ଚଣ୍ଡୀଗଡ଼: ପ୍ରୟାଗରାଜଠାରେ ଚାଲିଥିବା ପବିତ୍ର ମହାକୁମ୍ଭ ଅବସରରେ ୫୮ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ବୁଡ଼ ସତ୍ତ୍ବେ ଗଙ୍ଗା ଜଳର ଶୁଦ୍ଧତା ପ୍ରଭାବିତ ହୋଇ ନାହିଁ, ବରଂ ଗଙ୍ଗାଜଳ ଚିର ଅମୃତ। ଏହା ଏବେବି ସ୍ନାନଯୋଗ୍ୟ ତଥା ଶୁଦ୍ଧ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସ୍ନାୟୁରୋଗ ବିଭାଗ ମୁଖ୍ୟ ତଥା ପ୍ରଫେସର ବିଜୟନାଥ ମିଶ୍ର ଏଭଳି ଦାବି କରିଛନ୍ତି। ଅନ୍ୟପଟେ ଗଙ୍ଗା ଜଳର ଶୁଦ୍ଧତାକୁ ପ୍ରୟୋଗ ଭିତ୍ତିରେ ପ୍ରମାଣିତ କରିଛନ୍ତି ପଦ୍ମଶ୍ରୀ ବୈଜ୍ଞାନିକ ଡା. ଅଜୟ କୁମାର ସୋନକର। ସଙ୍ଗମ ଓ ଅରୈଲ ସମେତ ମୋଟ ୫ଟି ଘାଟରୁ ଗଙ୍ଗା ଜଳର ନମୁନା ନେଇ ଡା. ସୋନକର ନିଜ ପ୍ରୟୋଗଶାଳାରେ ଯାଞ୍ଚ କରିଥିଲେ। ୩ ମାସର ଗବେଷଣା ପରେ ଡା. ସୋନକର ଯେଉଁ ରିପୋର୍ଟ ଦେଇଛନ୍ତି, ଗଙ୍ଗାଜଳର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକଙ୍କ ଦାବିକୁ ଭୁଲ ପ୍ରମାଣିତ କରିଛି। ଅନ୍ୟପଟେ ଜାତୀୟ ସବୁଜ ଟ୍ରାଇବୁନାଲ (ଏନଜିଟି) ମଧ୍ୟ ଗଙ୍ଗା ଜଳର ଶୁଦ୍ଧତା ଉପରେ ପ୍ରଶ୍ନ ଉଠାଇଥିବା ଏକ ରିପୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି।
ଉଲ୍ଲେଖ ଯେ, ଫେକାଲ କଲିଫର୍ମ ସ୍ତର ବୃଦ୍ଧି ପାଇବା କାରଣରୁ ସଙ୍ଗମ ଜଳ ସ୍ନାନଯୋଗ୍ୟ ନ ଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏହାର ରିପୋର୍ଟରେ ଦର୍ଶାଇଥିଲା। ଏହି ରିପୋର୍ଟ ରାଜନୈତିକ ବିବାଦ ସୃଷ୍ଟି କରିଛି। ତେବେ ଏହା ଉପରେ ଡା. ସୋନକର କହିଛନ୍ତି ଯେ, ପ୍ରୟୋଗଶାଳାରେ ଗଙ୍ଗାଜଳର ଶୁଦ୍ଧତା ପ୍ରମାଣିତ ହୋଇଛି। ମହାକୁମ୍ଭ ଅବସରରେ କୋଟିକୋଟି ଲୋକଙ୍କ ସ୍ନାନ ସତ୍ତ୍ବେ ଗଙ୍ଗା ଜଳରେ କୌଣସି ବ୍ୟାକ୍ଟେରିଆ ବୃଦ୍ଧି ପରିଲକ୍ଷିତ ହୋଇନାହିଁ କିମ୍ବା ଏହାର ପିଏଚ ସ୍ତରରେ ମଧ୍ୟ ହ୍ରାସ ଘଟିନାହିଁ। ଗଙ୍ଗା ଜଳ ଆଲକାଲାଇନ ଓ୍ବାଟର ଭଳି ଶୁଦ୍ଧ। ଏଥିରେ ସ୍ନାନ କରିବା ଦ୍ବାରା କୌଣସି ପ୍ରକାର କ୍ଷତି ହେବ ନାହିଁ।
ସେପଟେ ପ୍ରଫେସର ମିଶ୍ର କହିଛନ୍ତି ଯେ, ଗଙ୍ଗା ନଦୀ ଜଳ ଏକ ପ୍ରକୃତିକ ପ୍ରକ୍ରିୟାରେ ସ୍ବତଃ ପ୍ରଦୂଷଣମୁକ୍ତ ହୋଇଥାଏ। ଏହି ପ୍ରକ୍ରିୟାରେ ସ୍ବତନ୍ତ୍ର ବ୍ୟାକ୍ଟେରିଓଫେଜ୍ ସୃଷ୍ଟି ହୁଏ, ଯାହାକି କ୍ଷତିକାରକ ବାକ୍ଟେରିଆକୁ ନଷ୍ଟ କରିଦିଏ। ଏହି ପ୍ରକ୍ରିୟା ଯେକୌଣସି ପରିମାଣର ପ୍ରଦୂଷଣ ଦୂର କରିବାକୁ ସକ୍ଷମ। ବିଶେଷ କଥା ହେଲା, ଗଙ୍ଗା ଜଳରେ ଯେତେ ଅଧିକ ପରିମାଣରେ ଫେକାଲ କଲିଫର୍ମ ବ୍ୟାକ୍ଟେରିଆ ସୃଷ୍ଟି ହେବ, ତାହାଠାରୁ ଦୁଇଗୁଣା ଅଧିକ ଦ୍ରୁତ ବେଗରେ ଏଥିରେ ପ୍ରଦୂଷଣ ରୋକିବାର ଫେଜ୍ ସୃଷ୍ଟି ହୋଇଥାଏ। ସମ୍ଭବତଃ ଏହି କାରଣରୁ ଗଙ୍ଗା ଜଳ କେବେ ପ୍ରଦୂଷିତ ହେଉ ନ ଥିବାରୁ ଏହାକୁ ‘ଅମୃତ’ କୁହାଯାଏ ବୋଲି ପ୍ରଫେସର ମିଶ୍ର କହିଛନ୍ତି।
ପ୍ରଫେସର ମିଶ୍ରଙ୍କ ଏହି ଯୁକ୍ତିକୁ ମଜବୁତ କରିଛି ପଦ୍ମଶ୍ରୀ ଡା. ସୋନକରଙ୍କ ଗବେଷଣା ଭିତ୍ତିକ ତଥ୍ୟ। ଡା. ସୋନକରଙ୍କ ଅନୁସାରେ, ଗଙ୍ଗା ଜଳରେ ୧୧୦୦ ପ୍ରକାରର ବ୍ୟାକ୍ଟେରିଓଫେଜ ରହିଛି । ଏଗୁଡିକ ଯେକୌଣସି ପ୍ରକାରର ହାନୀକାରକ ବ୍ୟାକ୍ଟେରିଆରକୁ ନଷ୍ଟ କରିଦିଅନ୍ତି। ଖାସ୍ ଏହି କାରଣରୁ ହିଁ ୫୮ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସ୍ନାନ ପରେ ମଧ୍ୟ ଗଙ୍ଗା ଜଳ ଦୂଷିତ ହୋଇ ନାହିଁ, ବରଂ ଏହାର ଅମ୍ଳୀୟତା ସାମାନ୍ୟ ଠାରୁ ଉତ୍ତମ ରହିଛି। ଏହି ଜଳରେ କୌଣସି ଦୁର୍ଗନ୍ଧ କିମ୍ବା ଜୀବାଣୁ ବୃଦ୍ଧି ହୋଇ ନ ଥିବା ଗବେଷଣାରୁ ଜଣାପଡିଛି। ଗଙ୍ଗା ଜଳର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଥିବା ସିପିସିବି ରିପୋର୍ଟକୁ ଏନଜିଟି ମଧ୍ୟ ଭୁଲ୍ ଦର୍ଶାଇଛନ୍ତି। ସିପିସିବି ରିପୋର୍ଟରେ ଉପଯୁକ୍ତ ତଥ୍ୟର ଅଭାବ ଥିବା ଏନଜିଟି କହିଛନ୍ତି।