ବିଶ୍ବକୁ ସଞ୍ଜିବନୀ ଯୋଗାଇବା ଓଡ଼ିଶା ! ଗନ୍ଧମାର୍ଦ୍ଦନର ଭୂମିରୁ ବିଶ୍ବକୁ ମିଳିବ ମହୋଷଧୀ ! ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ଟାରିଫ ବୋମା ମାଡ଼ ଭିତରେ ’ଆତ୍ମନିର୍ଭର’ର ମନ୍ତ୍ର ଜପି ଓଡ଼ିଶା ପାଲଟିବ ବିଶ୍ବର ମସିହା । ବିଶ୍ବ ଭୁଲି ନାହିଁ ବିପର୍ଯ୍ୟୟର ମୁହାଣ ଓଡ଼ିଶା, କୋଭିଡ ମହାମାରୀ ସମୟରେ, ଅନ୍ୟ ରାଜ୍ୟଗୁଡିକୁ ଅକ୍ସିଜେନ ଯୋଗାଇ କିଭଳି ଜୀବନ ରକ୍ଷକ ସାଜିଥିଲା । ଭାରତ ଉପରେ ପ୍ରତିଶୋଧ ସ୍ବରୂପ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ତେବେ ଏହାକୁ ଏକ ସମସ୍ୟା ନୁହେଁ, ବରଂ ଏକ ସୁଯୋଗ ଭଳି ଗ୍ରହଣ କରିପାରିଲେ ସଞ୍ଜିବନୀର ଭୂମି ଓଡ଼ିଶା ନିଶ୍ଚିତ ଭାବେ ଏକ ପ୍ରମୁଖ ଔଷଧ ଯୋଗାଣକାରୀ ହବ୍ ଭାବେ ଆତ୍ମପ୍ରକାଶ କରିପାରିବ । ଏଥିପାଇଁ ରାଜ୍ୟରେ ଭେଷଜ ଗବେଷଣାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ବିଶେଷକରି ଆୟୁର୍ବେଦର ପ୍ରଚାର ପ୍ରସାର ପାଇଁ ଏହା ଏକ ଉତ୍ତମ ଅବସର କହିଲେ ଭୁଲ ହେବ ନାହିଁ ।
ଆଜିର ଏହି ଭିଡିଓରେ ଆପଣଙ୍କୁ ଆମେ ଦେଖାଇବୁ ଓଡ଼ିଶାରେ ଔଷଧୀୟ ଗବେଷଣାର ଇତିହାସ ।
ଓଡ଼ିଶା ମାଟି ଯେ ଜୀବନ ରକ୍ଷାକରୀ ଔଷଧୀୟ ବୃକ୍ଷର ଜନନୀ ତାହା ପୌରାଣିକ କାଳରୁ ବିଦିତ । ପଶ୍ଚିମ ଓଡ଼ିଶାରେ ଅବସ୍ଥିତ ଗନ୍ଧମାର୍ଦ୍ଦନର ସଞ୍ଜିବନୀ ଦ୍ବାରା ଶ୍ରୀ ହନୁମାନ କିଭଳି ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିଥିଲେ ତାହା ପବିତ୍ର ରାମାୟଣ ଗ୍ରନ୍ଥରେ ଲିପିବଦ୍ଧ ।
ଅଥର୍ବ ବେଦ ଓ ଚରକ ସଂହିତାରେ ଉଲ୍ଲେଖ ଥିବା ଅନେକ ଔଷଧୀୟ ଉଦ୍ଭିଦ ଓଡ଼ିଶାର ପର୍ବତ, ଜଙ୍ଗଲରେ ମିଳିଥାଏ। ମହାନଦୀ, ଇବ ଓ ଇନ୍ଦ୍ରାବତୀ ଭଳି ବିଭିନ୍ନ ନଦୀଘାଟରେ ଉଦ୍ଭିଦ ବିଭିଧତାର ପ୍ରାଚୁର୍ଯ୍ୟତା ରହିଛି ।
ଏମିତିକି ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ନିକଟରେ ଚେରମୂଳି ସମ୍ବନ୍ଧୀୟ ଔଷଧୀୟ ଜ୍ଞାନ ମଧ୍ୟ ରହିଛି । ଗଛର ମୂଳ, ପତ୍ର, ଛାଲ, ଫଳ ଦ୍ୱାରା କିଭଳି ଜ୍ୱର, ଚର୍ମରୋଗ, ସାପକାମୁଡ଼, ପିତ, ଆମାଶୟ ଭଳି ରୋଗ ଠିକ କରୁଥିଲେ, ତାହା ଲେଖି ବସିଲେ ଏକ ବିସ୍ତୃତ ଅଧ୍ୟାୟ ହେବ । ଏହି ଲୋକଜ୍ଞାନ ସମୟକ୍ରମେ ପିଢ଼ି ପରେ ପିଢ଼ିକୁ ମୌଖିକ ରୂପରେ ପ୍ରସାରିତ ହୋଇଛି।
ଖାଲି ଏତିକି ନୁହେଁ, ମାଦଳାପାଞ୍ଜିରେ ମଧ୍ୟ କେତେକ ଔଷଧୀୟ ପ୍ରଥାର ଉଲ୍ଲେଖ ମିଳେ। ମଧ୍ୟ ଯୁଗରେ ଆୟୁର୍ବେଦ ଓ ଯୁନାନୀ ଚିକିତ୍ସା ପଦ୍ଧତି ଦ୍ବାରା ଅତୀତରେ ଲୋକେ ହାକିମ ଓ ବୈଦ୍ୟଙ୍କ ମାଧ୍ୟମରେ ଔଷଧୀୟ ଚିକିତ୍ସା ପାଇଥିଲେ। ଉପନିବେଶୀ କାଳରେ ଅର୍ଥାତ ଇଂରାଜ ଶାସନକାଳରେ କଟକ ମେଡିକାଲ ସ୍କୁଲ (1876) ଓ ପରେ SCB Medical College (1944) ସ୍ଥାପନ କରାଗଲା। ଏହି ସଂସ୍ଥାଗୁଡ଼ିକ ଆଲୋପେଥିକ ଚିକିତ୍ସା ଶିକ୍ଷା ସହିତ ଫାର୍ମାକୋଲଜିକାଲ ଗବେଷଣାର ଆରମ୍ଭ କଲା।
ସ୍ୱାଧୀନତା ପରେ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ ଗଠନ (2000) ଦ୍ୱାରା ବ୍ୟବସ୍ଥିତ ଉଦ୍ଭିଦ ସର୍ବେକ୍ଷଣ ଓ ସୁରକ୍ଷା ସୁନିଶ୍ଚିତ କରାଯାଇଛି ।
ଭୁବନେଶ୍ୱର (CSIR unit) ସ୍ଥିତ ରିଜିଅନାଲ ରିସର୍ଚ୍ଚ ଲାବ (RRL) ଔଷଧୀୟ ଉଦ୍ଭିଦ, ମାଇକ୍ରୋବିଆଲ ରିସର୍ଚ୍ଚରେ କାମ କରିଥାଏ।
କେନ୍ଦୁଲି, କୋରାପୁଟ, ସିମିଳିପାଲ ଅଞ୍ଚଳକୁ “ଜୈବ ବିଭିଧତା ହଟସ୍ପଟ” ଭାବେ ଚିହ୍ନଟ କରାଯାଇଛି।
ଆଧୁନିକ ଓଡ଼ିଶାରେ KIIT, SOA, OUAT, NISER ଭଳି ବିଶ୍ୱବିଦ୍ୟାଳୟରେ ବାୟୋଟେକ୍ନୋଲୋଜି ଓ ମେଡିସିନାଲ ପ୍ଲାଣ୍ଟ ରିସର୍ଚ୍ଚ କେନ୍ଦ୍ର ସ୍ଥାପନ ହୋଇଛି । ସେହିଭଳି ଭୁବନେଶ୍ୱର ICMR-Regional Medical Research Centre (RMRC)ରେ ମାଲେରିଆ, ଫିଲେରିଆ, ଭାଇରାଲ ରୋଗ, ଔଷଧୀୟ ପ୍ରଭାବ ଉପରେ ଗବେଷଣା କରାଯାଉଛି ।
ବିଶ୍ବରେ ଔଷଧର ଏକ ବୃହତ ଏବଂ ଚିର ସବୁଜ ବଜାର ରହିଛି, ଯାହାକି ସଦାସର୍ବଦା ଲାଭ ପ୍ରଦାୟକ ଅଟେ । ଏମିତିରେ ରାଜ୍ୟରେ ମେଡିସିନାଲ ରିସର୍ଚ୍ଚ ଓ ଶିଳ୍ପକୁ ପ୍ରୋତ୍ସାହନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କଲେ ତାହା ବିକାଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ ନିଶ୍ଚତ ଭାବେ ସବୁଠୁ ବଡ଼ ଏବଂ ପ୍ରଭାବଶାଳୀ ପଦକ୍ଷେପ ହେବ ।