ହାଇଦରାବାଦ: ତେଲଙ୍ଗାନାର ଶ୍ରୀଶୈଳମ ଡ୍ୟାମ ପଛପାର୍ଶ୍ବରେ ଥିବା ଏକ ନିର୍ମାଣଧୀନ ସୁଡ଼ଙ୍ଗ ଶନିବାର ଭୁଶୁଡି ପଡିଛି। ଭଗ୍ନ ସୁଡ଼ଙ୍ଗରେ ୮ ଜଣ ଶ୍ରମିକ ଫସି ରହିଥିବା ଜଣାପଡିଛି। ଏହି ଶ୍ରମିକ ମାନେ ସୁଡ଼ଙ୍ଗ ଭିତରେ ନିର୍ମାଣ କାର୍ଯ୍ୟ କରିବାକୁ ଯାଇଥିଲେ। ସୁଡଙ୍ଗ ଭିତରେ ପ୍ରବେଶ କରିବାର କିଛି ସମୟ ପରେ ତାହାର ଏକ ଅଂଶ ଭୁଶୁଡିବା ଆରମ୍ଭ ହୋଇଥିଲା। ୨୪ରୁ ଅଧିକ ଲୋକ ଏହା ଦେଖି ପ୍ରାଣମୂର୍ଚ୍ଛା ସୁଡ଼ଙ୍ଗ ବାହାରକୁ ଦୌଡ଼ି ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ମାତ୍ର ୮ ଜଣ ଶ୍ରମିକ ମାଟି ଅତଡା ସେପଟେ ଫଶିଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ଏକ ଅଭିଯାନ ଆରମ୍ଭ ହୋଇଛି। ଟନେଲଟି ୧୦ ମିଟର ପର୍ଯ୍ୟନ୍ତ ଭୁଶୁଡି ପଡିଥିବା ବେଳେ ୨୦୦ ମିଟର ପର୍ଯ୍ୟନ୍ତ କାଦୁଅ ବିଚ୍ଛୁରିତ ହୋଇ ପଡିଛି। ଫିସିଥିବା ଶ୍ରମିକମାନଙ୍କ ମଧ୍ୟରୁ ୪ ଜଣ ଝାଡ଼ଖଣ୍ଡର ହୋଇଥିବା ବେଳେ ୨ ଜଣ ଉତ୍ତର ପ୍ରଦେଶର ଏବଂ ଜଣେ ଲେଖାଏଁ ଜାମ୍ମୁ କାଶ୍ମୀର ଓ ପଞ୍ଜାବର ବୋଲି ଜଣାପଡିଛି। ଏହି ଟନେଲଟି ନଗରକୁର୍ଣ୍ଣୁଲ ଜିଲ୍ଲା ଅନ୍ତର୍ଗତ ଶ୍ରୀଶୈଳମ ଲେଫ୍ଟ ବ୍ୟାଙ୍କ କେନାଲ ଉପରେ ଅମରାବାଦଠାରେ ଅବସ୍ଥିତ। ଏହି ଘଟଣାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଶ୍ରମିକମାନଙ୍କ ଉଦ୍ଧର ନେଇ ସମସ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଜଣାଯାଇଛି।