ବ୍ୟାକରଣ ଦୃଷ୍ଟିରୁ ଜଗନ୍ନାଥ ଶବ୍ଦର ଅର୍ଥ “ଜଗତି” (ସର୍ବୋଚ୍ଚ ସ୍ଥାନ, ‘ରତ୍ନବେଦୀ’) ଉପରେ ବିଜେ କରିଥିବା “ନାଥ” (ସ୍ୱାମୀ/ମାଲିକ) | ତେବେ ଅଧିକାଂଶ ସମୟରେ ପଣ୍ଡିତମାନେ ଏହାକୁ ସଂସ୍କୃତ ସନ୍ଧି ପ୍ରକରଣ ଆଧାରରେ ‘ଜଗତ୍+ନାଥ’ ବୋଲି ଯୁକ୍ତି ଦର୍ଶାଇଥାନ୍ତି, ଯାହା ଓଡ଼ିଆ ସନ୍ଧି ନିୟମ ଦୃଷ୍ଟିରୁ ଭ୍ରମାତ୍ମକ ମନେହୁଏ । ଜଗନ୍ନାଥ ଓଡ଼ିଶାରେ ନାନା ନାମରେ ଜଣାଶୁଣା, ଜଗା, ଜଗବନ୍ଧୁ (ଜଗତର ବନ୍ଧୁ), କାଳିଆ ସାଆନ୍ତ (କଳା ବର୍ଣ୍ଣର ଠାକୁର),ଦାରୁବ୍ରହ୍ମ/ଦାରୁ ଦେବତା (ଦାରୁ/କାଠରେ ତିଆରି ଦେବତା), ଚକା ଆଖି/ଚକା ନୟନ (ଗୋଲ ଆଖିଥିବା ଦେବତା), ଚକା ଡୋଳା (ଗୋଲ ଆଖି ଡୋଳା ଥିବା ଦେବତା)|

ଜଗନ୍ନାଥ ବୁଦ୍ଧଙ୍କୁ ବୁଝାଉଥିବା ଏକ ତିବତୀୟ ଶବ୍ଦ । [୨] କେତେକ ଗବେଷକଙ୍କ ମତରେ ଜଗନ୍ନାଥ ଶବ୍ଦ ଆଦିବାସୀ ଶବ୍ଦ “ଜଗନେଲୋ” (କାଠରେ ତିଆରି ଦେବତା) ଶବ୍ଦରୁ ଆସିଛି ଯାହା ଆଗକାଳର ଶବରମାନଙ୍କଦ୍ୱାରା ପୂଜା ପାଉଥିବା ଜଗନ୍ନାଥଙ୍କୁ ବୁଝାଇଥାଏ । [୩]
ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ଅସଂଖ୍ୟ ନାମ ମଧ୍ୟରୁ ଶ୍ରୀଜଗନ୍ନାଥ ନାମଟିର ସାତନ୍ତ୍ର୍ୟ, ବୈଶିଷ୍ଟ, ମୂଲ୍ୟବୋଧ, ଓ ମହନୀୟତା ଅବର୍ଣ୍ଣନୀୟ । ଏହି ନାମଟିର ସ୍ମରଣ, ମନନ ଓ ଉଚ୍ଚାରଣ ମାତ୍ରେ ଭାବ ମହାଭାବରେ ରୂପାନ୍ତରିତ ହୋଇଯାଏ, ପ୍ରାଣ ଉଦ୍ୱେଳିତ ହୋଇଉଠେ, ହୃଦୟରେ ବ୍ୟାକୁଳତା ଜାଗିଉଠେ ଏବଂ ଭକ୍ତର ନୟନ ତାଙ୍କ ଦର୍ଶନ ନିମିତ୍ତ ଅଧୀର ହୁଏ । ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରର ମଧ୍ୟ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି !