କ୍ରସ ଭୋଟିଂ ପଛର ବାସ୍ତବ ଭିଲେନ ଡିଏମକେ!
ତାମିଲନାଡୁରେ ରିପିଟ୍ ହେଲା କି ଓଡ଼ିଶା ଫର୍ମୁଲା? ବିଜେଡି ଭଳି ହରଡ଼ଘଣାରେ ପଡିଲା କି ଡିଏମକେ? ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ପଛ ବାସ୍ତବ ଭିଲେନ କଣ ଷ୍ଟାଲିନ? ୧୪ ଭୋଟକୁ ନେଇ ସସପେନ୍ସ ଜାରି? କିଏ ସାଜିଲା ବିଶ୍ବାସଘାତକ? କିଏ ପାଲଟିଲା ଅଣ୍ଟି ଛୁରୀ ? ଇଣ୍ଡି ମେଣ୍ଟରେ ପଡିଛି ଭାଳେଣି ।
ଏନଡିଏକୁ ଭିତିରି ସମର୍ଥନ ଦେଇ କାହାକୁ ହେବ ଫାଇଦା? ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସଭୋଟିଂ ପଛରେ ରହିଛି କାହାର ରଣନୀତି? ଅନ୍ତର୍ଘାତୀ କିଏ, ଜାଣିବାକୁ ଏହି ଘଟଣା ପଛର ପ୍ରତିଟି ବିନ୍ଦୁକୁ ଘାଣ୍ଟୁଛନ୍ତି ବିରୋଧୀ ଦଳ । ବିରୋଧୀଙ୍କ ନିଦ ଉଡାଇ ଦେଇଛି ଏନଡିଏ ପ୍ରାର୍ଥୀଙ୍କୁ ମିଳିଥିବା ଅତିରିକ୍ତ ୧୪ ଭୋଟ । କିଏ ଏହି ୧୪ ଜଣ ସାଂସଦ? କଣ ଏହି ସନ୍ଦିଗ୍ଧ ୧୪ ଭୋଟର ଖେଳ? ଅଡୁଆ ସୂତା ପାଲଟିଛି ଏ କ୍ରସ ଭୋଟିଂ । 3ଟି ଦଳ ଅଙ୍ଗୁଳି ଉଠୁଥିବା ବେଳେ ଡାର୍କ ହର୍ସ ଭଳି ସନ୍ଦେହ ଘେରକୁ ଆସିଛି ଡିଏମକେ!
ନମସ୍କାର, ସିପି ରାଧାକୃଷ୍ଣନଙ୍କୁ ଦେଶର 15ତମ ଉପରାଷ୍ଟ୍ରପତି ନିର୍ବାଚିତ କରାଯାଇଛି। ମଙ୍ଗଳବାର ଏ ନେଇ ସଂସଦରେ ଅନୁଷ୍ଠିତ ଭୋଟିଂରେ ରାଧାକ୍ରିଷ୍ଣନ୍ ଚମତ୍କାର ବିଜୟ ହାସଲ କରିଛନ୍ତି। ୬୮ ବର୍ଷୀୟ ଏନଡିଏ ପ୍ରାର୍ଥୀଙ୍କୁ ମୋଟ ୪୫୨ ଭୋଟ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ବିରୋଧୀଙ୍କ ପ୍ରାର୍ଥୀ ଥିବା ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ସଂସଦରେ ଏନଡିଏର ଶକ୍ତି ଅନୁସାରେ ଏହା ସପକ୍ଷରେ 427 ଭୋଟ ରହିବ ବୋଲି ବିଶ୍ୱାସ କରାଯାଉଥିଲା । କିନ୍ତୁ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନଙ୍କୁ ମିଳିଥିଲା ଅତିରିକ୍ତ ୨୫ ଭୋଟ । ଯେଉଁଥିରେ ଥିଲା ଓ୍ବାଇଏସଆର ସିପିର ୧୧ ଟି ଭୋଟ । ତେବେ ବାକି ୧୪ ଭୋଟ କେଉଁଠୁ ଆସିଲା, ତାହା ଜାଣିବା ପାଇଁ ବୁଝିବାକୁ ହେବ ଏହା ପଛର ପୂରା ଗଣିତ ।
ଏହି 452 ଭୋଟ ପଛର ଅସଲ ଖେଳ ଆରମ୍ଭ ହୋଇଥିଲା ବିଜେଡିର ଭୋଟ ବର୍ଜନରୁ । ବିଜେଡିର ୭ ସାଂସଦଙ୍କ ଭଳି ଭାରତ ରାଷ୍ଟ୍ର ସମିତିର ୪ ସାଂସଦ, ଶିରୋମଣି ଅକାଳୀ ଦଳର ଜଣେ ସାଂସଦ ଏବଂ ପଞ୍ଜାବର ଦୁଇଜଣ ସ୍ୱାଧୀନ ସାଂସଦଙ୍କୁ ମିଶାଇ ମୋଟ ୧୪ ସାଂସଦ ଭୋଟ ଦେବାରୁ ବିରତ ରହିଥିଲେ। ଅର୍ଥାତ ୭୬୭ ସାଂସଦ ଭୋଟ ଦେଇଥିଲେ। ସେପଟେ 15 ଟି ଭୋଟ ନାକଚ ହୋଇଯିବା ପରେ ବୈଧ ରହିଥିଲା କେବଳ 752 ଭୋଟ । ନାକଚ ଭୋଟ ମଧ୍ୟରୁ 10 ଟି NDAର ଏବଂ 5 ଟି ଇଣ୍ଡିଆ ବ୍ଲକର ଥିଲା। ତଥାପି, ଗଣତି ଆରମ୍ଭ ହେବା ପୂର୍ବରୁ, ସଂସଦରେ ଏନଡିଏ ସପକ୍ଷରେ ୪୨୭ ଭୋଟ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଫଳାଫଳ ଆସିବା ପରେ ରାଧାକ୍ରିଷ୍ଣନ୍ ୪୫୨ ଭୋଟ ପାଇଥିଲେ। YSR କଂଗ୍ରେସର ମୋଟ ୧୧ ସାଂସଦ NDA ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ବାକି 14 ଅତିରିକ୍ତ ଭୋଟ୍ କାହାର? ତାହାକୁ ନେଇ ଏବେ ସୃଷ୍ଟି ହୋଇଛି କ୍ରସଭୋଟିଂର ସନ୍ଦେହ । ସନ୍ଦେହ ଘେରରେ ୩ଟି ଦଳ ରହିଛି । ଏହି ଦୁଇ ଦଳ ହେଲେ ଆମ ଆଦମୀ ପାର୍ଟି, ଏନସିପି ଏସପି ଏବଂ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) । ଏନଡିଏକୁ ଅତିରିକ୍ତ ୨୫ ଭୋଟ ମିଳିଥିବା ବେଳେ ୪୦ରୁ ଅଧିକ ବିରୋଧୀ ସାଂସଦ ସମର୍ଥନ ପାଇଁ ପ୍ରସ୍ତୁତ ଥିଲେ ବୋଲି ବିଜେପି ନେତାମାନେ ଦେଇଥିବା ବୟାନ ଏହି ସନ୍ଦେହକୁ ଆହୁରି ଘନିଭୂତ କରିଦେଇଛି। ସେପଟେ ଗତ କିଛି ଦିନ ହେବ ଏନସିପି ସିପି ଓ ଶିବସେନା (ୟୁବିଟି) ଇଣ୍ଡି ମେଣ୍ଟରୁ ଦୂରେଇ NDAରେ ସାମିଲ ହେବାକୁ ଚାହୁଁଥିବା ନେଇ ଆଲୋଚନା ଚାଲିଛି । ମାତ୍ର ଏକ୍ରସ ଭୋଟିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏହି ୩ ଦଳ ।
ଏମିତିରେ ଏବେବି ସେହି ପ୍ରଶ୍ନ ଜାରି ରହଛି ଯେ, କେଉଁଠୁ ଆସିଲା ଏହି ୧୪ ଭୋଟ । ଏହା ଉପରେ ଯଦି ଆହୁରି ଗଭୀର ଭାବେ ବିଚାର କରିବେ ତେବେ ଏହାର କଡ଼ି ତାମିଲନାଡୁ ସହିତ ଯୋଡି ହୋଇଥାଇପାରେ । କାରଣ ଏନଡିଏ ପ୍ରାର୍ଥୀ ଭାବେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ରାଧାକ୍ରିଷ୍ଣନ ବାସ୍ତବରେ ତାମିଲନାଡୁରେ ବିଜେପିର ବଡ଼ ଚେହେରା । ଏନଡିଏ ପ୍ରାର୍ଥୀ ଭାବରେ ତାଙ୍କର ଚୟନ ତାମିଲନାଡୁର ଦ୍ରାବିଡ଼ ସମ୍ପ୍ରଦାୟ ପାଇଁ ଏକ ଆହ୍ବାନ ଥିଲା। ଇଣ୍ଡି ଆଲାଏନ୍ସ ତୁରନ୍ତ ଏହାର ଜବାବରେ ଜଣେ ତେଲୁଗୁ ବ୍ୟକ୍ତି ତଥା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିଲା।
କିନ୍ତୁ ଫେଲ ମାରିଯାଇଛି ଇଣ୍ଡି ମେଣ୍ଟର ସବୁ ରଣନୀତି । ବାଜି ମାରି ନେଇଛନ୍ତି ମୋଦୀ । ଗୋଟିଏ ତୀରରେ କରିଛନ୍ତି ଦୁଇଟି ଶିକାର । ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଭଳି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଜଣେ ଦ୍ରାବିଡଙ୍କୁ ସମର୍ଥନ କରିବାକୁ ସମ୍ଭବତଃ ବାଧ୍ୟ ହୋଇଛି ଡିଏମକେ । ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କୌଣସି ଦଳ ହୁଇପ ଜାରି କରି ନ ଥିବାରୁ ସମ୍ଭବତଃ ବିଜେଡି ଭଳି ’ବିବେକାନୁମୋଦିତ ଭୋଟିଂ’ ର ରଣନୀତି ଆପଣାଇ ଥାଇପାରନ୍ତି ଡିଏମକେ ସାଂସଦମାନେ । କାରଣ ଆଗାମୀ ବର୍ଷ ତାମିଲନାଡୁରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ରାଧାକ୍ରିଷ୍ଣନଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ପଦରେ ବସାଇ ପିଏମ ନରେନ୍ଦ୍ର ମୋଦୀ ୨୦୨୬ ଫାଇଟ ପାଇଁ ବିଛାଇ ଦେଇଛନ୍ତି ରଣନୈତିକ ଜାଲ ।