- ୧୧ କୋଟି ଟଙ୍କାର ବିନିଯୋଗ ରେ ନିର୍ମିତ
- ଡ଼ିଏଭି ସ୍କୁଲ୍, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ସମ୍ବଳିତ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଏକମାତ୍ର କୋଇଲା ଖଣି ପରିଚାଳନା କରୁଥିବା ସରକାରୀ ଉଦ୍ୟୋଗ ଓଡିଶା କୋଲ୍ ଆଣ୍ଡ୍ ପାୱାର୍ ଲିମିଟେଡ଼୍ (ଓସିପିଏଲ୍) ର ମନୋହରପୁର ଖଣି ସ୍ଥିତ ଓସିପିଏଲ୍ ଡ଼ିଏଭି ସ୍କୁଲ୍, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଇଣ୍ଡୋର୍ ଷ୍ଟାଡିଅମ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଙ୍ଗଳବାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଏବଂ ବିଧାୟକ ଯୋଗେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ୧୧ କୋଟି ଟଙ୍କାର ବିନିଯୋଗ ରେ ୨୨ ହଜାର ସ୍କୋୟାରଫିଟ୍ ପରିଧିରେ ନିର୍ମିତ ଏହି ଇଣ୍ଡୋର ଷ୍ଟାଡିଅମ୍ ଟି ଶୀତତାପ ନିଆନ୍ତ୍ରିତ । ଏଥିରେ ସମସ୍ତ ପ୍ରକାର ଇଣ୍ଡୋର ଖେଳର ସୁବିଧା ରହିଛି । ଏହା ସ୍ଥାନୀୟ କ୍ରୀଡ଼ାବିତ୍ ମାନଙ୍କୁ ଅଭ୍ୟାସ ଏବଂ ଅତ୍ୟାଧୁନିକ କ୍ରୀଡା ପରୀକ୍ଷଣ ପାଇଁ ସାହାଯ୍ୟ କରିବ। ଓସିପିଏଲ୍ ଡ଼ିଏଭି ସ୍କୁଲ୍, ମନୋହରପୁର୍ ରେ ନିକଟସ୍ଥ ଗ୍ରାମ ମାନଙ୍କର ବିଦ୍ୟାର୍ଥୀ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ରେ ଶିକ୍ଷା ପ୍ରଦାନ କରିବ। ଏହି ସ୍କୁଲ୍ ରେ ପ୍ରଥମେ ୧ମ ରୁ ୩ୟ ଶ୍ରେଣୀ ଏବଂ କିଛି ବର୍ଷ ପରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯିବ। ମନୋହରପୁର୍ ଅଞ୍ଚଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନଥିବାରୁ ଏହି ବିଦ୍ୟାଳୟ ଟି ମେଧାବୀ ଏବଂ ଗୁଣବତ୍ତା ଶିକ୍ଷା ପ୍ରଦାନ କରିବା ପାଇଁ ସହାୟକ ହେବ । ଓସିପିଏଲ୍ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଖପାଖର ସମସ୍ତ ଗ୍ରାମବାସୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯିବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅତ୍ୟାଧୁନିକ ପଦ୍ଧତିରେ ରୋଗୀ ମାନଙ୍କୁ ପରୀକ୍ଷା କରିବାର ସୁବିଧା ରହିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଟେଲିମେଡିସିନ୍ ର ବ୍ୟବସ୍ଥା ରହିଛି, ଯାହା ମାଧ୍ୟ୍ୟମରେ ଏହି ଅଞ୍ଚଳର ଲୋକ ମାନଙ୍କୁ ରାଜ୍ୟର ପ୍ରଖ୍ୟାତ ଡାକ୍ତର ମାନଙ୍କ ସହ ପରାମର୍ଶ କରି ଚିକିତ୍ସା ପ୍ରଦାନ କରାଯାଇପାରିବ। ଓସିପିଏଲ୍ ଏଥିନିମନ୍ତେ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ବହନ କରିବ। ମନୋହରପୁର ଅଞ୍ଚଳ ର ଉନ୍ନତି ପାଇଁ ଓସିପିଏଲ୍ ର ଏହି ଉଦ୍ୟମ କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭୂୟସୀ ପ୍ରଶଂସା କରିଛନ୍ତି । ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସ୍ଥାନୀୟ ବିଧାୟକ ଯୋଗେଶ କୁମାର ସିଂ ଏବଂ ପୂର୍ବତନ ବିଧାୟିକା କୁସୁମ ଟେଟେ ଏହି ଉଦଘାଟନୀ ଉତ୍ସବ ରେ ଉପସ୍ଥିତ ରହି ଓସିପିଏଲ୍ ର କର୍ମଚାରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଙ୍କର ପ୍ରତକ୍ଷ ତତ୍ୱବଧାନ ରେ ଓସିପିଏଲ୍ ଏକ ନୂତନ କୋଇଲା ଖଣି ଅକ୍ତିଆର କରିବାକୁ ଯାଉଛି। ଏହି ଉତ୍ସବ ରେ ଓସିପିଏଲ୍ ର ସିଇଓ ଗଗନ ବିହାରୀ ସ୍ୱାଇଁ, ଓପିଜିସି ର ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ଏବଂ ଓପିଟିସିଏଲ୍ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ତଥା ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଉତ୍ସବ ରେ ଡିଏଭି ସ୍କୁଲ ର ପୂର୍ବାଞ୍ଚଳ ର ମୁଖ୍ୟ ଡ଼ଃ. କେ. ସି. ଶତପଥୀ, ରାଉରକେଲା ଡିଏଭି ସ୍କୁଲ ର ମୁଖ୍ୟ ଏଲ୍. ଏନ୍ ପ୍ରଧାନ ଏବଂ ଝାରସୁଗୁଡାର ଡିଏଭି ସ୍କୁଲ ମୁଖ୍ୟ ପ୍ରଶାନ୍ତ ପଣ୍ଡା ଉପସ୍ଥିତ ଥିଲେ।