ଅକସ୍ମାକ ଦଳବଦଳର ଗୋଟି ଚଳାଇ ଏକଦା ମହାରାଷ୍ଟ୍ର ରାଜନୀତିରେ ତୋଫାନ ଆଣିଦେଇଥିବା ଧୁରିଣ ରାଜନୀତିଜ୍ଞ ବି ଦିନେ ଏମିତି କାହା ସମ୍ମୁଖରେ ବିବଶ ହୋଇଯିବେ, ତାହା ହୁଏତ କେହି କେବେ କଳ୍ପନା କରିନଥିବେ । କିନ୍ତୁ ନିୟତି ଉପରେ ବା କାହାର ଜୋର ଅଛି । କେତେବେଳ ସୁସମୟ ତ ପୁଣି କେତେବେଳେ ମୃତ୍ୟୁର କରାଳ ରୂପ ସହ ମୁହାଁମୁହିଁ କରେ ଏ ନିୟତି । ଠିକ୍ ଯେମିତି ଆଜି ଘଟିଯାଇଛି ମହାରାଷ୍ଟ୍ର ଅନ୍ୟତମ ପ୍ରବୀଣ ରାଜନୀତିଜ୍ଞ ଅଜିତ ପାଓ୍ବାରଙ୍କ ସହିତ । ଆକାଶରୁ ଭୂମି, ଏତିକି ଦୂରତା ଅତିକ୍ରମ କରିବା ଭିତରେ ମୃତ୍ୟୁ ତାଙ୍କୁ କ୍ରୋଡାଗତ କରିଛି । ବୁଧବାର ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅଜିତ ପାଓ୍ବାରଙ୍କୁ ନେଇ ଆସୁଥିବା ଏକ ଲିଅରଜେଟ୍ ୪୫ ବିମାନ ଆଜି ସକାଳ ପ୍ରାୟ ୮ଟା ୪୪ରେ ମହାରାଷ୍ଟ୍ରର ବାରାମତି ବିମାନବନ୍ଦରଠାରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଅଜିତ ପାଓ୍ବାରଙ୍କ ସହ ବିମାନରେ ଥିବା ତାଙ୍କର ଦୁଇ ଅଙ୍ଗରକ୍ଷୀ ଏବଂ ୨ ପାଇଲଟଙ୍କର ମୃତ୍ୟୁ ଘଟିଛି ।

ହତ୍ୟା ଷଡ଼ଯନ୍ତ୍ର ନୁହେଁ କହିଲେ ସରଦ ପାଓ୍ବାର
କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଅଜିତ ପାଓ୍ବାରଙ୍କ ବିମାନ? ଦୁର୍ଘଟଣାର କାରଣ ବୈଷୟିକ ତ୍ରୁଟି ନା କୌଣସି ଷଡ଼ଯନ୍ତ୍ର? ଆସନ୍ତା ମାସରେ ଜିଲ୍ଲା ପରିଷଦ ନିର୍ବାଚନ ଥିବା ବେଳେ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ? ଅନେକ ବୋଲଡ ନିଷ୍ପତ୍ତି ନେଇ ରାଜନୀତିରେ ସଫଳତା ଓ ରାଜ୍ୟ ସରକାରରେ କ୍ଷମତା ଉପଭୋଗ କରୁଥିଲେ ଅଜିତ ପାଓ୍ବାର । ଏମିତିରେ କିଏ ଥିଲା ତାଙ୍କ ଶତ୍ରୁ । ଏହା ଦୁର୍ଘଟଣା ନା ହତ୍ୟା ଷଡ଼ଯନ୍ତ୍ର? ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସରଗରମ ହୋଇଛି । ମାତ୍ର ଅଜିତ ପାଓ୍ବାରଙ୍କ ମୃତ୍ୟୁ ଖବର ପାଇବା ପରେପରେ ତୁରନ୍ତ ଏକ ପବ୍ଲିକ ବୟାନରେ ତାଙ୍କ ଦାଦା ତଥା ଏନସିପି(ଏସପି)ର ମୁଖ୍ୟ ସରଦ ପାଓ୍ବାର, ହତ୍ୟା ଷଡ଼ଯନ୍ତ୍ରର ଆଶଙ୍କାକୁ ଅସ୍ବୀକାର କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଦୁର୍ଘଟଣା ବୋଲି ସେ ଦୃଢୋକ୍ତିର ସହିତ କହିଛନ୍ତି । ମାତ୍ର ସନ୍ଧ୍ୟା ସୁଦ୍ଧା ମିଳିଥିବା ଏକ ଖବର ଏହି ବିମାନ ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରଣ ବାରାମତି ବିମାନବନ୍ଦର ସ୍ଥିତ ଏଟିସିରୁ ମିଳିଥିବା ସୂଚନା ଅନୁସାରେ, କ୍ଲିଅର ସିଗନାଲ ମିଳିବାର ଏକ ମିନିଟ ପରେ ହିଁ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାକୁ ନେଇ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଲ୍ୟାଣ୍ଡିଂ ପାଇଁ ପ୍ରଥମ ଉଦ୍ୟମ ବେଳେ ରନଓ୍ବେ ସ୍ପଷ୍ଟ ଦେଖାଯାଉ ନ ଥିବାରୁ ପାଇଲଟ ବିମାନଟିକୁ କିଛି ସମୟ ଆକାଶରେ ବୁଲାଇଥିଲେ । ପରେ ଦ୍ବିତୀୟ ଉଦ୍ୟମ ବେଳେ ରନ ଓ୍ବେ ସେମାନଙ୍କୁ ସ୍ପଷ୍ଟ ଦେଖାଯାଉଥିବା ପାଇଲଟ କହିଥିଲେ । ଫଳରେ ସେମାନଙ୍କୁ ଲ୍ୟାଣ୍ଡିଂ ପାଇଁ କ୍ଲିଅରାନ୍ସ ମିଳିଥିଲା । ଯାହାର କିଛି କ୍ଷଣ ପରେ ରେନଓ୍ବେ ପାର୍ଶ୍ବରୁ ଧୁଆଁ ଉଠୁଥିବା ଏଟିଏସ ଦେଖିବାକୁ ପାଇଥିଲା । ବିମାନର ଧ୍ବଂସାବଶେଷ ରେନଓ୍ବେର ବାମ ପାର୍ଶ୍ବରେ ପଡ଼ିଥିଲା । କିନ୍ତୁ ଦୁର୍ଘଟଣା ପୂର୍ବରୁ ବିମାନର କକପିଟରୁ କୌଣସି ପ୍ରକାରର ଏସଓଏସ ମିଳି ନ ଥିଲା । ଅର୍ଥାତ ଜୀବନ ରକ୍ଷା ଲାଗି ସହାୟତାର ନିବେଦନ କରିବା ନେଇ ପାଇଲଟ କିଛି ବାର୍ତ୍ତା ଦେଇ ନ ଥିଲେ ବୋଲି ଏଟିସି ପକ୍ଷରୁ କୁହାଯାଇଛି । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରେ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

ଅଜିତ ପାଓ୍ବାରଙ୍କ ଅକସ୍ମାକ ମୃତ୍ୟୁ ମହାରାଷ୍ଟ୍ର ରାଜନୀତିର ପରିଦୃଶ୍ୟକୁ ହଠାତ ଓଲଟପାଲଟ କରିଦେଇଛି । ଭାରତର ଅନ୍ୟତମ ଶକ୍ତିଶାଳୀ ରାଜନୈତିକ ପରିବାର ଏବେ ଶୋକରେ । କିଏ ନେବ ଅଜିତ ପାଓ୍ବାରଙ୍କ ସ୍ଥାନ ? କିଏ ସମ୍ଭାଳିବେ ମହାୟୁତି ସରକାରରେ ୪୦ ପ୍ଲସ ବିଧାୟକଙ୍କ ନେତୃତ୍ବ? ସେପଟେ ସବୁ କ୍ରୋଧ ଦ୍ବୈଷ ଭୁଲି ଦାଦା-ପୁତୁରା ଯୋଡି ଏନସିପିର ଦୁଇ ଫ୍ରାକସନକୁ ପୁଣି ଥରେ ଏକଜୁଟ କରିବାକୁ ହାତ ବଢାଇଥିଲେ । ଅଜିତ ଦାଦାଙ୍କ ବିରୋଧରେ ବିଦ୍ରୋହ କରି ବିଜେପି-ଶିବସେନାର ମହାୟୁତି ସରକାରରେ ସାମିଲ ହେବା, ଏନସିପିର ନାମ ଓ ଘଣ୍ଟା ଚିହ୍ନ ଉପରେ ଦାବି ଜାହିର କରିବା ସତ୍ତ୍ବେ ବିଗତ କିଛି ଦିନ ହେବ ସରଦଙ୍କ ସହିତ ତାଙ୍କର ସମ୍ପର୍କରେ ସୁଧାର ଆସିଥିଲା । ଗତ ପୌର ନିର୍ବାଚନରେ ଦାଦା-ପୁତୁରାଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର ହେବାର ସଙ୍କେତ ମିଳିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଜାନୁଆରୀ ୧୫ରେ ପୁଣେ ଏବଂ ପିମ୍ପରି-ଚିନଛ୍ବାଦ ନିଗମ ନିର୍ବାଚନରେ ଏନସିପିର ଉଭୟ ଗୋଷ୍ଠୀ ଏକ ମିଳିତ ଇସ୍ତିହାର ଜାରି କରିଥିଲେ । ଅଜିତଙ୍କ ଘଣ୍ଟା ଚିହ୍ନରେ ପ୍ରଚାର କରାଯାଇଥିଲା । ଯାହାକି ଅଜିତଙ୍କ ନେତୃତ୍ବରେ ମୂଳ ଏନସିପିକୁ ଆଗେଇ ନେବା ଲାଗି ଉଭୟ ଦାଦା-ପୁତୁରାଙ୍କ ଭିତରେ ବୁଝାମଣା ହେଉଥିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା ।

ଆସନ୍ତା ମାସରେ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ ଏନସିପିର ଦୁଇ ଗୋଷ୍ଠୀର ମହାମିଳନ ରାଜ୍ୟ ରାଜନୀତିର ମାନଚିତ୍ରରେ ନିଶ୍ଚିତ ଭାବେ ଫରକ ଆଣିଥାଆନ୍ତା । ଅଜିତ ମଧ୍ୟ ଏ ନେଇ ପୂରା ଜୋର ଲଗାଇ ଦେଇଥିଲେ । ପାଓ୍ବାର ପରିବାରର ଦୁର୍ଗ ବୋଲାଉଥିବା ଅଞ୍ଚଳରେ 4ଟି ସମାବେଶରେ ଯୋଗ ଦେଇ ଅଜିତ ପାଓ୍ବାର ଆଜି ଫେରୁଥିଲେ । କିନ୍ତୁ ଏ ଦୁର୍ଘଟଣା ସବୁକିଛି ଅସ୍ତବ୍ୟସ୍ତ କରିଦେଇଛି । ଅଜିତଙ୍କ ପତ୍ନୀ ସୁନେତ୍ରା ପାଓ୍ବାର ଏବେ ରାଜ୍ୟସଭା ସଦସ୍ୟ ଏବଂ ତାଙ୍କର ଦୁଇ ପୁଅ ପାର୍ଥ ଓ ଜୟ ପାଓ୍ବାର ଅଛନ୍ତି । ସେପଟେ ଅଜିତ ପାଓ୍ବାରଙ୍କ ପରଲୋକରେ ଉଭୟ ସରଦ ପାଓ୍ବାର ଓ ତାଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଗଭୀର ଶୋକରେ ଅଛନ୍ତି । ଏମିତିରେ ଏନସିପିର ଦୁଇ ଗୋଷ୍ଠୀର ମହାମିଳନର ଭବିଷ୍ୟତ କଣ ହେବ ତାହା ଉପରେ ସଭିଙ୍କ ନଜର ରହିଛି ।

ସେପଟେ ଯଦି ମହାୟୁତି ସରକାର କଥା କହିବା ତେବେ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ସଂଖ୍ୟା ଦୃଷ୍ଟିରୁ ଅଜିତ ପାଓ୍ବାରଙ୍କ ଏନସିପି ବିନା ମଧ୍ୟ ବହୁମତ କୟମ ରଖିପାରିବ । ଏମିତିରେ ଏନସିପିର ୪୦ ବିଧାୟକଙ୍କ ନେତୃତ୍ବ କିଏ ନେବେ ତାହା ବଡ଼ ପ୍ରଶ୍ନ ପାଲଟିଛି । ପ୍ରଥମ ବିକଳ୍ପ ଭାବେ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ଏବଂ ଦୁଇ ପୁଅଙ୍କ ନାମ ଚର୍ଚ୍ଚାରେ ରହିଛି । ଲୋsସଭା ନିର୍ବାଚନ ଲଢିଥିବା ପାର୍ଥ ପିତାଙ୍କ ଅବର୍ତ୍ତମାନରେ ତାଙ୍କର ବିମଳ୍ପ ହୋଇପାରନ୍ତି । ସେପଟେ ୨୦୨୩ରେ ଏନସିପି ଭାଙ୍ଗିବା ପରଠାରୁ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଆସିଥିବା ସରଦ ପାଓ୍ବାରଙ୍କ ନାତି ରୋହିତ ପାଓ୍ବାରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।

ଏଭଳି ଘଡ଼ିସନ୍ଧି ସମୟରେ ସରଦ ପାଓ୍ବାର ନିଭାଇପାରନ୍ତି ଭୀଷ୍ମ ପିତାମହର ଭୂମିକା । ପାଓ୍ବାର ପରିବାର ସହିତ ଏନସିପିର ଏଭୟ ଗୋଷ୍ଠୀକୁ ଏକଜୁଟ ହେବାର ଆହ୍ବାନ ଦେଇ ପାଓ୍ବାର ପୁଣିଥରେ ଉଭୟ ପରିବାର ଓ ପାର୍ଟିର ଡୋର ନିଜ ହାତକୁ ଆଣିପାରନ୍ତି ।