
ନୂଆଦିଲ୍ଲୀ,୨୦।୩: ଟିକେଟ ପାଇଁ ନାଟ । ପଦାରେ ପଡିଲା ଭାଜପାର ଅନ୍ତର୍ଦ୍ବନ୍ଦ୍ବ । କର୍ଣ୍ଣାଟକରେ ବିଜେପି ପାଇଁ ଅଡୁଆ ହୋଇଛନ୍ତି କିଛି ତୁଙ୍ଗ ନେତା । ଏଯାବତ୍ ଘୋଷଣା କରାଯାଇଥିବା ବିଜେପିର ଦୁଇ ପ୍ରାର୍ଥୀ ତାଲିକାରୁ ବାଦ ପଡିବା ପରେ ଅସନ୍ତୋଷ ଅନେକ ଦଳୀୟ ନେତା ।
ବିଜେପି ପକ୍ଷରୁ କର୍ଣ୍ଣାଟକର ୨୮ ଟି ସିଟ ମଧ୍ୟରୁ ୨୦ଟି ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମାତ୍ର ଏହି ପ୍ରାର୍ଥୀ ତାଲିକାରେ ନିଜ ନାମ ନ ଥିବା ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବହୁ ନେତା ଖପ୍ପା । ଏମିତିକି ଖୋଲିଖୋଲି ବିଦ୍ରୋହକୁ ଓହ୍ଲାଇ ଆସିଛନ୍ତି ଏହି ନେତାମାନେ । ଟିକେଟ ନମିଳିଲେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଶୁଣାଇଛନ୍ତି ଚରମ ବାଣୀ ।
ଏହି ବିଦ୍ରୋହୀ ନେତାଙ୍କ ଭିତରେ ଅଛନ୍ତି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ.ଏସ .ଈଶ୍ୱରପ୍ପା । ତାଙ୍କ ପୁଅ କେଇ କଣ୍ଟେଶଙ୍କୁ ଟିକେଟ ନ ମିଳିବାରୁ କ୍ଷୁବ୍ଧ ଅଛନ୍ତି ଈଶ୍ୱରପ୍ପା। ଏଥିପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କୁ ଦାୟୀ କରିଛନ୍ତି । ଖାଲି ଏତିକି ନୁହେଁ ୟେଦୁରପ୍ପାଙ୍କ ବିରୋଧରେ ସେ ଯୁଦ୍ଧ ମଧ୍ୟ ଘୋଷଣା କରିଦେଇଛନ୍ତି । ଅର୍ଥାତ ୟେଦୁରପ୍ପାଙ୍କ ପୁଅ ବିଓ୍ବାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଶିବମୋଗଗା ଆସନରୁ ନିଜେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଈଶ୍ବରପ୍ପା ଘୋଷଣା କରିଛନ୍ତି। ବାସ୍ତବରେ ଶ୍ବରପ୍ପା ତାଙ୍କ ପୁଅ କଣ୍ଟେଶଙ୍କୁ ହାଭେରୀ ସିଟ ଚାହୁଁଥିଲେ। କିନ୍ତୁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ବାସବରାଜ ବୋମ୍ମାଇଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ବୋମ୍ମାଇ ୟେଦୁରପ୍ପାଙ୍କ ନିକଟତର ବୋଲି ବିବେଚନା କରାଯାଏ। ଏ ପୂରା ମାମଲାରେ ୟେଦୁରପ୍ପାଙ୍କୁ ଟାଣିବାର ଏହା ହିଁ ମୁଖ୍ୟ କାରଣ ।
ସେପଟେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ମଧ୍ୟ ଟିକେଟ ବଣ୍ଟନ ନେଇ ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଛନ୍ତି । ଯଦିଓ ସଦାନନ୍ଦ ପୂର୍ବରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନଥିଲେ । ତଥାପି ଏବେ ତାଙ୍କ ଆଗ୍ରହ ଆକ୍ରୋଷର ରୂପ ନେଇଛି । ବିଦ୍ରୋହୀ ତେବର ଦେଖାଇ ସଦାନନ୍ଦ ଦଳବଦଳର ଧମକ ଦେବାକୁ ପଛାଇ ନାହାନ୍ତି । ଟିକେଟ ନମିଳିଲେ ସେ ପଦ୍ମ ଛାଡି ହାତ ଧରିବେ, ଅର୍ଥାତ କଂଗ୍ରେସରେ ସାମିଲ ହେବେ ବୋଲି ଚରମବାଣୀ ଶୁଣାଇଛନ୍ତି । ସଦାନନ୍ଦଙ୍କ ଏ ଚେତାବନୀକୁ ବିଜେପି ହାଲକାରେ ନେଇ ନାହିଁ । କାରଣ ନିକଟରେ ସଦାନନ୍ଦ କଂଗ୍ରେସ ନେତୃତ୍ବର ପ୍ରଶଂସା କରିବା ଶୁଣିବାକୁ ମିଳିଥିଲା ।
ବିଜେପି ପାଇଁ କର୍ଣ୍ଣାଟକରେ ଅଡୁଆ ଉପରେ ଅଡ଼ୁଆ। ଦଳୀୟ କିଛି ସାଂସଦ ମଧ୍ୟ ଟିକେଟ ପାଇଁ ଅଡି ବସିଛନ୍ତି । ଦଳୀୟ ଟିକେଟରୁ ବଞ୍ଚିତ କୋପ୍ପଲ ଆସନର ୨ ଥରର ଏମପି କରାଡି ସାଙ୍ଗନ୍ନାଙ୍କ ଅସନ୍ତୋଷ କୁହୁଳିବାରେ ଲାଗିଛି । କଂଗ୍ରେସ ନେତାଙ୍କ ସହ ସେ ଯୋଗାଯୋଗରେ ଥିବା ଖୋଲାଖୋଲି କହିଥିଲେ ମଧ୍ୟ ଏଯାବତ ସେ ଦଳବଦଳ ପାଇଁ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନାହାନ୍ତି ।
ସେହିଭଳି ରାଜ୍ୟର ପୂର୍ବତନ ମନ୍ତ୍ରୀ ଜେସି ମଧୁସ୍ବାମୀ ମଧ୍ୟ ତୁମକୁରୁ ଟିକେଟ ପାଇଁ ଆଶା ବାନ୍ଦି ନିରାଶ ହେବା ପରେ ଭିନ୍ନ ବାଟରେ ରୋଷ କାଢିଛନ୍ତି । ଦଳୀୟ ପ୍ରାର୍ଥୀ ଭି ସୋମନ୍ନାଙ୍କ ପାଇଁ କାମ କରିବାକୁ ସେ ରୋକଠୋକ ମନା କରିଦେଇଛନ୍ତି । ଏଥର ଲୋକସଭା ନିର୍ବାଚନରେ ପିଏମ ମୋଦି ୪୦୦ ଟାର୍ଗେଟ ରଖିଥିବା ବେଳେ ଦକ୍ଷିଣ ଭାରତରୁ ଅଧିକରୁ ଅଧିକ ଆସନ ଜିତିବା ଉପରେ ଫୋକସ କରୁଛି ଦଳ । ମାତ୍ର ରାଜ୍ୟ ବିଜେପିର ତୁଙ୍ଗ ନେତାମାନଙ୍କ ଏଭଳି ଅସନ୍ତୋଷ ଦଳକୁ ମହଙ୍ଗା ପଡିପାରେ । ଏମିତିକି ଦଳ ୨୦୧୯ର ସଫଳତା ରାଜ୍ୟରେ ଦୋହରାଇବା ମୁସ୍କିଲ ହୋଇପାରେ । ୨୦୧୯ରେ ବିଜେପି କର୍ଣ୍ଣାଟକର ୨୮ ଲୋକସଭା ଆସନରୁ ୨୫ଟିରେ ଜିତିଥିଲା । ଅନ୍ୟ ଏକ ଆସନରେ ବିଜେପିକୁ ସମର୍ଥନ କରୁଥିବା ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ହୋଇଥିଲା । ଏଣୁ ବିଜେପି ପାଇଁ କର୍ଣ୍ଣାଟକ ସମ୍ମାନର ପ୍ରଶ୍ନ ମଧ୍ୟ । ଏମିତିରେ ଦଳୀୟ ବରିଷ୍ଠ ନେତାମାନେ ଖୁବ ସତର୍କତାର ସହିତ ଏହି ବିଦ୍ରୋହୀ ନେତାଙ୍କୁ ମନାଇ ସ୍ଥିତି ସ୍ବାଭାବିକ କରିବା ଉପରେ ବିଚାର କରୁଛନ୍ତି ।
ପ୍ରସ୍ତୁତି: ପ୍ରୀତିଶ୍ରୀ ନାୟକ