ପାହଡ ଉପରେ ପ୍ରଳୟର ରଚିଛି ପ୍ରକୃତି । ରାତିର ଅନ୍ଧକାରରେ ନିର୍ଘାତ ବାଦଲ ଫଟା ବର୍ଷା, ଆଉ ସକାଳ ହେବା ବେଳକୁ ବଦଳିଯାଇଛି ପର୍ଯ୍ୟଟନ ହବ ଡେରାଡୁନର ଭୂଗୋଳ । ପାହାଡ ଛାତିରେ ଯେମିତି ତାଣ୍ଡବ ରଚୁଛି ପାଣି । ଆଉ ସେ ତାଣ୍ଡବରୁ ଭର୍ତ୍ତିପାରି ନାହାନ୍ତି ସ୍ବୟଂ ଭଗବାନ । ବସ୍ତିଠୁ ବଜାର, ସହରଠୁ ମନ୍ଦିର ସବୁକିଛି ଯେମିତି ନିଶ୍ଚିହ୍ନ କରିଦେବାର ପଣ କରି ଆସିଛି ଏ ଫ୍ଲାସ ଫ୍ଲଡ ।
ପାଣିରେ ଉବୁଟୁବୁ ହେଉଛି ଦେବଭୂମି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ । ଆଖି ଆଗରେ ଭସିଯାଉଛି ରାଜ୍ୟର ଅର୍ଥନୀତି । ଘର, ଦୋକାନ, ଡାକ୍ତରଖାନା ସାଙ୍ଗକୁ କାର, ବସ ଓ ଟ୍ରାକ୍ଟର, କାହାକୁ ଭୁଶୁଟାଇଛି ତ ପୁଣି କାହାକୁ ବୁହାଇ ନେଇଛି ତାସ ପତା ଭଳି । ସକାଳ ହେବା ବେଳକୁ କ୍ୟାମେରା ଲେନ୍ସରେ କଏୟ ହୋଇଛି କେବଳ ଉଜୁଡା ଡେରାଡୁନ ।
ସୋମବାର ଅଧରାତିରେ ଅଝଟ ହୋଇଥିଲା ମୌସୁମୀ । ଶାନ୍ତିରେ ସହରବାସୀ ଶୋଇଥିବା ବେଳେ ଏଠାକାର ସହସ୍ରଧାରା ଅଞ୍ଚଳରେ ହୋଇଥିଲା ବାଦଲ ଫଟା ବର୍ଷା । ପ୍ରଥମେ ପ୍ରଚଣ୍ଡ ଶବ୍ଦ । ଆଉ କିଛି କ୍ଷଣ ପରେ ସହସ୍ରଧାରରେ ମାଡ଼ିଆସିଥିଲା ଜଳ ପ୍ରଳୟ । ଚାହୁଁଚାହୁଁ ଫୁଲି ଉଠିଥିଲା ତମସା ଓ ଋଷିକେଶର ଚନ୍ଦ୍ରଭାଗା ସମେତ ଅନେକ ନଦୀ । କେହି କିଛି ବୁଝିବା ପୂର୍ବରୁ ସମ୍ମୁଖରେ ସୈତାନ ଭଳି ଛିଡା ହୋଇଯାଇଥିଲା ପୁରୁଷେ ପୁରୁଷେ ଉଚ୍ଚା ପାଣି । ପାଣିର ସେ ପ୍ରଚଣ୍ଡତା ସମ୍ମୁଖରେ ହାରିଯାଇଥିଲା ଜୀବନ ରକ୍ଷାର ପ୍ରାଣମୂର୍ଚ୍ଛା ଉଦ୍ୟମ । କେତେ କିଏ ଭାସି ଗଲେ, କେତେ କିଏ ପ୍ରାଣ ମୂର୍ଚ୍ଛା ଛାତ, କାନ୍ଥ, ପାଚେରୀ, ଗଛ, ଖୁଣ୍ଟ ଉପରେ ଚଢିଗଲେ । ହେଲେ କାହାରିକୁ ଛାଡି ନ ଥିଲା ଏ ସର୍ବଗିଳା ସ୍ରୋତ । ସିନ୍ଦୁରା ଫାଟିବା ବେଳକୁ ସମୁଦ୍ର ପାଲଟିଥିଲେ ଏ ସୁନ୍ଦର ଡେରାଡୁନ ସହର । ଆଉ ଜଳବନ୍ଦି ହୋଇସାରିଥିଲେ ସହରବାସୀ । ଯେମିତି ଗୋଟି ଗୋଟି କରି ହିସାବ କରୁଥିଲା ଏ ଜଳ ପ୍ରଳୟ । ସହରର ବିଭିନ୍ନ ପାହାଡିଆ ଗଳିକନ୍ଦିରୁ ପ୍ରଳୟର ରୂପ ନେଇ ତଥାପି ମାଡିଯାଉଥିଲା ଭୟଙ୍କର ବନ୍ୟା ଜଳ । ଯିଏ ସୁରକ୍ଷିତ ଥିଲେ ପ୍ରମାଦ ଗଣୁଥିଲେ, ଯିଏ ଫସିଯାଇଥିଲେ ଜୀବନ ରକ୍ଷା କରିବାକୁ ଉଦ୍ୟମ କରୁଥିଲେ । ହେଲେ ଯେମିତି କାହାରିକୁ ଛାଡିବାର ମୁଡରେ ନ ଥିଲା ଫ୍ଲାସ ଫ୍ଲଡର ଏ ସୁଅ । ଏକ ଟ୍ରାକ୍ଟରରେ ଜୀବନ ରକ୍ଷା କରିବାକୁ ଉଦ୍ୟମ କରୁଥିବା 6 ଜଣ ଶ୍ରମିକଙ୍କୁ ଭସାଇ ନେଇ ମାଡି ଦେଇଥିଲା ଏ ଅକାତକାତ ପାଣି । ଜଳ ସମାଧୀ ନେଇଥିଲେ ଟପକେଶ୍ବର ମନ୍ଦିରର ଶିବଲିଙ୍ଗ । କୋପ କରିଛି ପ୍ରକୃତି । ରାତି ଅଧରେ ଅଝଟ ହୋଇଛି ବର୍ଷା । ଦେବ ଭୂମିରେ ପ୍ରଳୟ ରଚି ଜଣାଇଛି ନିଜର ଅସନ୍ତୋଷ ।
ଏହି ଫ୍ଲାସ ଫ୍ଲଡରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର ଓ ରିଲିଫ ଯୋଗାଣ କାର୍ଯ୍ୟ ଜାରି ରହିଛି । ସେପଟେ ପାଣିପାଗ କେନ୍ଦ୍ର ଡେରାଡୁନର ଚାମୋଲି, ଚମ୍ପୱାଟ, ଉଧମ ସିଂହ ନଗର, ବାଗେଶ୍ୱର ଏବଂ ନୈନିତାଲ ଜିଲ୍ଲା ସମେତ କିଛି ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।