· ୩ ବିଧ୍ବଂସକ ଯୁଦ୍ଧ ଜାହାଜ ନୌସେନାରେ ସାମିଲ
· ସମୁଦ୍ର ପୃଷ୍ଠରେ ଶତ୍ରୁ ନିପାତ କରିବ ଆଇଏନଏସ ସୁରତ ଓ ନୀଳଗିରି
· ସମୁଦ୍ର ଜଳ ଭିତରେ ଆହ୍ବାନ ପାଲଟିବ ଆଇଏନଏସ ବାଘଶୀର

ମୁମ୍ବାଇ: ସମୁଦ୍ରରେ ଶକ୍ତିଶାଳୀ ହେଉଛି ଭାରତ। ବୈଶ୍ବିକ ସାମରିକ କ୍ଷେତ୍ରରେ ବଢୁଛି ଭାରତର ଦବ୍ଦବା। ସମୁଦ୍ର ଜଳରେ ହେଉ କି ସମୁଦ୍ର ଜଳ ଭିତରେ, ଦୃଢତାର ସହ ଶତ୍ରୁକୁ ଦମନ କରିବା ଦିଗରେ ବଢିଛି ଭାରତୀୟ ନୌସେନାର ସାମର୍ଥ୍ୟ। ଭାରତୀୟ ନୌସେନାରେ ବୁଧବାର ସାମିଲ ହୋଇଛି ୩ଟି ଶକ୍ତିଶାଳୀ ଯୁଦ୍ଧ ଜାହାଜ। ଆଇଏନଏସ୍ ସୁରତ, ଆଇଏନଏସ୍ ନୀଳଗିରି ଏବଂ ଆଇଏନଏସ୍ ବାଘଶୀରକୁ ମୁମ୍ବାଇର ନୌସେନା ଡକ୍ୟାର୍ଡଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ନୌସେନାରେ ସାମିଲ କରାଯାଇଛି। ଆଇଏନଏସ୍ ସୁରତ ଓ ଆଇଏନଏସ୍ ନୀଳଗିରି ଲଢୁଆ ଜାହାଜ ହୋଇଥିବା ବେଳେ ଆଇଏନଏସ୍ ବାଘଶୀର ଏକ ଫାଇଟର ବୁଡାଜାହାଜ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ଭାରତ ଏକ ମହାଶକ୍ତିରେ ପରିଣତ ହେଉଛି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ସାମୁଦ୍ରିକ ନିରାପତ୍ତା ଦୃଷ୍ଟିରୁ ଭାରତ ବିଶ୍ବ ସ୍ତରୀୟ ନେତୃତ୍ବ ପାଲଟିବା ଦିଗରେ ଏହା ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଏନଏସ ସୁରତ ହେଉଛି ପି୧୫ବି ଯୁକ୍ତ ମିସାଇଲ ବିଧ୍ବଂସକ ପ୍ରକଳ୍ପ ଅଧୀନରେ ତିଆରି କରାଯାଇଥିବା ଚତୁର୍ଥ ଏବଂ ଅନ୍ତିମ ଜାହାଜ। ଯାହାକି ବିଶ୍ବର ଅନ୍ୟତମ ବୃହତ୍ ଏବଂ ସାଙ୍ଘାତିକ ବିଧ୍ବଂସକ। ଏହାର ୭୫% ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ। ଏଥିରେ ଥିବା ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟରେ ରହିଛି ଅତ୍ୟାଧିୁନିକ ଅସ୍ତ୍ରଶସ୍ତ୍ର ସେନସର ପ୍ୟାଜେକ୍ ଏବଂ ଆଡଭାନ୍ସଡ ନେଟଓ୍ବର୍କ ସେଣ୍ଟ୍ରିକ କ୍ଷମତା।
ସେହିଭଳି ଆଇଏନଏସ ନୀଳଗିରି ପି୧୭ଏ ଷ୍ଟିଲ୍ଥ ଫ୍ରିଗେଟ୍ ପ୍ରକଳ୍ପ ଅଧୀନରେ ନିର୍ମିତ ପ୍ରଥମ ଯୁଦ୍ଧ ଜାହାଜ। ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଡିଜାଇନ ବ୍ୟୁରୋ ଏହାର ଢାଞ୍ଚା ପ୍ରସ୍ତୁତ କରିଛି। ନୌସେନା ଅନୁସାରେ ଅାଇଏନଏସ ନୀଳଗିରି ଶିବାଲିକା ବର୍ଗର ଫ୍ରିଗେଟ୍ ଠାରୁ ଅଧିକ ଅତ୍ୟାଧୁନିକ ବ୍ୟବସ୍ଥା ସମ୍ବଳିତ ଯୁଦ୍ଧ ଜାହାଜ। ଏଥିରେ ଗୁରୁତ୍ବପୂର୍ଣ୍ଣ ଷ୍ଟିଲ୍ଥ ବ୍ୟବସ୍ଥା ରହିଥିବା ବେଳେ ଉନ୍ନତ ପ୍ରଦ୍ୟୋଗ ଦ୍ବାରା ରାଡାରର ପ୍ରଭାବ କମ୍ କରିବାର କ୍ଷମତା ମଧ୍ୟ ରହିଛି। ଉଭୟ ଆଇଏନଏସ ନୀଳଗିରି ଏବଂ ଆଇଏନଏସ ସୁରତରେ ଚେତକ୍ ଭଳି ଗୁରୁତ୍ବପୂର୍ଣ୍ଣ ଆଡଭାନ୍ସଡ ହାଲୁକା ହେଲିକପ୍ଟର ଏବଂ ନୂତନ ଭାବେ ସାମିଲ ହୋଇଥିବା ଏମଏଚ-୬୦ ଆର ହେଲିକପ୍ଟର ବ୍ୟବହାର କରାଯାଇପାରେ। ଉଭୟ ଜାହାଜକୁ ଭାରତରେ ବିକଶିତ କରାଯାଇଛି। ଏଥି ନେଇ ବିଶ୍ବସ୍ତରୀୟ ଉତ୍ପାଦକ କମ୍ପାନୀର ରଣନୈତିକ ସହାୟତା ମଧ୍ୟ ନିଆଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି।

ତେବେ ଆଇଏନଏସ ବାଘଶୀର ଏକ ବୁଡାଜାହାଜ। ଯାହାକି ପି୭୫ ସ୍କରପିଅନ ପ୍ରକଳ୍ପ ଅଧୀନରେ ନିର୍ମିତ ଷଷ୍ଠ ତଥା ଅନ୍ତିମ ଜାହାଜ। ଏହାକୁ ବିଧ୍ବଂସକ ବୁଡାଜାହାଜ ନିର୍ମାଣ କରିବାରେ ଭାରତର ଦକ୍ଷତାର ପ୍ରମାଣ ବୋଲି କୁହାଯାଉଛି। ଏହାକୁ ଫ୍ରାନ୍ସ ନୌସେନା ଗ୍ରୁପ୍ର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଏହି ବୁଡାଜାହାଜରେ ରହିଛି ଓ୍ବେର ଗାଇଡେଡ୍ ଟରପେଡୋ, ମିସାଇଲ୍ ବିଧ୍ବଂସକ ଏବଂ ଅତ୍ୟାଧୁକିନ ସୋନାର ସିଷ୍ଟମ୍।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ପ୍ରତି ବିଶ୍ବ ଆଖିରେ , ବିଶେଷକରି ବିଶ୍ବର ଦକ୍ଷିଣ ଭାଗରେ ଭାରତ ଏକ ବିଶ୍ବାସଯୋଗ୍ୟ ଏବଂ ଦାୟିତ୍ବସମ୍ପନ୍ନ ରାଷ୍ଟ୍ର ଭାବେ ପରିଚିତି ଲାଭ କରିଛି। ବିକାଶର ନବଉନ୍ମେଶ ନେଇ ଭାରତ ସର୍ବଦା କାର୍ଯ୍ୟ କରୁଥିବା ବେଳେ ଏକ ମୁକ୍ତ, ସୁରକ୍ଷିତ, ସମନ୍ବିତ ଏବଂ ସମୃଦ୍ଧ ଭାରତୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସହଯୋଗ କରିଆସୁଛି। ସମ୍ପ୍ରତି ଭାରତ ୧୦୦ରୁ ଅଧିକ ରାଷ୍ଟ୍ରକୁ ସାମରିକ ସାମଗ୍ରୀ ରପ୍ତାନୀ କରୁଛି। ଏହିକ୍ରମରେ ସମୁଦ୍ରରେ ସୁରକ୍ଷା ବୃଦ୍ଧି କରିବା ନିମିତ୍ତ ଭାରତ ବୈଶ୍ବିକ ଅଂଶୀଦାର ପାଲଟିବା ଉଚିତ। ବିଶେଷକରି ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଆତଙ୍କବାଦ ଦମନ ଦିଗରେ ଭାରତର ଏହି ଆଭିମୁଖ୍ୟ ସୁଦୃଢ ହେଉଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ମହାସାଗର ଅଞ୍ଚଳରେ ଆସୁଥିବା ବିପତ୍ତି ପ୍ରତି ଭାରତ ସଦାସର୍ବଦା ସର୍ବାଗ୍ରେ ମୁକାବିଲା କରିଆସିଛି। ବିଗତ କିଛି ମାସ ହେବ ଭାରତୀୟ ନୌସେନା ଶତାଧିକ ଜୀବନ ରକ୍ଷା କରିବା ସହିତ କୋଟିକୋଟି ଟଙ୍କାର ଜାତୀୟ-ଅନ୍ତର୍ଜାତୀୟ କାର୍ଗୋକୁ ମଧ୍ୟ ସୁରକ୍ଷା ଦେଇଛି। ଯାହାକି ଭାରତ ଉପରେ ବିଶ୍ବର ଆସ୍ଥା ବୃଦ୍ଧି କରିଛି। ଭାରତୀୟ ନୌସେନାକୁ ପ୍ରଶଂସା କରି ମୋଦୀ ଏସବୁର ଶ୍ରେୟ ନୌସେନା ସୈନ୍ୟମାନଙ୍କୁ ଦେଇଛନ୍ତି।