ନୂଆଦିଲ୍ଲୀ: ଦିଲ୍ଲୀ ଗାଦିରେ କିଏ ବସିବେ। ମୁଖ୍ୟମନ୍ତ୍ରୀ ପଦ କାହା ଭାଗ୍ୟରେ ପଡିବ। ଦିଲ୍ଲୀର ନେତୃତ୍ବ ପାଇଁ କାହାମୁଣ୍ଡରେ ସୁନା କଳସୀ ଢାଲିବେ ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଦୌଡରେ ୫ ଜଣ ପ୍ରମୁଖ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମାନେ ହେଲେ ,
ପରବେଶ ବର୍ମା: ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ପୂର୍ବରୁ ସେ ୨ ଥର ପଶ୍ଚିମ ଦିଲ୍ଲୀର ସାଂସଦ ଥିଲେ। ନାଗରିକତା ସଂଶୋଧନ ଆଇନ, ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକରଣ ଭଳି ବିଭିନ୍ନ ପ୍ରସଙ୍ଗରେ ସାହିନ ବାଗ୍ ବିକ୍ଷୋଭ ବେଳେ ସେ ବିବାଦ ଘେରକୁ ଆସି ଚର୍ଚ୍ଚାରେ ରହିଥିଲା। ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରେ ଆମ ଆଦମୀ ପାର୍ଟି ବା ଆପ୍ ମୁଖ୍ୟ ଅରବିନ୍ଦ କେଜରିବାଲଙ୍କୁ ପରାଜିତ କରିବା ପରେ ଦଳରେ ତାଙ୍କ ଭାବମୂର୍ତ୍ତି ଟାଣ ରହିଛି। ଏହି ଆସନରୁ କଂଗ୍ରେସ ପକ୍ଷରୁ ଲଢି ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ପୁଅ ସନ୍ଦୀପ ଦିକ୍ଷୀତ ପରାଜିତ ହୋଇଛନ୍ତି।
ବୀରେନ୍ଦ୍ର ସଚଦେବ: ସେ ୨୦୨୨ରେ ଦିଲ୍ଲୀ ବିଜେପିର କାର୍ଯ୍ୟକାରୀ ସଭାପତି ଏବଂ ୨୦୨୩ରେ ବିଜେପି ସଭାପତି ଥିଲେ। ତେବେ ୧୯୯୮ ପରେ ପ୍ରଥମଥର ଲାଗି ବିଜେପିକୁ ଦିଲ୍ଲୀରେ କ୍ଷମତାକୁ ଆଣିବାର ଶ୍ରେୟ ବାସ୍ତବରେ ସଚଦେବଙ୍କୁ ହିଁ ଯାଏ।
ବାଂଶୁରୀ ସ୍ବରାଜ: ଦିବଂଗତ ପୂର୍ବତନ ମନ୍ତ୍ରୀ ସୁଶମା ସ୍ବରାଜଙ୍କ ଝିଅ ତଥା ସାଂସଦ ବାଂଶୁରୀ ସ୍ବରାଜ ଦିଲ୍ଲୀର ଟାଣୁଆ ନେତା ଭାବେ ଉଭା ହୋଇଛନ୍ତି। ୨୦୨୩ରେ ତାଙ୍କୁ ଦିଲ୍ଲୀ ବିଜେପି ଲିଗେଲ୍ ସେଲର ମୁଖ୍ୟ ନିଯୁକ୍ତ କରାଯାଇଥିଲା।
ଦୁଷ୍ୟନ୍ତ ଗୌତମ: ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ସଭା ସାଂସଦ ଦୁଷ୍ୟନ୍ତ ଗୌତମ କରୋଲ ବାଗ୍ ନିର୍ବାଚନମଣ୍ଡଳୀର ଆପ୍ର ୩ ଥରର ବିଧାୟକ ବିଶେଷ ରବିଙ୍କୁ ପରାଜିତ କରିଛନ୍ତି।
ମନୋଜ ତିଓ୍ବାରୀ: ଯଦି ବିଜେପି କୌଣସି ସାଂସଦଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହେଁ ତେବେ ସର୍ବପ୍ରଥମେ ମନୋଜ ତିଓ୍ବାରୀଙ୍କ ନାମ ଆସିବ। ୨୦୨୪ ନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଥିବା ତିଓ୍ବାରୀ ଦିଲ୍ଲୀରେ ବିଜେପିର ବଡ଼ ଚେହେରା ଭାବେ ପରିଚିତ। ତେବେ ପୂର୍ବାଞ୍ଚଳ ପ୍ରବାସୀ ବିଶେଷକରି ପୂର୍ବ ଉତ୍ତର ପ୍ରଦେଶ ଓ ପଶ୍ଚିମ ବିହାରରୁ ଦିଲ୍ଲୀ ଆସିଥିବା ଲୋକଙ୍କ ମଧ୍ୟରେ ତାଙ୍କର ବେଶ୍ କାଟତି ରହିଛି।