ପୁଣେ: ଜମ୍ମୁ କାଶ୍ମୀର ପରେ ବିରଳ ରୋକୁ ନେଇ ଚର୍ଚ୍ଚାରେ ପୁଣେ। ଗିଲିଅନ ବେରେ ସିଣ୍ଡ୍ରମ ବା ଜିବିଏସ ନାମକ ଏକ ବିରଳରୋଗ ୫୯ ଜଣଙ୍କଠାରେ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କ ସ୍ଥିତି ଗୁରୁତର ଥିବା ବେଳେ ସେମାନଙ୍କୁ ଜୀବନ ରକ୍ଷାକାରୀ ଯନ୍ତ୍ର ବା ଭେଣ୍ଟିଲେଟରରେ ରଖାଯାଇଛି। ଆକ୍ରାନ୍ତ ମଧ୍ୟରେ ୩୮ ଜଣ ପୁରୁଷ ଏବଂ ୨୧ ଜଣ ମହିଳା ଥିବା ପୁଣେ ସ୍ବାସ୍ଥ୍ୟାଧିକାରୀ କହିଛନ୍ତି। ଏହା କି ପ୍ରକାରର ରୋଗ, କଣ ଏହାର କାରଣ, ସେ ସ ବୁ ଯାଞ୍ଚ କରିବା ନିମନ୍ତେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପୁଣେରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ତେବେ ବ୍ୟାକ୍ଟେରିଆ ଏବଂ ଭୂତାଣୁ ସଂକ୍ରମଣ କାରଣରୁ ଲୋକଙ୍କ ରୋଗ ପ୍ରତିଶେଧକ କ୍ଷମତା ହ୍ରାସ ପାଉଥିବାରୁ ସାଧାରଣତଃ ଜିବିଏସ ଭଳି ସ୍ଥିତି ଉପୁଜିଥାଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।
ଉଲ୍ଲେଖ ଯେ ଗିଲିଆନ-ବେରେ ସିଣ୍ଡ୍ରୋମ ବା ଜିବିଏସ ଏକ ବିରଳ ସ୍ନାୟବିକ ସ୍ଥିତି। ଏଥିରେ ଶରୀରର ପ୍ରତିଶେଧକ ଶକ୍ତି ଦୁର୍ବଳ ହେବା କାରଣରୁ ସ୍ନାୟୁ ଉପରେ ପ୍ରଭାବ ପଡିଥାଏ। ଏଥିସହ ଆକ୍ରାନ୍ତ ଦୁର୍ବଳ ହୋଇପଡୁଥିବା ବେଳେ ଅଙ୍ଗ ଅଚଳ ହୋଇଯାଏ। ତେବେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇବାର ୬ ସପ୍ତାହ ପୂର୍ବରୁ ଅଧିକାଂଶଙ୍କଠାରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଥିଲା ବୋଲି ଏଠାକାର ମାୟୋ କ୍ଲିନିକ ପକ୍ଷରୁ ସୂଚନା ଦିଆଯାଇଛି।