦିଆଯାଏ ନାହିଁ କିମ୍ବା କୌଣସି ଯୋଗ୍ୟ ତାଲିକା ପ୍ରକାଶ କରାଯାଏ ନାହିଁ ।