ଫରିଦାବାଦର ସୁରଜକୁଣ୍ଡ ମେଳାରେ ଝୁଲନ୍ତା ଦୋଳି (ଜୟ ରାଇଡ) ଭୁଶୁଡ଼ି ପଡ଼ିବାରୁ ଜଣେ ମୃତ, ଅନେକ ଆହତ ।
ହରିଆଣାର ଫରିଦାବାଦର ସୁରଜକୁଣ୍ଡ ମେଳାରେ ଏକ ଝୁଲନ୍ତା ଦୋଳି ଭାଙ୍ଗି ପଡ଼ିବାରୁ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ୬.୧୫ରେ ଏହି ଘଟଣା ଘଟିଥିଲା । ଘଟଣାବେଳେ ଅନେକ ଲୋକ ଦୋଳିରେ ଥିଲେ । ପୀଡିତମାନଙ୍କ ମଧ୍ୟରେ ଜଣେ ପୋଲିସ ଇନ୍ସପେକ୍ଟର ମଧ୍ୟ ଅଛନ୍ତି । ଅନ୍ୟମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ପୋଲିସ ଜଣକ ମୃତ୍ୟୁବରଣ କରିଛନ୍ତି । ଯେତେବେଳେ ଦୋଳି ଢଳିବାକୁ ଆରମ୍ଭ କଲା ସେତେବେଳେ ସେ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୋଳି ତାଙ୍କ ମୁହଁ ଏବଂ ମୁଣ୍ଡରେ ମାଡ଼ ହୋଇଥିଲା । ଦୋଳିରେ ଥିବା ପ୍ରାୟ ୧୩ ଜଣ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।