By Pritishree Nayak
କେତେ ସତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାତ୍ୟା ଆଖିର ଭିଜୁଆଲ ? ସତରେ କଣ ଏହା ଭୟଙ୍କର ବାତ୍ୟା ଭାବେ ଚିହ୍ନିତ ମେଲିସା ବାତ୍ୟାର ଆଖି ଅର୍ଥାତ କେନ୍ଦ୍ର ସ୍ଥଳର ଦୃଶ୍ୟ? ନା ଏଆଇ ଦ୍ବାରା ପ୍ରସ୍ତୁତ ଏକ ମିଥ୍ୟା ଭିଜୁଆଲ? ଯଦି ବାସ୍ତବରେ ଏହା ସତ ଭିଜୁଆଲ, ତେବେ କିଏ ପ୍ରସ୍ତୁତ କଲା ୧୮୫ରୁ ୨୦୦ କିଲୋମିଟର ବେଗରେ ମାଡ଼ି ଆସୁଥିବା ବାତ୍ୟାର ଆଖି ସ୍ଥଳର ଅବିଶ୍ବାସନୀୟ ଭିଜୁଆଲ? କେମିତି ନିଆଗଲା ଏଭଳି ଏକ ଭୟଙ୍କର ବାତ୍ୟାର ଆଖି ସ୍ଥଳର ଭିଜୁଆଲ? ଏଭଳି ଦୁଃସାହସିକ ଭିଜୁଆଲ ପଛରେ କିଏ? ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଜୁଆଲ ପଛର ସତ କ’ଣ, ଆସନ୍ତୁ ସରଳ ଭାଷାରେ ବୁଝିବା ।
ପ୍ରଥମ କଥା ହେଲା, ଏହି ଭିଜୁଆଲକୁ ହରିକେନ୍ ବିଶେଷଜ୍ଞ ମାଇକେଲ ଲୋରି, ବାୟୁମଣ୍ଡଳୀୟ ବୈଜ୍ଞାନିକ ମାଥ୍ୟୁ କାପୁଚି ଏବଂ WCNC ଚାର୍ଲୋଟ ମୁଖ୍ୟ ପାଣିପାଗ ବିଶେଷଜ୍ଞ ବ୍ରାଡ ପାନୋଭିଚ୍ ଙ୍କ ଭଳି ପ୍ରମୁଖ ବ୍ୟକ୍ତିମାନେ ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି, ଯାହାକି ଏହାର ସତ୍ୟସତ୍ୟକୁ ନେଇ ବିଶ୍ବାସନୀୟତା ବୃଦ୍ଧି କରେ ।
ଏକ ଭିଡିଓରେ ଗୋଟିଏ ବିମାନର କିଛି ଅଂଶ ଦେଖିବାକୁ ମିଳୁଛି । “ହରିକେନ ହଣ୍ଟର୍ସ” ଭାବରେ ଜଣାଶୁଣା ଆମେରିକାର ବାୟୁସେନା ରିଜର୍ଭର 53ତମ ୱେଦର ରିକୋନାଇସାନ୍ସ ସ୍କ୍ୱାଡ୍ରନ୍ ହରିକେନ୍ ମେଲିସା ଆଖିରେ ଉଡ଼ାଣ ଭରିଥିବା ଦାବି କରନ୍ତି । ମଙ୍ଗଳବାର ସକାଳେ ସ୍କ୍ୱାଡ୍ରନ୍ ହରିକେନ୍ ମେଲିସା ଆଖିରେ ଉଡ଼ାଣ ଭରିବା ବେଳେ ଏଥିରେ ଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ମାର୍କ ୱିଥି କିଛି ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ । ଏ ନେଇ ସେ ଗଣମାଧ୍ୟମ ସହିତ ଆଲୋଚନା ମଧ୍ୟ କରିଛନ୍ତି । ବାତ୍ୟା ଆଖିକୁ ଯିବାକୁ ଉଦ୍ୟମ କରିବା ବେଳେ ସେମାନଙ୍କୁ କିଛି ଓ୍ବାର୍ଣ୍ଣିଂ ମିଳିବାରୁ ସେମାନେ ସୋମବାର ଫେରିଆସିଥିଲେ । ମଙ୍ଗଳବାର ମଧ୍ୟ ସମାନ ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି । ଏସବୁ କେତେ ସତ ଆସନ୍ତୁ ଜାଣିବା ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏକ ଘୂର୍ଣ୍ଣିଝଡର ଆଖିର ଫଟୋ କିମ୍ବା ଭିଡିଓ ନେବା ସମ୍ଭବ । ମାତ୍ର ଏହା ଭୂପୃଷ୍ଟରେ ଥାଇ ଏହି କାର୍ଯ୍ୟ କରିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ବିରଳ ଓ ଏହା ବିପଦପୂର୍ଣ୍ଣ ମଧ୍ୟ ଅଟେ । ସେପଟେ ଜାମାଇକା ଓ କ୍ୟୁବାରେ ପ୍ରଳୟ ରଚିଯାଇଥିବା ମେଲିସା ବାତ୍ୟାକୁ କ୍ୟାଟାଗୋରୀ ୫ ଅର୍ଥାତ ଭୟଙ୍କର ବାତ୍ୟା ଭାବେ ଚିହ୍ନଟ କରାଯାଇଥିଲା । ଲ୍ୟାଣ୍ଡଫଲ ପୂର୍ବରୁ ଏହାକୁ ଓଡ଼ିଶାରେ ଘଟିଯାଇଥିବା ୧୯୯୯ ମହାବାତ୍ୟା ସହିତ ତୁଳନା କରାଯାଉଥିଲା । ଏମିତିରେ ଏକ ପ୍ରଳୟଙ୍କରୀ ବାତ୍ୟାର କେନ୍ଦ୍ର ସ୍ଥଳର ଭିଜୁଆଲ କେମିତି ପ୍ରସ୍ତୁତ ହେଲେ ତାହା ରୋମାଞ୍ଚିତ କରେ । ତେବେ ଏହି ଭିଜୁଆଲ ଆମେରିକା ମହାକାଶ ଗବେଷଣା ସଂସ୍ଥା ବା ନାସା ଓ ଏକ ଆମେରିକୀୟ ବୈଜ୍ଞାନିକ ଏବଂ ନିୟାମକ ସଂସ୍ଥା ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ ବା ନୋଆ ଦ୍ବାରା ଉପଲବ୍ଧ କରାଯାଇଛି ।
କେମିତି ଏକ ବାତ୍ୟା ଆଖିର ଭିଜୁଆଲ ପ୍ରସ୍ତୁତ କରାଯାଏ, ତାହା ବୁଝିବା ପୂର୍ବରୁ ପ୍ରଥମେ ଏହି ଆଖିର ଗଠନକୁ ଭଲ ଭାବେ ଜାଣିନିଅନ୍ତୁ । ବାସ୍ତବରେ ଏକ ଉଷ୍ଣକଟିବନ୍ଧୀୟ ଘୂର୍ଣ୍ଣିଝଡର କେନ୍ଦ୍ରକୁ ଆଖି କୁହାଯାଏ । ଏକ ବାତ୍ୟାର ଚତୁର୍ପାଶ୍ବରେ ପବନର ବେଗ ଯେତେ ଅଧିକ ହୋଇଥାଉନା କାହିଁକି ଏହାର ଆଖି ଅର୍ଥାତ କେନ୍ଦ୍ରସ୍ଥଳ ସେତେ ଶାନ୍ତ ହୋଇଥାଏ । ବାତ୍ୟାର ଆଖିରେ କୌଣସି ହଲଚଲ ନ ଥାଏ । ଏହା ସାଧାରଣତଃ ୩୦-୫୦କିଲୋମିଟର ଚଉଡା ଏବଂ ଏହା ଭିତରେ ସ୍ପଷ୍ଟ ଆକାଶ ଅଥବା ହାଲୁକା ବାଦଲ ଥାଏ। ଏହାର ଚାରିପାଖରେ କାନ୍ଥ ଭଳି ରହିଥାଏ ସବୁଠାରୁ ଭୟଙ୍କର ବେଗରେ ଘୂରି ବୁଲୁଥିବା ପବନ ଏବଂ ପ୍ରବଳ ବର୍ଷା ।
ଆମେ ଦେଖୁଥିବା ଅଧିକାଂଶ ବାତ୍ୟାର ଭିଜୁଆଲ NOAA ର GOES କିମ୍ବା ଭାରତର INSAT ପରି ପାଣିପାଗ ବିଜ୍ଞାନ ଉପଗ୍ରହରୁ ଉପଲବ୍ଧ । ଏହି ଭିଜୁଆଲରେ ମେଘ ପ୍ୟାଟର୍ଣ୍ଣରେ ଏକ ସ୍ପଷ୍ଟ, ବୃତ୍ତାକାର ଗର୍ତ୍ତ ଦେଖାଯାଏ ଯାହାକି ଘୂର୍ଣ୍ଣିଝଡର ଆଖି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଗୁଡ଼ିକ CGI କିମ୍ବା ନକଲି ନୁହେଁ, ବରଂ ଶତ ପ୍ରତିଶତ ପ୍ରକୃତ ବୈଜ୍ଞାନିକ ଦୃଶ୍ୟ । କାରଣ ଏଗୁଡିକୁ ଉପଗ୍ରହ ଦ୍ବାରା ଉତ୍ତୋଳନ କରାଯାଇଥାଏ ।
କିନ୍ତୁ ଭାଇରାଲ ହେଉଥିବା ଭିଜୁଆଲରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହା କୌଣସି ଏରୋକ୍ରାଫ୍ଟରୁ ଉତ୍ତୋଳନ କରାଯାଇଛି । ବାତ୍ୟା ଆଖିର ଭିଜୁଆଲ ନେବାକୁ ହରିକେନ୍ ହଣ୍ଟର୍ସର ବ୍ୟବହାର କରାଯାଏ, ଯାହାକି ତଥ୍ୟ ସଂଗ୍ରହ କରିବା ଏବଂ ଆଖିର ଭିଡିଓ ନେବା ପାଇଁ ଘୂର୍ଣ୍ଣିବାତ୍ୟାରେ ଉଡ଼ନ୍ତି। ଆଖି ଭିତରେ ଘୂରି ବୁଲିବା ବେଳେ ପାଇଲଟ୍ ବେଳେବେଳେ ସୂର୍ଯ୍ୟ କିରଣ ଏବଂ ନୀଳ ଆକାଶ ମଧ୍ୟ ଦେଖିବାକୁ ପାଆନ୍ତି । ମେଲିସା ଆଖିର ଭିଜୁଆଲ ସାଟେଲାଇଟ ଉତ୍ତୋଳିତ ବୋଲି ଜଣାପଡିଛି ।
ତେବେ କୌଣସି ବାତ୍ୟାର ଆଖିର ଭିଜୁଆଲ ପ୍ରସ୍ତୁତ କରିବା ନେଇ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ୨୦୧୯ରେ ଭାରତୀୟ ଉପଗ୍ରହ ଇନସାଟ ଓ ନାସା ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫଣିର ଭିଜୁଆଲ ପ୍ରସ୍ତୁତ କରିଥିଲେ । ସେହିଭଳି ୨୦୨୦ରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅମ୍ଫନର ଭିଜୁଆଲ ପ୍ରସ୍ତୁତ କରିଥିଲା ଜାପାନୀ ଉପଗ୍ରହ ହିମାଓ୍ବାରି-୮ । ଆଟଲାଣ୍ଟିକ ମହାସାଗରରେ ୨୦୧୯ରେ ସୃଷ୍ଟ ହରିକେନ ଡୋରିଆନର ଭିଜୁଆଲ ନୋଆ ପ୍ରସ୍ତୁତ କରିଥିବା ବେଳେ ୨୦୧୩ରେ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ଟାଇଫୁନ ହୈୟାନକୁ ଅନ୍ତରୀକ୍ଷରୁ କ୍ୟାମେରାରେ କଏଦ କରିଥିଲା ଜାପାନର ହିମାଓ୍ବାରି ।
ତେବେ ଭୂମିରୁ ବତ୍ୟା ଆଖିର ଫଟୋ ନେବା ଖୁବ ବିରଳ ଘଟଣା । କାରଣ ଯଦି କୌଣସି ଘୂର୍ଣ୍ଣିବାତ୍ୟା ସିଧାସଳଖ ଗୋଟିଏ ସ୍ଥାନ ଉପରେ ଅତିକ୍ରମ କରେ, ତା’ହେଲେ ପ୍ରବଳ ପବନ ପରେ ହଠାତ୍ ପରିବେଶ ଶାନ୍ତ ହେବା ସହ, ସ୍ପଷ୍ଟ ଆକାଶ ଏବଂ ସୂର୍ଯ୍ୟକିରଣ ଦେଖାଯାଏ । ସେହି ସମୟରେ ବାତ୍ୟାର ଆଖି ଉକ୍ତ ସ୍ଥାନ ଦେଇ ଅତିକ୍ରମ କରୁଛି ବୋଲି ବୁଝିବାକୁ ହୁଏ । ଏହାର କିଛି ମିନିଟ୍ ପରେ, ପବନ ବିପରୀତ ଦିଗରୁ ଫେରି ଆସେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ବାତ୍ୟାର ଆଖିକୁ ଅନୁଭବ କରିଛନ୍ତି ଭୁବନେଶ୍ବର ବାସୀ । ଫଣି ବାତ୍ୟା ପୁରୀରେ ଲ୍ୟାଣ୍ଡଫଲ କରି ଓଡ଼ିଶା ଅତିକ୍ରମ କରିବା ବେଳେ ଏହାର ଆଖି ରାଜଧାନୀ ଭୁବନେଶ୍ବର ଦେଇ ଗତି କରିଥିଲା । ସେତେବେଳେ ବାତ୍ୟା ଯେମିତି କିଛି ସମୟ ପାଇଁ ଥମି ଯାଇଥିଲା ଏବଂ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଆଇଆଇଟି ଭୁବନେଶ୍ୱରର ଗବେଷକମାନେ ଅନୁଧ୍ୟାନରୁ ଏହା ଜାଣିବାକୁ ପାଇଥିଲେ । ୨୦୧୯ ମେ ୩ ତାରିଖରେ ଓଡ଼ିଶାରେ ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଘୂର୍ଣ୍ଣିଝଡ଼ ‘ଫଣି’ର ଆଖି ଭୁବନେଶ୍ୱର ଦେଇ ଗତି କରିଥିଲା ଏବଂ ଘଣ୍ଟା ପ୍ରତି ୧୬୯ ରୁ ୧୮୯ କିଲୋମିଟର ବେଗରେ ପବନ ବହିଥିଲା।
ଭାଇରାଲ ହେବା ଆଶାରେ ବାତ୍ୟାର ଆଖି ସମ୍ବନ୍ଧୀୟ ଭିଜୁଆଲରେ ବାସ୍ତବରେ କିଛିଟା ପରିବର୍ତ୍ତନ କରାଯାଇଥାଇପାରେ, ମାତ୍ର ନାସା ଓ ନୋଆ ଦ୍ବାରା ଜାରି ଏହି ଭିଜୁଆଏ ଏକଦମ ସତ ।