ବିଜେପିର ବିଜୟକୁ ଐତିହାସିକ ଦର୍ଶାଇଛନ୍ତି ବିଜେପି ସାଂସଦ ରବି ଶଙ୍କର ପ୍ରସାଦ । ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଲ୍ଲୀର ବିକାଶ ନିମନ୍ତେ କୌଣସି ସୁଯୋଗ ହାତଛଡା କରାଯିବ ନାହିଁ ବୋଲି ମୋଦୀ କହିଛନ୍ତି। ଏହି ବିଜୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଉପରେ ଅଜସ୍ର ବିଶ୍ବାସକୁ ପ୍ରତିଫଳିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦିଲ୍ଲୀ ଆଗାମୀ ଦିନରେ ଆଦର୍ଶ ରାଜଧାନୀ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। କେଜରିବାଲଙ୍କୁ ପରାସ୍ତ କରିବା ପରେ ବିଜେପି ପ୍ରାର୍ଥୀ ପରବେଶ ରାଣାଙ୍କ ସମର୍ଥମମାନେ ଉତ୍ସବ ମନାଇଛନ୍ତି। ପ୍ରବଳ ଉତ୍ସାହୀ ହୋଇପଡିଥିବା ଦିଲ୍ଲୀ ବିଜେପି କର୍ମୀଙ୍କ ସେଲିବ୍ରେସନରେ କମ୍ପୁଛି ଦିଲ୍ଲୀ ସଡ଼କ। ସେହିଭଳି ଦିଲ୍ଲୀରେ ‘ଏକ ହୈ ତୋ ସେଫ୍ ହୈ’ର ଫର୍ମୁଲା କାମ ଦେଇଛି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ୍ କହିଛନ୍ତି।
ସେପଟେ ଜଣେ ଧୁରୀଣ ରାଜନୀତିଜ୍ଞ ଭାବେ ଜନାଦେଶକୁ ସ୍ବୀକାର କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିବାଲ। ଦିଲ୍ଲୀ ବିଧାନସଭାରେ ଆପ୍ ଏକ ଗଠନମୂଳକ ବିପକ୍ଷର ଭୂମିକା ନିର୍ବାହ କରିବ ଏବଂ ଲୋକଙ୍କ ମଧ୍ୟରେ ରହି ଲୋକଙ୍କ ସେବା କରିବ ବୋଲି କେଜରିବାଲ କହିଛନ୍ତି। ଏଥିସହ ବିଜେପିକୁ ବିଜୟର ଅଭିନନ୍ଦନ ଜଣାଇବା ସହିତ ଦଳ ଦିଲ୍ଲୀବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବ ବୋଲି କେଜରିବାଲ ଆଶା ବ୍ୟକ୍ତ କରିଛନ୍ତି। ସେପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଦିଲ୍ଲୀରେ କେଜରିବାଲଙ୍କ ନୀତିକୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ ପ୍ରଧାନମନ୍ତ୍ରୀଙ୍କ ନୀତିନିଷ୍ପତ୍ତିର ସଠିକତାକୁ ପ୍ରମାଣିତ କରୁନାହିଁ। ଅନ୍ୟ ପଟେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି କହିଛନ୍ତି କେଜରିବାଲଙ୍କ ନୀତିନିଷ୍ପତ୍ତିରେ ବ୍ୟତିବ୍ୟସ୍ତ ଦିଲ୍ଲୀବାସୀ ପରିବର୍ତ୍ତନ ସପକ୍ଷରେ ମତଦାନ କରିଛନ୍ତି।
୪୮ ଆସନ ସହିତ ବିଜେପି ସରକାର ଗଠନ ନିମନ୍ତେ ଏକକ ସଂଖ୍ୟା ଗରିଷ୍ତା ଲାଭ କରିଛି। ଖୁବ ଶୀଘ୍ର ଦଳ ସରକାର ଗଠନ କରିବାକୁ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବ। ଏବେ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରେ ପରବେଶ ବର୍ମା, ବିଜେନ୍ଦର ଗୁପ୍ତା, ମଜିନ୍ଦର ସିଂହ ମିର୍ସା, ଦୁଷ୍ୟନ୍ତ ଗୁପ୍ତା ଏବଂ ହରିଶ ଖୁରାନା ଥିବା ବେଳେ ପରବେଶଙ୍କ ପଲା ବେଶୀ ଭାରିଥିବା କୁହାଯାଉଛି।
ଉଲ୍ଲେଖ ଯେ ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଫେବୃଆରୀ ୫ରେ ମତଦାନ ହୋଇଥିଲା। ୨୦୧୪ ଓ ୨୦୨୦ରେ ଆପ୍ ଏଠାରେ ବିପୁଳ ବିଜୟ ଲାଭ କରିଥିଲା। ତେବେ ଏଥର ଆପ୍ ହାରିବା ପଛରେ ୪ଟି ମୁଖ୍ୟ କାରଣ ଥିବା କୁହାଯାଉଛି। ପ୍ରଥମ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ସରକାର ବିରୋଧୀ ହାଓ୍ବା, ବିଜେପିର ବଡ଼ ପ୍ରତିଶ୍ରୁତି, ଅବକାରୀ ଦୁର୍ନୀତି ଏବଂ ଜାତୀୟ ସ୍ତରରେ ଏକଜୁଟ ହୋଇଥିବା କଂଗ୍ରେସ ଓ ଆପ୍ ଦିଲ୍ଲୀ ନିର୍ବାଚନରେ ପୃଥକ୍ ହୋଇ ଲଢିବା କେଜରିବାଲଙ୍କୁ ଭାରି ପଡିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠୁ ବଡ଼ ଦଳ ଭାବେ ବିଜେପି ଖୁବଶୀଘ୍ର ସରକାର ଗଠନ ପାଇଁ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନା କରିବ।