() ଗୋଟିଏ ଉପନିର୍ବାଚନ, ଗୋଟିଏ ସିଟ୍, ୩ ତଗଡ଼ା ପ୍ରାର୍ଥୀ । ରାଜନୀତିର ଏପିସେଣ୍ଟର ପାଲଟିଛି ଓଡ଼ିଶାର ନୂଆପଡ଼ା । ଭୋଟ ପୂର୍ବରୁ ପ୍ରଚାର ମଇଦାନରେ ହେବ ଅସଲ ଫାଇଟ । ମୁହାଁମୁହିଁ ହେବେ ୪୦ରୁ ଅଧିକ ଷ୍ଟାର ପ୍ରଚାରକ । ନୂଆପଡ଼ା ପାଇଁ ନବୀନଙ୍କ ନୂଆ ଷ୍ଟ୍ରାଟେଜୀ ପରେ ବିଜେପିର ବିଗ୍ ପ୍ଲାନ । ସ୍ନେହାଙ୍ଗିନୀ ଛୁ୍ରିଆଙ୍କୁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାର ଦିନକ ପରେ ୪୦ ଜଣିଆ ପ୍ରଚାର ସେନା ଘୋଷଣା କରିଛି ବିଜେପି । ଷ୍ଟାର ପ୍ରଚାରକ ତାଲିକାରେ ବହୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ବଡ଼ବଡ଼ ଚେହେରା । ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କାମ୍ପେନିଂ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ଦୁଇ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉସେଣ୍ଡି, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ଭଳି ଟାଣୁଆ ନେତା। ହେଲେ ଗୋଟିଏ ଆସନ ଜିତିବାକୁ ବିଜେପି ମଇଦାନକୁ କାହିଁକି ଉତାରୁଛି ଚାଳିଶ ଚାଳିଶ ଜଣ ଷ୍ଟାର ପ୍ରଚାରକ ? ଶଙ୍ଖନାଦ ପରେ ପାଣିପାଣି ହେଲାଣି କି ପଦ୍ମ ଦଳ? ନବୀନଙ୍କ ଗେମ୍ ଦେଖି ଛାନିଆ ହୋଇପଡିଛି କି ବିଜେପି? ୨୪ ବିଧାନସଭାରେ କ୍ଲିନ ସୁଇପ କରି କ୍ଷମତାକୁ ଆସିଥିବା ବିଜେପି ନୂଆପଡ଼ାକୁ ନେଇ କାହିଁକି ଏତେ ବିଚଳିତ?
() ପୂର୍ବରୁ ବିଜେଡ଼ି ଦଖଲରେ ଥିଲା ନୂଆପଡ଼ା ବିଧାନସଭା ଆସନ । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । କ୍ଷମତାକୁ ଆସିବା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଛି । ଏଣୁ ଏହି ଉପନିର୍ବାଚନ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ସେପଟେ ବିଜେଡିର ଆଉ ଏକ ଗଡ଼ ଭାଙ୍ଗିବା ନେଇ ମଧ୍ୟ ଏହି ନିର୍ବାଚନକୁ ବିଜେପି ଏକ ସୁଯୋଗ ଭାବେ ଗ୍ରହଣ କରିଛି । ଦିବଙ୍ଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କ ସହିତ ଅନୁକମ୍ପା ଭୋଟ୍ ରହିବ ଏବଂ ଜିତିବା ସହଜ ହେବ ବୋଲି ଅନୁମାନ କରାଯାଉଥିଲା । ଏହାକୁ ଦୃଷ୍ଟିରେ ରଖି ବିଜେପି ଜୟ ଢୋଲକିଆଙ୍କୁ ନିଜ ଶିବିରରେ ମିଶାଇ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପିର ଏହି ଷ୍ଟ୍ରାଟେଜୀ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ନବୀନ ଖେଳିଦେଲେ ହୁକୁମ୍ କା ଇକ୍କା । ଓଡ଼ିଶାରେ ନାରୀ ନିର୍ଯାତନା ଏକ ବର୍ଣ୍ଣିଂ ଟପିକ ପାଲଟିଥିବା ବେଳେ ବିଜେଡି ମୁଖିଆ ଖୋଲିଦେଲେ ମହିଳା କାର୍ଡ । ନୂଆପଡ଼ା ନିର୍ବାଚନମଣ୍ଡଳୀ ବାହାରର ଜଣେ ନେତ୍ରୀଙ୍କୁ ଯେ ନବୀନ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଦେବେ, ତାହାର ଟେର ବି ପାଇ ନଥିଲା ବିଜେପି । ବିଜେଡିର ଏ ଅପ୍ରତ୍ୟାଶିତ ପ୍ରାର୍ଥୀ ଘୋଷଣା ସତେ ଯେମିତି ବିଜେପି ଶିବିରରେ ଚଡ଼କ ପକାଇ ଦେଇଛି । ବିଜେପି ଭଲ ଭାବେ ଜାଣିଛି ଯେ ନବୀନ କେବେବି ହାଲକା ଷ୍ଟ୍ରାଟେଜୀ କରିବେ ନାହିଁ । ଏଣୁ ନୂଆପଡ଼ା ଜିତିବାକୁ ବିଜେପି ଏବେ ନିଜର ସବୁ ଶକ୍ତି ଲଗାଇ ଦେଇଛି ।
() କିଏ ଜିତିବ ନୂଆପଡ଼ା ଉପନିର୍ବାଚନ? କାହା ଉପରେ କିଏ ପଡ଼ିବ ଭାରି? ନିର୍ବାଚନୀ ସମର ପୂର୍ବରୁ ଆରମ୍ଭ ହୋଇଯାଇଛି ଯୋରଦାର ଶକ୍ତି ପ୍ରଦର୍ଶନ । ନୂଆପଡ଼ାରେ ହେବ ତ୍ରିକୋଣୀୟ ଫାଇଟ । ଆମନା ସାମୀ ହେବେ ବିଜେପିର ଜୟ ଡୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ପ୍ରାର୍ଥୀ ଘାଷିରାମ ମାଝୀ । ପୂର୍ବତନ ବିଧାୟକଙ୍କ ପୁତ୍ର ଭାବେ ଜୟ ଢୋଲକିଆଙ୍କୁ ସିମ୍ପାଥି ଭୋଟ ମିଳିବାର ଆଶା କରାଯାଉଥିବା ବେଳେ ସ୍ନେହାଙ୍ଗିନୀ ହେଉଛନ୍ତି ବିଜୁ ମହିଳା ମୋର୍ଚ୍ଚାର ସଭାପତି, ୨ଥରର ବିଧାୟିକା ଏବଂ ପୂର୍ବତନ ମନ୍ତ୍ରୀ । ଏଥିସହିତ ନାରୀ ନିର୍ଯାତନା ରୋକିବା ଦିଗରେ ତାଙ୍କ କାମକୁ ଖୁବ ପ୍ରଶଂସା ମିଳିଛି । ଏମିତିରେ ଯୁବଶକ୍ତି ଉପରେ ଅଭିଜ୍ଞତାର ଅନୁଭବ ଭାରି ପଡ଼ିବାର ସମ୍ଭାବନା ରହିଛି । ସେପଟେ ୨୦୨୪ ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ଲଢି ମାତ୍ର ୧୨ ହଜାରରୁ କମ ଭୋଟରେ ପରାଜିତ ହୋଇ ଦ୍ବିତୀୟ ସ୍ଥାନରେ ଥିଲେ ଘାଷିରାମ ମାଝୀ । ସେ ଜଣେ ଦକ୍ଷ ସଂଗଠକ ଭାବେ ମଧ୍ୟ ଜଣାଶୁଣା । ଏଥର ସେ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନରେ ଥିବା ବେଳେ ଭୋଟର ତାଙ୍କୁ କିଭଳି ଗ୍ରହଣ କରୁଛନ୍ତି ତାହା ସମୟ କହିବ । କିନ୍ତୁ ଭୋଟରଙ୍କ ସମର୍ଥନ ଜିତିବାକୁ ବିଜେପି ଓ ବିଜେଡି ପକ୍ଷରୁ ବ୍ୟାପକ ପ୍ରଚାର କରାଯାଉଥିବା ବେଳେ ଘାଷିରାମ ମଧ୍ୟ ଡୋର ଟୁ ଡୋର କ୍ୟାମ୍ପେନ ଚଳାଇଛନ୍ତି । ଲୋକଙ୍କୁ ହାତଯୋଡି ସେ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ପ୍ରଚାର ଆରମ୍ଭ ପୂର୍ବରୁ ଚାଲିଛି ମିଶ୍ରଣ ପର୍ବ । ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି ବଡ଼ ନେତା । ଉଭୟ ବିଜେପି ଓ ବିଜେଡିର କିଛି ନେତା କଂଗ୍ରେସରେ ମଧ୍ୟ ଯୋଗଦେଇଛନ୍ତି । ଉପନିର୍ବାଚନକୁ ନେଇ ଅଙ୍କକଷା ପରେ ବିଜୟ ପାଇଁ ଏବେ ତିଆରି ଚାଲିଛି ଏ ନୂଆ ସମୀକରଣ । ଭୋଟ ପୂର୍ବର ଏ ମିଶ୍ରଣ ପର୍ବ ଆଗକୁ କି ରେଜଲ୍ଟ ଦେବ ତାହା ଦେଖିବାକୁ ବାକି ରହିଲା ।