ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଓ୍ବାକଫ (ସଂଶୋଧିତ) ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ବାରା ଗତ ୧୩ ତାରିଖରେ ପ୍ରଦତ୍ତ ରିପୋର୍ଟ ଆଧାରରେ ଏହି ବିଧେୟକକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବା ଜଣାପଡିଛି। ସୂଚନା ଅନୁସାରେ, ଏହି ବିଧେୟକରେ ହୋଇଥିବା ସଂଶୋଧନକୁ ଗତ ୧୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ଦିଆଯାଇଥିଲା, ଯାହା ଦ୍ୱାରା ମାର୍ଚ୍ଚ ୧୦ ରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଏହି ବିଲ୍ ଆଗତ କରିବାର ପଥ ପ୍ରଶସ୍ତ ହୋଇଛି।
ତେବେ ଗତ ବଜେଟ ଅଧିବେଶନ ବେଳେ ଲୋକସଭା ଏବଂ ରାଜ୍ୟସଭାରେ ଓ୍ବାକଫ ବିଲ୍ ଉପସ୍ଥାପନ କରାଯାଇଥିଲା। ଯାହାକୁ ନେଇ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଫଳରେ ଗୃହକୁ ମୁଲତବୀ ରଖିବାକୁ ପଡିଥିଲା। ବିପକ୍ଷର ସାଂସଦ ଅଭିଯୋଗ କରିଛନ୍ତି ଯେ, ବିଜେପି ନେତା ଜଗଦମ୍ବିକା ପାଲଙ୍କ ନେତୃତ୍ବରେ ଗଠିତ ଜେପିସି ବିପକ୍ଷର ଅସହମତି ସତ୍ତ୍ବେ ଏହି ବିଧେୟକରେ ବ୍ୟାପକ ସଂଶୋଧନର ପ୍ରସ୍ତାବ ଦେଇଥିଲା। ସେମାନଙ୍କ ମତାମତ ସମ୍ବଳିତ ନୋଟ୍ ଏହି ଜେପିସି ରିପୋର୍ଟରେ ସଂଶୋଧିତ କରାଯାଇଥିବା ବିପକ୍ଷ ସାଂସଦମାନେ ଅଭିଯୋଗ କରିଥିଲେ। ମାତ୍ର ବିପକ୍ଷର ଏହି ଅଭିଯୋଗକୁ କେନ୍ଦ୍ର ଅସ୍ୱୀକାର କରିଛି। ଏହି ବିଧେୟକରେ ୪୪ଟି ସଂଶୋଧନ ନିମନ୍ତେ ପ୍ରସ୍ତାବ ଥିବାବେଳେ ବିଜେପି ନେତୃତ୍ବାଧୀନ ଏନଡିଏ ଏଥିମଧ୍ୟରୁ କେବଳ ୧୪ଟି ଧାରା ଉପରେ ସଂଶୋଧନ ପ୍ରସ୍ତାବ ଦେଇଥିଲା। ଏନଡିଏର ସମସ୍ତ ପ୍ରସ୍ତାବ ମଞ୍ଜୁର ହୋଇଛି।
ଉଲ୍ଲେଖ ଯେ, ୱାକଫ ବୋର୍ଡ ମୁସଲିମ ସମ୍ପ୍ରଦାୟ ଦ୍ୱାରା ଧାର୍ମିକ ଏବଂ ଦାତବ୍ୟ ଉଦ୍ଦେଶ୍ୟରେ ଦାନ କରାଯାଇଥିବା ସମ୍ପତ୍ତିର ତଦାରଖ କରେ। ଏହି ୱାକଫ ବୋର୍ଡଗୁଡ଼ିକର ପରିଚାଳନାରେ ସମ୍ପୂର୍ଣ୍ଣ ପରିବର୍ତ୍ତନର ପ୍ରସ୍ତାବ ୱାକଫ (ସଂଶୋଧନ) ବିଲ୍ରେ ରହିଛି। ୱାକଫ୍ ସମ୍ପତ୍ତିର ପଞ୍ଜୀକରଣ ପଥ ସୁଗମ କରିବା ଏହି ବିଲ୍ର ଉଦ୍ଦେଶ୍ୟ।