୨୨ ବର୍ଷ ଧରି ବଦୁଳୁନି ଭାଗ୍ୟ
ପଲିଥିନ ତଳେ ଦୁର୍ଭାଗ୍ୟ ଘୋଡାଇବାର ପ୍ରୟାସ
ପଟ୍ଟାମୁଣ୍ଡାଇ: ଝାଟିମାଟି ଘରେ ଛାଟିପିଟି ହେଉଛି ଜୀବନ । ଛପର ଫାଙ୍କରେ ଉଙ୍କି ମାରୁଛି ତାରା । କେତେବେଳେ ଝରେ ବର୍ଷା ପାଣି, ପୁଣି କେତେବେଳେ ଭାସିଆସେ ଖରା । ବୈଶାଖରେ ଡରାଏ କାଳବୈଶାଖୀ, ଶ୍ରାବଣରେ କୃତ୍ରିମ ଝରଣା ପାଲଟେ ବଖରା ମଝି। ଭିଜେ ପିନ୍ଧା ଲୁଗା, ବେଡିଙ୍ଗି ବସ୍ତାନୀ, ପାଣିରେ ମିସେ ସଉଦା, ଲୁଣ ଆଉ ଚିନି । ଠାଆକୁ ଠାଆ ତାଟିଆ ଗିନା ରଖି, କେବଳ ଭାଗ୍ୟ ଆଦରି ଏ ପରିବାର ରହିଥାଏ ସିନା, ହେଲେ ବର୍ଷବର୍ଷ ଧରି ବଦଳୁନି ସ୍ଥିତି, ବଦଳୁନି ଦୁର୍ଦ୍ଦଶାର ଏ ଚିତ୍ର । ପଲିଥିନ ତଳେ ଦୁର୍ଭାଗ୍ୟକୁ ଘୋଡାଇବାର ଦୁର୍ବାର ପ୍ରୟାସ ଯାହା କରୁଛି ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଏ ପରିବାର ।

ଦୀର୍ଘ ୨୨ ବର୍ଷ ଧରି ପାଲ ତଳେ ଜୀବନ ବିତାଇ ଆସୁଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ଅଳପୁଆ ଗ୍ରାମ ନିବାସୀ ଟୁନା ବେହେରାଙ୍କ ପରିବାର । ଅର୍ଥାଭାବରୁ ୭ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇ ପଡୁଥିବା ବେଳେ ନିଜେ ନିଜ ପାଇଁ ଘରଟିଏ ତୋଳିବା ଏମାନଙ୍କ ପାଇଁ ସ୍ବପ୍ନ ସଦୃଶ । ସେପଟେ ନିଃସହାୟ, ବାସହରାଙ୍କୁ ବାସଗୃହ ଯୋଗାଇ ଦେବାକୁ କଲ୍ୟାଣକାରୀ ଯୋଜନା କରିଥିବା ପୂର୍ବତନ ସରକାର ଡିଣ୍ଡିମ ପିଟି ଆସୁଥିଲେ ମଧ୍ୟ ଗତ ୨୨ ବର୍ଷ ହେବ ଏହି ପରିବାର ପକ୍କା ଘର ପାଇବା ତ ଦୂରର କଥା ମୁଣ୍ଡ ଉପରକୁ ଆଜବେଷ୍ଟ ଖଣ୍ଡେ ପାଇ ପାରି ନାହିଁ । ଅତୀତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରରୁ ଅନୁମୋଦିତ ଅର୍ଥ ହିତାଧିକାରୀଙ୍କ ନିକଟରେ କେତେ ପହଞ୍ଚିପାରିଛି ତାର ଜୀବନ୍ତ ଉଦାହାରଣ ଏହି ପରିବାର ।
ସେପଟେ ନିଜ ନିଜର ଅଂଶିଦାର ମାନଙ୍କ ମଧ୍ୟରେ ନିଜ ନିଜର ସତ୍ଵ ପାଇବା ପାଇଁ ସବୁବେଳେ ବିବାଦ ସୃଷ୍ଟି କରୁଥିବାରୁ ଟୁନା ତାଙ୍କ ସତ୍ଵ ପାଇପାରୁ ନାହାଁନ୍ତି। ଏହି ବିବାଦକୁ ନେଇ ଟୁନା ନିଜ ଅଞ୍ଚଳର ମୂରବୀ ଓ ଦୀର୍ଘ ବାଇଶି ବର୍ଷ ଧରି ପଞ୍ଚାୟତକୁ ନିର୍ବାଚିତ ହୋଇ ଆସୁଥିବା ସରପଞ୍ଚମାନଙ୍କ ନିକଟରେ ହାରିଗୁହାରି କରିଆସୁଥିଲେ ହେଁ ଘଟଣାର ସମାଧାନ ହୋଇପାରୁନାହିଁ। ଫଳରେ ପାଲତଳେ ଦୁଇ ବଖରା ଘରେ ଦିନ କାଟୁଛନ୍ତି ପରିବାରର ୭ ଜଣ ସଦସ୍ୟ । ହେଲେ ସେତିକିରେ ତାଙ୍କ ଦୁଃଖ ସରିନାହିଁ, ମାଲି ମକଦ୍ଦମାରେ ଛନ୍ଦି ହୋଇ ବହୁ ହୀନସ୍ତା ହେଉଛନ୍ତି ଟୁନାଙ୍କ ପରିବାର। ଟୁନା ବେହେରାଙ୍କ ପରିବାର କହିଲେ ତାଙ୍କ ପତ୍ନୀ, ତାଙ୍କ ପୁଅ, ବୋହୂ, ନାତି ଓ ଦୁଇ ନାତୁଣୀ । ଏମାନେ ଯେଉଁ ଦୁଇ ବଖରା ଘରେ ରୁହନ୍ତି ତାହା ଖୋଲାମେଲା ସ୍ଥାନଠାରୁ କିଛି କମ୍ ନୁହେଁ । ନାଁକୁ କେବଳ ଯାହା ଚାରି କାନ୍ଥ ଅଛି । ପ୍ରଚଣ୍ଡ କାଳବୈଶାଖୀରେ ଅଥବା ଝଡ଼ ବତାଶରେ ଅନେକଥର ଏ ମାଟି କାନ୍ଥ ଧୋକା ଦେଇଛି । ପୁଣି ତାକୁ ମାଟି ବୋଳି ଦମ୍ଭ ଦେବାକୁ ଉଦ୍ୟମ କରିଛି ଏ ପରିବାର । ଜୀବନ ପ୍ରତି ବିପଦ ଲାଗି ରହୁଥିବାରୁ, ସାମାନ୍ୟ ବର୍ଷା ପବନ ହେଲେ ପିଲାଛୁଆ ଧରି ଅନିଦ୍ରାରେ ଏମାନଙ୍କ ରାତି ବିତେ । ଗତ ୨୨ ବର୍ଷ ଧରି ଏ ଧାରା ଜାରି ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କି ସରକାର କେହି ଏହି ପରିବାରର ଦୁଃଖ ଶୁଣିବାକୁ ପ୍ରୟାସ ମଧ୍ୟ କରିନାହାନ୍ତି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ନୂତନ ସରକାରଙ୍କଠାରୁ ସହାୟତା ପାଇଁ ଆଶା ବାନ୍ଧି ବସିଛି ଟୁନା ବେହେରାଙ୍କ ପରିବାର । ସହାୟତା ଆଶାରେ ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇବା ସହିତ ସରକାରୀ ସ୍ତରରେ ସମସ୍ୟାର ସମାଧାନ କରିଦେବାକୁ ଆକୁଳ ନିବେଦନ କରିଛନ୍ତି ଟୁନା ବେହେରା ଓ ତାଙ୍କ ପରିବାର ।