ଗୋଟିଏ ଜାଲିଆତିର ପର୍ଦ୍ଦାଫାଶ, ଗୋଟେ ବଡ଼ ହିଂସା ଓ ପରେପରେ ଉପନିର୍ବାଚନ ତାରିଖ ଘୋଷଣା । ଦିନ କେଇଟା ଭିତରେ ଓଡ଼ିଶାର ପାଣିପାଗରେ ଉଷ୍ମତା ଭରିଦେଇଛି ଏ ତିନୋଟି ଘଟଣା । ଯାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ପ୍ରଶ୍ନ ହେଉଛି, କ’ଣ ଏହି ତିନୋଟି ଘଟଣା ଭିତରେ ରହିଛି କିଛି ଇଣ୍ଟରଲିଙ୍କ ? ଆଜି ଆଲୋକପାତ କରିବା ସେ ସବୁ ପ୍ରଶ୍ନ ଉପରେ, ଯାହାକି ଜଣେ ସାଧାରଣ ମଣିଷକୁ ଆନ୍ଦୋଳିତ କରୁଛି ?
ବନ୍ଧୁଗଣ, ଭାଇଚାରାର ସହର କଟକ, ଯେଉଁଠାରେ ଏକ ଗୋଷ୍ଠୀକନ୍ଦଳ ସମ୍ପ୍ରଦାୟିକ ରୂପ ନେଇଛି, ଯାହାକି ଗୁଇନ୍ଦା ସଂସ୍ଥାର ବିଫଳତା ଓ ପୋଲିସର ଅପାରଗତା ପାଇଁ ଘଟିଛି ବୋଲି କୁହାଯାଉଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ କିନ୍ତୁ, କଟକକୁ ପାଶୋରୀ ନୂଆପଡ଼ାରେ ନିର୍ବଚନୀ ଉତ୍ସବ ପାଳନ ସହ ନିର୍ବଚନମଣ୍ଡଳୀ ବାସିନ୍ଦାଙ୍କୁ ଭେଟି ଦେବାକୁ ପହଞ୍ଚିଥିଲେ । ଏହା କେତେ ଦୂର ଗ୍ରହଣୀୟ ତାହା ସେ ନିଜ ଅନ୍ତରାତ୍ମାକୁ ପଚାରିବା ଦରକାର ?
କଟକ ସାଂସଦ ଭର୍ତ୍ତୃହରି ମହତାବ ସିଧାସଳଖ ଭାବେ କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ କଏଦୀ ଜେଲରୁ ଆସିବା ପରେ ଏ ସମ୍ବନ୍ଧରେ କିଛି ସାମ୍ପ୍ରଦାୟିକ ଦଙ୍ଗା ଘଟିପାରେ ବୋଲି ଆଶଙ୍କା କରି ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଇଥିଲେ । ମାତ୍ର କଟକରେ ଯାହା ଘଟିଗଲା, ସେଥିରୁ ସାଂସଦଙ୍କ ଆଶଙ୍କାକୁ ସରକାର ବା ପ୍ରଶାସନ ସାମନ୍ୟତମ ପ୍ରାଧାନ୍ୟ ଦେଇଥିବା ଜଣାପଡୁନାହିଁ । ଏ କଥା କୁହାଯାଉନାହିଁ ଯେ, କଟକରେ ହିଂସା ବା ଗଣ୍ଡଗୋଳ ହୁଏ ନାହିଁ, ଆଗରୁ ଅନେକବାର ସାହିସାହି ମଧ୍ୟରେ ଗଣ୍ଡଗୋଳ ଘଟିଛି ଏବଂ ସାହି ମୁରବିମାନେ ବସି ତାହାର ସମାଧାନ କରିଛନ୍ତି। ମାତ୍ର ଏବେକାର ଘଟଣା ସମ୍ପୂର୍ଣ୍ଣ ସାମ୍ପ୍ରଦାୟିକ ରଙ୍ଗ ଧାରଣ କରିଛି । ଅଦ୍ୟାବଧି ଯାହା ଭିଜୁଆଲ ହସ୍ତଗତ ହୋଇଛି ସେଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ଅନେକ ସ୍ଥାନରେ ପୋଲିସ ଉପସ୍ଥିତିରେ ହିଁ ଏଭଳି ଘଟଣା ଘଟିଛି ଏବଂ ପୋଲିସ ସମ୍ପୂର୍ଣ୍ଣ ଭାବେ ନୀରବ ଦ୍ରଷ୍ଟା ସାଜିଛି । ଆଗରୁ କେବେ ଏଭଳି ସାମ୍ପ୍ରଦାୟିକ ସଦଭାବ ନଷ୍ଟ ହୋଇଯିବାର ନଜିର ଅନ୍ତତଃ କଟକରେ ତ ଦେଖିବାକୁ ମିଳିନାହିଁ । ଏହି କଟକ ସହର, ଦୁର୍ଗାପୂଜା ଓ ବାଲିଯାତ୍ରା ପାଇଁ ଯେତିକି ପ୍ରସିଦ୍ଧ, ଭାଇଚାରା ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ । ଏହି ସହରରେ, ଯଦି ଏଭଳି ଘଟଣା ଘଟୁଛି, ତାହା ହେଲେ କେଉଁ ପରିସ୍ଥିତିରେ କଟକ ବନ୍ଦ ପୂର୍ବ ଦିନ ବାଇକ ରାଲି ପାଇଁ ଅନୁମତି ମିଳିଲା । କଣ ପାଇଁ ସହରକୁ ସିଲ କରାଗଲା ନାହିଁ । କଣ ପାଇଁ ରାଜନୖତିକ ଦଳ ଓ ଅନ୍ୟାନ୍ୟ ସଂଗଠନକୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପର ସୁଯୋଗ ଦିଆଗଲା । ଯଦି ଭତ୍ତୃହରିଙ୍କ କଥାକୁ ବିଚାରକୁ ନିଆଯାଏ ତାହା ହେଲେ ଗୋଟିଏ କଥା ମନକୁ ଆସୁଛି ଯେ ଏ ପୂରା ଘଟଣାରେ ସରକାର ସମ୍ପୂର୍ଣ୍ଣ ଉଦାସୀନ ଓ ନିଷ୍କ୍ରିୟ ଅଥବା ଏହି ଘଟଣା ସମ୍ପୂର୍ଣ୍ଣ ପ୍ରାୟୋଜିତ । ଏମିତି ବି ପ୍ରଶ୍ନ ହେଉଛି ଯେ ଗୋଷ୍ଠୀ କନ୍ଦଳକୁ ସାମ୍ପ୍ରଦାୟିକ ରଙ୍ଗ ଦିଆଯାଇନାହିଁ ତ ? ଦ୍ବିତୀୟ କଥା ହେଲା ଯେ, କୌଣସି ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏହା ପୂର୍ବ ପରିକଳ୍ପିତ ନୁହେଁ ତ? ଏସଆଇ ପରୀକ୍ଷା ଦୁର୍ନୀତିର ତାତିକୁ ପ୍ରଶମିତ କରିବା ପାଇଁ ବା ମନରୁ ଲିଭାଇବା ପାଇଁ ଏହା ଏକ ଭିତିରି ଷଡ଼ଯନ୍ତ୍ର ନୁହେଁ ତ? ୬ ତାରିଖ ଦିନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ତାରିଖ ଘୋଷଣା ହେବାର ଥିବାରୁ ମୁଖ୍ୟମନ୍ତ୍ରୀ ତରବରିଆ ଭାବରେ ନିଜର ପ୍ରାଧାନ୍ୟ କଟକ ପରିବର୍ତ୍ତେ ନୂଆପଡାକୁ ଦେଲେକି? କାରଣ ଥରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ତତକ୍ଷଣାତ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥାଏ । ଯାହାଦ୍ବାରା ମୁଖ୍ୟମନ୍ତ୍ରୀ ୬ ତାରିଖ ପରେ ନୂଆପଡ଼ରେ ଆଉ କୌଣସି ନୂତନ ଯୋଜନା ଘୋଷଣା କରିପାରି ନଥାଆନ୍ତେ । ଏମିତିରେ କଟକ ବଦଳରେ ନୂଆପଡ଼ା ତାଙ୍କ ପ୍ରାୟୋରିଟି ପାଲଟିଗଲା ।
ଏଠାରେ କହି ରଖୁଛୁ କି, ଏଭଳି ପ୍ରତିଉତ୍ତର ଆସିପାରେ ଯେ, ନୂଆପଡ଼ା ଗସ୍ତ ପୂର୍ବ ସ୍ଥିରିକୃତ ଥିଲା । ଏହା ଠିକ ମଧ୍ୟ ହୋଇପାରେ । ମାତ୍ର ସମ୍ମୁଖରେ ଯେତେବେଳେ ଏକ ସମ୍ବେଦନଶୀଳ ଘଟଣା ଘଟିଯାଉଛି ଓ ଆୟତ୍ତକୁ ଆସିନାହିଁ, ସେତେବେଳେ କାହାକୁ ପ୍ରାଧାନ୍ୟ ଦିଆଯିବା ଉଚିତ ସେ ମୗଳିକ ଜ୍ଞାନ ଅନ୍ତତଃ ଜଣେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଥିବ ବୋଲି ସାଧାରଣ ଜନତା ଆଶା କରିବା ସ୍ବଭାବିକ, ବିଶେଷ କରି କଟକ ବାସୀ ।