ଲକ୍ଷ୍ମୀପୁର: ଚୂଲି ଜଳୁଛି, ହଣ୍ଡା ହାଣ୍ଡି ବସିଛି । ଡବଡବ ହୋଇ ଭାତ ବି ଫୁଟୁଛି । ମାତ୍ର କେତେ ସ୍ବାସ୍ଥ୍ୟକର ଏ ପରିବେଶ, ଯେଉଁଠାରେ ରନ୍ଧା ଯାଉଛି ଏ ଖାଦ୍ୟ । ସବୁଠୁ ବଡ଼ କଥା ରନ୍ଧା ହେଉଥିବା ଏ ଖାଦ୍ୟ ହେଉଛି କୁନିକୁନି ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ । ଆପଣ ଭାବିବେ ଯେ, ଅସ୍ବାସ୍ଥ୍ୟକର ପଡିଆରେ, ଖୋଲା ଆକାଶ ତଳେ କାହିଁକି ମଧ୍ୟାହ୍ନ ଭୋଜନ ରନ୍ଧିବାକୁ ପଡିଲା, ହୁଏତ ସ୍କୁଲରେ ରୋଷାଇ ଘର ଖଣ୍ଡେ ନ ଥିବ । ହଁ ଆଜ୍ଞା ରୋଷେଇ ଘର ନାହିଁ, ହେଲେ ସ୍କୁଲର ଏକ ପ୍ରକୋଷ୍ଠକୁ ରୋଷେଇ ଘର କରାଇଥିଲେ ମଧ୍ୟ ତାହା ଭିତରେ ବସି କେହି ରୋଷେଇ କରିବାକୁ ସାହାସ କରୁନାହାନ୍ତି । କାରଣ ସେହି ଘରର ଅବସ୍ଥା ଯାହା କେତେ ବେଳେ ଯେ ଭୁଶୁଡି ପଡ଼ିବ ଏବଂ କାହାର ନା କାହାର ଜୀବନ ଚାଲିଯିବ । ଗତ କାଲି ରାତିରେ ଦାଉ ସାଧିଛି କାଳବୈଶାଖୀର ବର୍ଷା ପବନ । ପ୍ରବଳ ପବନ ଆସି ଦୁର୍ବଳ ହୋଇପଡିଥିବା ଏ ରୋଷେଇ ଘରକୁ ଆହୁରି ଦୟନୀୟ କରି ଚାଲିଯାଇଛି । ଭଙ୍ଗା ଦଦରା ଘରେ ଯାହା ଯେମିତି କରି, ଏଇ କାଳବୈଶାଖୀ ପୂର୍ବ ଯାଏଁ ସ୍କୁଲ କର୍ମଚାରୀମାନେ ରୋଷେଇ କରୁଥିଲେ । ମାତ୍ର ଗଲା କାଲିର କାଳବୈଶାଖୀ ପରଠୁ ଆଉ ଏ ରୋଷେଇ ଘରର ଦୁଆର ମାଡିବାକୁ କେହି ସାହସ କରୁନାହାନ୍ତି । ଏ ସ୍ଥିତି ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଡୁମାଡଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ।

୧୯୫୮ ମସିହାରେ ନିର୍ମିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ୧୩୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟାନ୍ନ ଭୋଜନ ପାଇଁ ଆଜି ଯାଏଁ କୌଣସି ସୁବିଧା ନଥିବା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟାଳୟର ଏକ କୋଠରୀରେ ରୋଷେଇ ଚାଲୁଥିଲା। ଫଳରେ କାଲି ରାତି ବନ୍ଧୁଗାଁ ବ୍ଲକରେ ହୋଇଥିବା କାଳ ବୈଶାଖୀରେ ଉକ୍ତ କୋଠରୀର ଛାତ ଭୁଶୁଡି ପଡିଛି। ପୂର୍ବାବରୁ ରୋଷେଇ ଘର ଖଣ୍ଡେ ପାଇଁ ବାରମ୍ବାର ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏଯାଏଁ କେହି କର୍ଣ୍ଣପାତ କରି ନାହାନ୍ତି। ଶିକ୍ଷା ବିଭାଗ ଏଥିପ୍ରତି ହେଜ୍ଞାନ କରି ଚାଲିଥିବାରୁ ଆଜି ଏଇ ପରିସ୍ଥିତି ଘଟିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି କହିଛି। ବ୍ଲକର ଅନେକ ଅଦରକାରୀ ସ୍ଥାନରେ ବିଭିନ୍ନ ନାମରେ ଗୃହ ଗୁଡିକ ନିର୍ମାଣ ହେଉଛି । ଅଥଚ ବିଦ୍ୟାଳୟରେ ଏକ ରୋଷେଇ ଘର ହେଇ ପାରୁନଥିବା ଦୁଃଖର ବିଷୟ ପାଲଟିଛି।ଶିକ୍ଷା ବିଭାଗର ଅବହେଳା ପାଇଁ ଆଜି ପିଲାଙ୍କ ମଧ୍ୟାନ୍ନ ଭୋଜନ ଖୋଳା ଆକାଶ ତଳେ ରୋଷେଇ ହେଲା, ଯାହା ଏକ ଲଜ୍ୟାଜନକ ବିଷୟ କହିଲେ ଅତ୍ୟୁକ୍ତି ହେବନି। ତେଣୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି।