Skip to content
- ହାଇଦରାବାଦ୍: ଖଣ୍ଡଗିରିର ଉର୍ବସୀ ସାମଲଙ୍କ ଲୋମଟାଙ୍କୁରା ହତ୍ୟାକାଣ୍ଡ ଭଳି ଆଉ ଏକ ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାରେ। ହାଇଦରାବାଦ୍ ସ୍ଥିତ ଜଣେ ପୂର୍ବତନ ସେନା କର୍ମଚାରୀ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ପ୍ରେସର କୁକର୍ରେ ସିଝାଇ ହ୍ରଦରେ ଫିଙ୍ଗି ଦେବା ଭଳି ବିଭତ୍ସ୍ୟ ହତ୍ୟାକାଣ୍ଡର ପର୍ଦାଫାଶ ହୋଇଛି। ଏଠାକାର ମୀରଟ ଥାନା ଅଞ୍ଚଳରେ ଘଟିଛି ଏହି ଜଘନ୍ୟ ଅପରାଧ। ମୃତାଙ୍କ ମାଆ ଏକ ନିଖୋଜ ମାମଲା ରୁଜୁ କରିବା ପରେ ପଦାକୁ ଆସିଛି ପତ୍ନୀହନ୍ତା ସ୍ବାମୀର ପାପ। ଅଭିଯୁକ୍ତ ସ୍ବାମୀ ଗୁରୁମୁର୍ତ୍ତିକୁ ଗିରଫ କରି ମୀରଟ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଅତିରିକ୍ତ ପ୍ରମାଣ ସଂଗ୍ରହ କରୁଛି।
- ଖବର ଅନୁସାରେ ସ୍ବାମୀଙ୍କ ପୈଶାଚିକ ଅପରାଧର ଶିକାର ହୋଇଥିବା ମହିଳାଙ୍କ ନାମ ପୁଟ୍ଟାଭେଙ୍କଟା ମାଧବୀ (୩୫)। ସେ ଏବଂ ତାଙ୍କ ସ୍ବାମୀ ଗୁରୁମୁର୍ତ୍ତି ଗତ ୫ ବର୍ଷ ହେବ ନିଜର ଦୁଇ ପିଲାଙ୍କ ସହିତ ଜିଲେଲାଗୁଡାରେ ବସବାସ କରୁଥିଲେ। ତେବେ ଗତ ୧୮ରେ ମୀରଟ ଥାନାରେ ମାଧବୀ ନିଖୋଜ ଥିବା ନେଇ ତାଙ୍କ ମାଆ ଏକ ଏତଲା ରୁଜୁ କରାଯାଇଥିଲା। ଯେଉଁଥିରେ ସେ ଦର୍ଶାଇଥିଲେ ଯେ, ମାଧବୀ ଓ ଗୁରୁମୂର୍ତ୍ତି ମଧ୍ୟରେ ସାମାନ୍ୟ କଥାକୁ ନେଇ ଗତ ୧୬ ତାରିଖ ପ୍ରାତଃ ୮ଟାରେ ପ୍ରବଳ ବଚସା ହୋଇଥିଲା। ଏଥିରେ ଦୁଃଖି ହୋଇ ମାଧବୀ ଅପରାହ୍ନରେ ଘର ଛାଡିଚାଲିଯାଇଥିଲେ। ଯାହାପରେ ସେ ଆଉ ଫେରି ନ ଥିଲେ। ସମ୍ପର୍କୀୟ ଓ ପଡୋଶୀମାନେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ମାଧବୀଙ୍କର କୌଣସି ଖୋଜ ଖବର ମିଳି ନ ଥିଲା।
- ଏତଲା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୋଲିସ ମାଧବୀଙ୍କ ସ୍ବାମୀଙ୍କୁ ହେଫାଜତକୁ ନେଇ ଗୁଡେଇ ତୁଡେଇ ଜେରା କରିଥିଲା। ପୋଲିସର ଘନଘନ ଜେରା ସମୟରେ ହତ୍ୟାର ସତ ଲୁଚାଇ ପାରି ନ ଥିଲା ଗୁରୁମୂର୍ତ୍ତି। ପୋଲିସ ସମ୍ମୁଖରେ ଖୋଲିଥିଲା ନିଜେ ଘଟାଇଥିବା ପୈଶାଚିକ ଅପରାଧର ସତ।
- ଗୁରୁମୁର୍ତ୍ତି ନିଜର ଅପରାଧ ସ୍ବୀକାର କରିଥିବା ପୋଲିସ କହିଛି। ମୀରଟ ଇନ୍ସପେକ୍ଟର ନାଗାରାଜୁଙ୍କ ସୂଚନା ଅନୁସାରେ ସେନାରେ ପୂର୍ବରୁ କାମ କରୁଥିବା ଗୁରୁମୂର୍ତ୍ତି ନିଜ ପତ୍ନୀକୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲା। ପରେ ମାଂସ ଖଣ୍ଡକୁ ଘରର ପ୍ରେସର କୁକରରେ ସିଝାଇଥିଲା। ସିଝା ମାଂସର ପାଉଡର ପ୍ରସ୍ତୁତ କରି ତାହାକୁ ସ୍ଥାନୀୟ ଏକ ହ୍ରଦରେ ଭସାଇ ଦେଇଥିଲା। ଗୁରୁମୂର୍ତ୍ତି ବାସ୍ତବରେ ଏ ଅମାନବୀୟ ଘଟଣା ଘଟାଇଛି କି ନାହିଁ, ଯଦି ଘଟାଇଛି ତେବେ କେଉଁ ପରିସ୍ଥିତିରେ , ପୋଲିସ ଏବେ ତାହାର ଖୋଳତାଡ଼ ଆରମ୍ଭ କରିଛି। ମାଧବୀଙ୍କ ମୃତଦେହର ଅବଶେଷ ଏଯାବତ୍ ଉଦ୍ଧାର କରାଯାଇପାରି ନାହିଁ।
- ଗୁରୁମୂର୍ତ୍ତି ପୋଲିସକୁ କହିଛି ଯେ ସେ ଏବଂ ତାର ପତ୍ନୀ ବିଗତ ୧୦ ବର୍ଷ ହେବ ଏକାଠି ରହୁଥିଲେ। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଉଭୟଙ୍କର ଘର। ସେନାରୁ ଅବସର ନେବା ପରେ ଗୁରୁମୂର୍ତ୍ତି କାଞ୍ଚାବାଘଠାରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ୧୦ ବର୍ଷର ସମ୍ବନ୍ଧ ପରେ କାହିଁକି ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା? ଏମିତି କି କାରଣ ଥିଲା ଯାହାକୁ ନେଇ ଝଗଡା ପରେ ମାଧବୀ ଘର ଛାଡିବାକୁ ବାଧ୍ୟ ହୋଇଥିଲେ? କେଉଁ କାରଣ ପାଇଁ ଗୁରୁମୁର୍ତ୍ତି ମାଧବୀଙ୍କୁ ବିଭତ୍ସ୍ୟ ହତ୍ୟା କରିଛି? ଏହି ହତ୍ୟାକାଣ୍ଡ ଗୁରୁମୂର୍ତ୍ତିର ମାନସିକ ବିକୃତିର ପରିଣତି ନା ସୁସ୍ଥ ମସ୍ତିଷ୍କରେ ସମ୍ପୂର୍ଣ୍ଣ ହୋସରେ ଥାଇ ସେ ଏହି ଛାତିଥରା ହତ୍ୟାକାଣ୍ଡ ଘଟଣା ଘଟାଇଛି, ତାହାକୁ ନେଇ ମୀରଟ ପୋଲିସ ତନାଘନା କରୁଛି।
- ଉଲ୍ଲେଖ ଯେ ମୀରଟର ଏ ଲୋମହର୍ଷକ ହତ୍ୟାକାଣ୍ଡ ୧୨ ବର୍ଷ ତଳେ ଭୁବନେଶ୍ବର ସ୍ଥିତ ଖଣ୍ଡଗିରିରେ ଘଟିଯାଇଥିବା ଉର୍ବସୀ ସାମଲ ହତ୍ୟାକାଣ୍ଡ ମନେ ପକାଇ ଦେଇଛି। ୨୦୧୩ରେ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଭାରତୀୟ ସେନାର ପୂର୍ବତନ ଡାକ୍ତର ସୋମନାଥ ପରିଡା ତାଙ୍କ ପତ୍ନୀ ଉର୍ବସୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୦୦ ପିସ୍ରେ କାଟି ସେନାର ବଡ଼ବଡ଼ ଟିଫିନ୍ରେ ଭର୍ତ୍ତି କରି ରଖିଥିଲେ। ଏଭଳି ଜଘନ୍ୟରୁ ଜଘନ୍ୟ ଅପରାଧ ପାଇଁ ତାଙ୍କୁ ଅଦାଲତ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି।