ଦିଗହରା ହେଉଛନ୍ତି ଟ୍ରମ୍ପ! ଅହଂ ରକ୍ଷା ପାଇଁ ଧରୁଛନ୍ତି ଅବାଟ ! ଆମେରିକା ପାଇଁ ବୁମେରାଂ ହେବ ଟ୍ରମ୍ପଙ୍କ ପଦକ୍ଷେପ । ଆତଙ୍କବାଦର ପ୍ରୋତ୍ସାହକ ପାକିସ୍ତାନ ପାଇଁ ଅନୁକମ୍ପା ଆମେରିକାକୁ ପଡିବ ଭାରି । ଆଉ ଥରେ ଭସ୍ମାସୁର ସହ ହେବ ମୁହାଁମୁହିଁ । ହଁ ଆଜ୍ଞା ଭାରତକୁ ନିଜ ଜିଦ ସମ୍ମୁଖରେ ନୁଆଁଇବାର ବୃଥା ପ୍ରୟାସ ଭିତରେ ଟ୍ରମ୍ପଙ୍କର ଏକ ବୋକାମୀ ପଦାକୁ ଆସିଛି ।
ହଁ ଆଜ୍ଞା, ଟ୍ରମ୍ପ ବୋକାମୀ କରିଛନ୍ତି । କାରଣ ପାକିସ୍ତାନକୁ ଏକ ପୀଡ଼ିତ ବୋଲି ଭାବି ସେ ସହାୟତାର ହାତ ବଢାଇଛନ୍ତି । ଅପରେସନ ସିନ୍ଦୁର ସମୟରେ ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଚାରୋଟି F-16 ଯୁଦ୍ଧ ବିମାନ ସ୍ୱିଡିଶ ନିର୍ମିତ Saab 2000 Erieye AWACS ଏବଂ ଏକ Lockheed C-13 କ୍ଷତିଗ୍ରସ୍ତ ହୋଇଥିଲା । ଏଥିସହ ଭାରତର ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ଆକ୍ରମଣରେ ପାକିସ୍ତାନର ଅନେକ ଏୟାରବେସରେ ବହୁ ରାଡାର ସିଷ୍ଟମ, କମାଣ୍ଡ ଓ ନିୟନ୍ତ୍ରଣ ୟୁନିଟ୍ ଏବଂ ବାୟୁ ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟ ନଷ୍ଟ ହୋଇଥିଲା।
PAF ଶାହବାଜ ବାୟୁସେନା ଘାଟି (ଜାକୋବାବାଦ)ରେ ଦୁଇଟି F-16 ବିମାନ ହ୍ୟାଙ୍ଗରରେ ନଷ୍ଟ ହୋଇଯାଇଥିଲା ।
ନୂର ଖାନ ବାୟୁସେନା ଘାଟି (ରାୱଲପିଣ୍ଡି)ରେ ଗୋଟିଏ F-16 ଏବଂ ଗୋଟିଏ C-130 କ୍ଷତିଗ୍ରସ୍ତ ହୋଇଥିଲା ।
ସରଘୋଧା, ରହିମ ୟାର ଖାନ ଏବଂ ମୁସଫ ବାୟୁସେନା ଘାଟିରେ ରନୱେ, ହ୍ୟାଙ୍ଗର ଏବଂ ଯୋଗାଯୋଗ ବ୍ୟବସ୍ଥା ଭଳି ଭିତ୍ତିଭୂମି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।
ଆଉ ପହଲଗାମ ଆକ୍ରମଣକୁ ସମସ୍ବରରେ ନିନ୍ଦା କରିଥିବା ଆମେରିକା ହିଁ ପାକିସ୍ତାନର ଏହି କ୍ଷତିଗ୍ରସ୍ତ ସାମରିକ ସାଧନ ଓ ବ୍ୟବସ୍ଥାଗୁଡିକୁ ସଜାଡିଥିଲା । ପାକିସ୍ତାନର ଉଚ୍ଚସ୍ତରୀୟ ପ୍ରତିରକ୍ଷା ସୂତ୍ର ଏହା ପ୍ରକାଶ କରିଛି । ଯାହାକି ଭାରତ ପାଇଁ ଏକ ବଡ଼ ଝଟକା । ସୂଚନା ଅନୁସାରେ, ଏସବୁର ମରାମତି ଏବଂ ଉନ୍ନତିକରଣ ପାଇଁ ୨୦୨୫ ମେ ଶେଷ ଭାଗରେ $400-$470 ନିୟୁତ ଗୁପ୍ତ ଜରୁରୀକାଳୀନ ପାଣ୍ଠିକୁ ମଞ୍ଜୁର କରାଯାଇଥିଲା। କୁହାଯାଉଛି ଯେ ପାକିସ୍ତାନ କାଳେ ଏଥିପାଇଁ ପ୍ରଥମେ ଚୀନର ସହାୟତା ଲୋଡିଥିଲେ । ମାତ୍ର F-16 ଏବଂ C-130 ବିମାନ ସହ ଜଡିତ ପ୍ରଯୁକ୍ତିବିଦ୍ୟା ଚୋରି ହେବାର ଆଶଙ୍କା କରି ଆମେରିକା ଚୀନକୁ ମରାମତିରେ ସହାୟତା କରିବାରୁ ବାରଣ କରିଥିଲା ।
କହିବାର କଥା ହେଉଛି ଆତଙ୍କବାଦୀଙ୍କ ପ୍ରୋତ୍ସାହକ ପାକିସ୍ତାନରେ ଆତଙ୍କବାଦର ଆଡା ଧ୍ବଂସ କରିବାକୁ ଭାରତ ଏହି ଅଭିଯାନ ଚଳାଇଥିଲା । କିନ୍ତୁ ଆମେରିକା ପାକସ୍ତାନକୁ ସାମରିକ ଭାବେ ପୁନଃ ସଦୃଢ କରୁଛି । ଯାହାକି ପରେ ଅଧିକ ଶକ୍ତିଶାଳୀ ହୋଇ ପୁନଃ ଆତଙ୍କବାଦୀଙ୍କୁ ସହଯୋଗ ପୂର୍ବକ ପ୍ରୋତ୍ସାହନ ଯୋଗାଇବ । ଏମିତିରେ ଆମେରିକା ସମ୍ଭବତଃ ଭୁଲିଯାଉଛି ଯେ
୧୯୭୯ରୁ ୧୯୮୯ ମଧ୍ୟରେ ସୋଭିଏତର ଆଫଗାନିସ୍ତାନ ହମଲା ବେଳେ ଆମେରିକା କିଭଳି ଆଫଗାନ ମୁଜାହିଦ୍ଦିନଙ୍କୁ ସ୍ବାଧୀନତା ସଂଗ୍ରାମୀର ଆଖ୍ୟା ଦେଇ ସାମରିକ ଭାବେ ସଶକ୍ତ କରିଥିଲା । ପରେ ସେହି ମୁଜାହିଦ୍ଦିନ ଆତଙ୍କବାଦର ସୂତ୍ରପାତ କରିଥିଲେ । ମୁଣ୍ଡ ଟେକିଥିଲା ଲଶ୍କର ଇ ତୋଏବା । ପରେ ଏହାର ମୁଖ୍ୟ ଓସାମା ବିନ ଲାଡେନ ଆମେରିକା ଅର୍ଥରେ ଅସ୍ତ୍ର କିଣି ଆମେରିକା ବିରୋଧରେ ହିଁ ଆତଙ୍କବାଦର ଜଘନ୍ୟ ଷଡ଼ଯନ୍ତ୍ର ରଚିଥିଲା । ଯାହାକି ବିଶ୍ବ ବାଣିଜ୍ୟ ସଂସ୍ଥାର ନଭଶ୍ଚୁମ୍ଭୀ ଅଟ୍ଟାଳିକା ଧ୍ବଂସ ଘଟଣା ଭାବେ ଇତିହାସରେ ରହିଛି । ଏହି ଘଟଣା ପରେ ଯଦିଓ ଆମେରିକା ଆତଙ୍କବାଦ ବିରୋଧର ଅଭିଯାନ ଆରମ୍ଭ କରିଥିଲା, ତଥାପି ଟ୍ରମ୍ପ ସେହି ରାହାରୁ ଦିଗହରା ହେଉଥିବା ଭଳି ମନେହେଉଛି । କାରଣ ଟ୍ରମ୍ପ ଯଦି ପାକିସ୍ତାନକୁ ଏଭଳି ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଚାଲନ୍ତି ତେବେ ଭବିଷ୍ୟତରେ ନିଶ୍ଚିତ ଭାବେ ଆମେରିକାକୁ ଆଉ ଜଣେ ଭସ୍ମାଶୂର ସହ ମହାଁମୁହିଁ ହେବାକୁ ପଡିବ ।